‘ଭାରତ ଟିକସ ମାଡ଼ କରି ଆମକୁ ମାରିଦେଇଛି’

‘ଭାରତ ଟିକସ ମାଡ଼ କରି ଆମକୁ ମାରିସାରିଛି । ଚାଇନା ଟିକସ ମାଡ଼ କରି ଆମକୁ ତଳିତଳାନ୍ତ କରିଦେଇଛି । ବ୍ରାଜିଲ ସରକାରଙ୍କ ଟିକସ ମାଡ଼ରେ ଆମେମାନେ ଫକୀର ହୋଇଯାଇଛୁ ।

ସର୍ବାଧିକ ଟିକସ ଜାରି କରିବା କ୍ଷେତ୍ରରେ ଭାରତ ସବୁ ଦେଶ ତୁଳନାରେ ଆଗରେ ରହିଛି ।

ଆଗାମୀ ଦିନରେ ଭାରତ ଆମେରିକା ଉପରେ ଅଧିକ ଟିକସ ଚାପ ପକାଇବାକୁ ଚାହୁଁନି । ତା’ର କାରଣ ହେଉଛି ଭାରତ ଉପରେ ଆମେରିକାର ୫୦% ଟିକସ ଆଦାୟ ନୀତି ।

ଭାରତ ଭାରି ଚାଲାକ । ଯଦି ଏବେ ମୁଁ ଭାରତ ଉପରେ ୫୦% ଟିକସ ମାଡ଼ କରି ନ ଥାନ୍ତି, ଭାରତ ବାଟକୁ ଆସି ନଥାନ୍ତା କି ଆମକୁ ଟିକସ ଚାପରୁ ତ୍ରାହି ମିଳି ନଥାନ୍ତା ।’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି, ‘ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କ ଭାରତକୁ ସୁହାଇଛି ।

ଏକ ରେଡିଓ କାର୍ଯ୍ୟକ୍ରମରେ ଭାଗ ନେଇ ରାଷ୍ଟ୍ରପତି ଟ୍ରମ୍ପ ଭାରତ-ଆମେରିକା ବାଣିଜ୍ୟ ରାଜିନାମା ସଂପର୍କରେ କିଛି ମନ୍ତବ୍ୟ ପ୍ରଦାନ କରିଥିଲେ । ସେହି ମନ୍ତବ୍ୟଗୁଡ଼ିକ ଭିତରୁ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଏଠାରେ ସ୍ଥାନ ଦିଆଯାଇଛି ।

ଟ୍ରମ୍ପଙ୍କ ମତରେ ଭାରତ ସର୍ବାଧିକ ଟିକସ ଅସୁଲକାରୀ ଦେଶ । ଆମେରିକାର ଟିକସ ମାଡ଼ରେ ଭାରତ ବାଟକୁ ଆସିଯାଇଛି । ଆଉ ଆମେରିକା ନିକଟରୁ ଅଧିକ ଟିକସ ଅସୁଲ କରିବାକୁ ସାହସ କରିବନି ।

ଦୀର୍ଘ ଦଶନ୍ଧି ଭିତରେ ଭାରତ ଏକଚାଟିଆ ଭାବେ ଆମେରିକା ନିକଟରୁ ଟିକସ ବାବଦକୁ ଯେତିକି ଟଙ୍କା ଅସୁଲ କରିଛି, ତାହା ଯଥେଷ୍ଟ ।’

ଟ୍ରମ୍ପଙ୍କ ଉଚ୍ଚାରଣରୁ ଭାରତ ପ୍ରତି ତାଙ୍କର ମନୋଭାବ ସ୍ପଷ୍ଟ ହୋଇଛି । ରୁଷିଆ ତେଲ ଏକ ବାହାନା ମାତ୍ର । ଟ୍ରମ୍ପଙ୍କ ଭଳି ଚତୁର ବେପାରୀ ଭାରତର ଆର୍ଥିକ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।