‘ମୋର ମୃତ୍ୟୁ ଖବର ପ୍ରସାରଣ କରି ଗଣମାଧ୍ୟମ ଘୋର ଅପରାଧ କରିଛି’
‘ମୋର ମୃତ୍ୟୁ ଖବର ପ୍ରସାରଣ କରି ଗଣମାଧ୍ୟମ ସାମାନ୍ୟ ଭୁଲ କରିନି ବରଂ ବିରାଟ ଅପରାଧ କରିଛି’, ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦିଲ୍ଲୀ ମହିଳା ମାନୀ ପୱର ।
ଭୁଲ ଖବର ପ୍ରସାରଣ କରି କିିଛି ଚାନେଲ ଖବର ଦୁନିଆର ନୈତିକ ମୂଲ୍ୟବୋଧକୁ ହନନ କରିଛନ୍ତି । ଦିଲ୍ଲୀ ପ୍ରୀତ ବିହାରସ୍ଥିତ ମହିନ୍ଦ୍ରା ସୋ’ରୁମରେ ଛୋଟିଆ ଦୁର୍ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି । ଦୁର୍ଘଟଣାରେ ଗାଡ଼ି ଚାଳକ ପ୍ରାଣ ହରାଇଥିବା ବିଷୟ ପ୍ରସାରଣ କରି କିଛି ଚାନେଲ ଗାଡ଼ି ମାଲିକଙ୍କ ସମାଲୋଚନାର ଶିକାର ହୋଇଛନ୍ତି ।
ସୋ’ରୁମର ପ୍ରଥମ ତାଲାରେ ପୂଜାର୍ଚ୍ଚନା ସାରିବା ପରେ ଲେମ୍ବୁ ଉପରେ ଥାର ଚକ ଚଢ଼ାଇବାର ପ୍ରୟାସ କରୁ କରୁ ଗାଡ଼ି ତୀବ୍ର ଗତିରେ ଯାଇ ସୋ’ରୁମ୍ କାଚ ଭାଙ୍ଗିଲା, ପ୍ରଥମ ତାଲାରୁ ବାହାରକୁ ଲମ୍ଫ ପ୍ରଦାନ କରି ତଳକୁ ଗଳି ପଡ଼ିଲା । ଗାଡ଼ିର ଚାଳକ ଆସନରେ ବସିଥିଲେ ଜଣେ ମହିଳା । ତାଙ୍କ ପାଖରେ ବସିଥିଲେ ମହିଳାଙ୍କ ସ୍ୱାମୀ ଓ ସୋ’ରୁମର ଜଣେ କର୍ମଚାରୀ ।
ଗାଡ଼ିଟି ଏକପ୍ରକାର ନଷ୍ଟ ହୋଇଯାଇଛି । ମହିଳା, ତାଙ୍କ ସ୍ୱାମୀ ଓ ସୋ’ରୁମ୍ କର୍ମଚାରୀ ଆଶ୍ଚର୍ଯ୍ୟଜନକ ଭାବେ ବଂଚି ଯାଇଛନ୍ତି । ଦେଖଣାହାରିଙ୍କ ଭିତରୁ କିଛି ଭାବିଥିଲେ, ଏତେ ଉଚ୍ଚରୁ ଗାଡ଼ିଟି ଖସି ପଡ଼ିଥିବାରୁ କେହି ନିଶ୍ଚିତ ମରିଥିବେ ।
ଗୁରୁବାର ଦିନ ଅପରାହ୍ଣରେ ଏହି ଦୁର୍ଘଟଣା ଘଟିବା ପରେ ପରେ କିଛି ଚାନେଲ ଗାଡ଼ିର ମହିଳା ଚାଳକ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିବା ବିଷୟ ପ୍ରସାରଣ କରିଥିଲେ ।
ଗାଡ଼ି ଚାଳକ ମାନୀ ବଂଚି ଥାଉ ଥାଉ ତାଙ୍କର ମୃତ୍ୟୁ ଖବର ପ୍ରସାରଣରେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । କାଳବିଳମ୍ବ ନକରି ଏକ ଭିଡିଓ ବାର୍ତ୍ତା ପ୍ରସାରଣ କରିଛନ୍ତି । ଉକ୍ତ ଭିଡ଼ିଓରେ ମହିଳାଜଣକ କହିଚନ୍ତି ଯେ ତାଙ୍କର ମୃତ୍ୟୁ ଖବରକୁ ପ୍ରସାରଣ କରିଥିବା ଚାନେଲଗୁଡ଼ିକ ଦୁର୍ଘଟଣାର ବାସ୍ତବ ଖବର ପ୍ରତି ଆଦୌ ସଚେତନ ନୁହନ୍ତି ।
୨୯ ବର୍ଷୀୟା ମାନୀ କହିଛନ୍ତି, ମୋ ସ୍ୱାମୀ ପ୍ରଦୀପଙ୍କ ନିକଟରୁ ୨୭ ଲକ୍ଷ ଟଙ୍କା ନେଇ ଥାର କିଣିଲି । ସୋ’ ରୁମ୍ ମାଲିକଙ୍କ ଅନୁମତି କ୍ରମେ ପ୍ରଥମ ତାଲାରେ ଗାଡ଼ିର ପୂଜାର୍ଚ୍ଚନା କଲି । ଲେମ୍ବୁ ଉପରେ ଗାଡ଼ି ଚକ ଚଢ଼ାଇବାର ପରମ୍ପରାକୁ ସଂପନ୍ନ କରିବାକୁ ଯାଇ ଏକ୍ସିଲେଟର ଉପରେ ପାଦର ଚାପ ଟିକେ ଅଧିକ କରିଦେଲି ।
ତା’ ପର ଘଟଣା ଯାହା ଘଟିଲା, ସେସବୁ ଭଲ ଭାବରେ ନିରୀକ୍ଷଣ କରିବା ପରେ ରିପୋର୍ଟର ମାନେ ସମ୍ବାଦ ଲେଖିବା ଉଚିତ ଥିଲା । ମୋତେ ମାରି ଦେଇ କିଛି ଖବର ପ୍ରସାରଣ ସଂସ୍ଥା ସେମାନଙ୍କର ନୈତିକ ମୂଲ୍ୟବୋଧକୁ ମାରି ଦେଇଛନ୍ତି ।