ସୁଧୁରିନି ନେପାଳ ପରିସ୍ଥିତି । ପୁଲିସ-ଛାତ୍ର ସଂଘର୍ଷରେ ବଳି ପଡ଼ିଥିବା ଯୁବକ ଯୁବତୀଙ୍କୁ ରାଜକୀୟ ସମ୍ମାନ ଦିଆଯିବା ଦାବିରେ ଅଡ଼ି ବସିଛନ୍ତି ମୃତକଙ୍କ ପରିବାର ଓ ଜନତା ।
ନେପାଳର ନୂଆପିଢ଼ିଙ୍କ ବଳିଦାନକୁ କୌଣସି ପରିସ୍ଥିତିରେ ହାଲୁକା କରିବାକୁ ନାରାଜ ନେପାଳ ଜନତା । ବିଶେଷ କରି ପୁଲିସ ଓ ସେନାଙ୍କ ଆଖିବୁଜା ମାଡ଼ରେ ପ୍ରାଣ ହରାଇଥିବା ଯୁବକ ଯୁବତୀଙ୍କ ପରିବାର ଏବେ ସୁଦ୍ଧା ରାଜରାସ୍ତାରୁ ହଟିନାହାନ୍ତି ।
ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ଉପରେ ଲୋକମାନେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି ।
କାର୍ଯ୍ୟଭାର ଗ୍ରହଣ କରିବାର କିଛି ଘଂଟା ଭିତରେ ପ୍ରଧାନମନ୍ତ୍ରୀ କାର୍କି ଛାତ୍ର-ପୁଲିସ ସଂଘର୍ଷରେ ପ୍ରାଣ ହରାଇଥିବା ଯୁବକ ଯୁବତୀଙ୍କୁ ସହିଦ ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି ।
ମୃତକଙ୍କ ପିଛା ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ତଥାପି ମୃତକଙ୍କ ପରିବାର ଅସନ୍ତୁଷ୍ଟ ।
ନେପାଳ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମୃତକଙ୍କ ପରିବାର ମୃତଦେହକୁ ରାସ୍ତା ଉପରେ ରଖି ଧାରଣାରେ ବସିଛନ୍ତି ।
ମୃତକଙ୍କ ପରିବାର କହନ୍ତି, ପ୍ରଧାନମନ୍ତ୍ରୀ କାର୍କି ଯାହା ଘୋଷଣା କରିଛନ୍ତି, ତାକୁ ଲିଖିତ ଆକାରରେ ନ ଦେବା ପର୍ଯ୍ୟନ୍ତ ଧାରଣାରୁ କେହି ଜଣେ ଉଠିବେ ନାହିଁ ।
ସହିଦ ମାନ୍ୟତା କେବଳ ଘୋଷଣା ଭିତରେ ନରହୁ । ମୃତକଙ୍କ ମରଶରୀରକୁ ସେନାଗାଡ଼ିରେ ସଜାଇ କରି ନିଆଯିବାର ବନ୍ଦୋବସ୍ତ କରାଯିବା ଦରକାର । ସରକାରଙ୍କ ପକ୍ଷରୁ ଅନ୍ତ୍ୟେଷ୍ଟି ବିଧି କରାଯିବା ଦରକାର ।
ମୃତକଙ୍କ ଉଦ୍ଦେଶ୍ୟରେ ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରାଯିବା ଦରକାର । ସେପରି କିଛି ନକରି କେବଳ ସହିଦ ମାନ୍ୟତା ଦେଇ ପରିବାର ଲୋକଙ୍କ ଜରିଆରେ ମୃତକଙ୍କ ସତ୍କାର କରିବାକୁ ବସିଛନ୍ତି ସରକାର ।
ପ୍ରଧାନମନ୍ତ୍ରୀ କାର୍କିଙ୍କ ଘୋଷଣା ଏବେ ତାଜା ବିବାଦକୁ ଡାକି ଆଣିଛି । ଉତ୍ତ୍ୟକ୍ତ ଯୁବଗୋଷ୍ଠୀ ଓ ପୁଲିସଙ୍କ ଗୋଡ଼ାଗୋଡ଼ି, ମରାମରି, ଘୋଷଡ଼ା ଘୋଷଡ଼ି, ପିଟାପିଟି ଚାଲିଥିବା ଭିତରେ କିଛି ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲଗାଇ ଦିଆଯାଇଥିଲା ।
ଅଗ୍ନିକାଣ୍ଡରେ ଜଳି ହୋଇ ମରିଥିବା ଲୋକଙ୍କୁ ସହିଦ ମାନ୍ୟତା ଦିଆଯିବ କି ନାହିଁ, ତାକୁ କେନ୍ଦ୍ର କରି ନାନା ଆଶଙ୍କା ଉପୁଜିଛି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୭ ଓ ୮ ତାରିଖ ଦୁଇଦିନ ଭିତରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଓ ସେନା ରକ୍ତମୁଖା ଆକ୍ରମଣ କରିଥିଲା । ଆକ୍ରମଣରେ ପ୍ରାୟ ୭୨ ଜଣ ମରିଛନ୍ତି, ୨୧୧୩ ଖଣ୍ଡିଆ ଖାବରା ହୋଇଛନ୍ତି ।