ମହିଳାଙ୍କୁ ହତ୍ୟା କରିବା ପରେ ଗାଧୁଆ ପାଧୁଆ ସାରି ପୋଷାକ ବଦଳାଇଥିଲେ ଦୁଇ ଅଭିଯୁକ୍ତ

ମହିଳାଙ୍କ ମୁଣ୍ଡକୁ ପ୍ରଥମେ ପ୍ରେସର କୁକରରେ ଶକ୍ତ ଆଘାତ କରିଥିଲେ । ଆହତ ମହିଳାଙ୍କ ହାତଗୋଡ଼ ବାନ୍ଧି ଦେଲେ । ତା’ ପରେ ପରିବା କଟା ଛୁରୀ ଓ କଇଂଚିରେ ମହିଳାଙ୍କ ଗଳାକାଟି ହତ୍ୟା କରିଥିଲେ ।

ସାଇବରାବାଦ ଅଂଚଳରେ ଏଭଳି ହତ୍ୟାକାଣ୍ଡ କେବେ ଘଟି ନଥିଲା । ଏକ ହାଇ ପ୍ରୋଫାଇଲ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ଜାଣିବା ପରେ ଅଭିଜ୍ଞ ପୁଲିସ ଟିମ୍ ଅଭିଯୁକ୍ତଙ୍କ ପିଛା କରି ଝାଡ଼ଖଣ୍ଡରେ ପହଂଚିଥିଲା ।

ମୃତ ମହିଳା ରେଣୁ ଅଗ୍ରୱାଲଙ୍କ ବୟସ ଆନୁମାନିକ ୫୦ ବର୍ଷ ହେବ । ହତ୍ୟା କରିବା ପରେ ଦୁଇ ଅଭିଯୁକ୍ତ ଗାଧୁଆ ପାଧୁଆ ସାରି ପୋଷାକ ବଦଳାଇଥିଲେ । ସାଙ୍ଗରେ ୪୦ ଗ୍ରାମ ଓଜନର ସୁନାଗହଣା ଓ ନଗଦ ଏକ ଲକ୍ଷ ଟଙ୍କା ନେଇ ଯାଇଥିଲେ ।

କୋର୍ଟଙ୍କ ଅନୁମତି ବଳରେ ଦୁଇ ଅଭିଯୁକ୍ତଙ୍କୁ ହାଜତକୁ ନେଇ ହତ୍ୟାକାଣ୍ଡ ରହସ୍ୟ ଖୋଲିବ ପୁଲିସ ।

ତିନିଦିନ ତଳର ସେହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଏବେ ମଧ୍ୟ ଦେଖଣାହାରୀଙ୍କ ମନରୁ ଲିଭିନି । ମୃତ ମହିଳାଙ୍କ ନାମ ରେଣୁ ଅଗ୍ରୱାଲ ।

ଆଇଟି ହବ୍ ଅନ୍ତର୍ଗତ ଏକ ବହୁତଳ ପ୍ରାସାଦର ତ୍ରୟୋଦଶତମ ଫ୍ଲାଟରେ ମହିଳା ଜଣକ ତାଙ୍କ ସ୍ୱାମୀ ଓ ପୁଅଙ୍କ ଗହଣରେ ରହୁଥିଲେ । ହତ୍ୟାକାଣ୍ଡ ଘଟିବା ଦିନ ସ୍ୱାମୀ ଓ ପୁଅ ସେମାନଙ୍କ କାର୍ଯ୍ୟାଳୟରେ ଥିଲେ ।

ସନ୍ଧ୍ୟା ସମୟରେ ରେଣୁ ଫୋନ୍ ନ ଉଠାଇବାରୁ ଅଗ୍ରୱାଲ ବାପ-ପୁଅଙ୍କ ମନରେ ନାନା ଆଶଙ୍କା ଦେଖା ଦେଇଥିଲା । ଦୁହେଁ ତୁରନ୍ତ ଘରକୁ ଫେରିଆସିଲେ ।

ମୁଖ୍ୟ ଦରଜା ତାଲା ପଡ଼ିଥିବାର ଦେଖି ବାପ-ପୁଅ ପାଣି ପାଇପ୍ ବାଟ ଦେଇ ବାଲକୋନିରେ ପହଂଚିଥିଲେ । ଘର ଭିତରେ ପଶି ଯାହା ଦେଖିବାକୁ ପାଇଲେ, ସେମାନଙ୍କ ପାଟିରୁ ଭାଷା ଫୁଟି ନଥିଲା ।