ସୋନିଆ ଗାନ୍ଧୀଙ୍କ ନାମରେ ଅପରାଧିକ ମାମଲା

ସୋନିଆ ଗାନ୍ଧୀଙ୍କ ନାମରେ ଅଦାଲତରେ ଅପରାଧିକ ମାମଲା ରୁଜୁ କରାଯାଇଛି । ଭାରତର ନାଗରିକତା ଲାଭ କରିବା ପୂର୍ବରୁ ସୋନିଆ ପ୍ରଥମେ ଭୋଟର ତାଲିକା ମଣ୍ଡନ କରିଥିଲେ ।

ସୋନିଆ ଏକ ଅକ୍ଷମଣୀୟ ଅପରାଧ କରିଛନ୍ତି ବୋଲି ଆବେଦନକାରୀ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ।

ମାମଲା ରୁଜୁ କରିଛନ୍ତି ଆଇନଜୀବୀ ବିକାଶ ତ୍ରିପାଠୀ । ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ବୈଭବ ଚୌରାସିଆ ଆବେଦନକାରୀଙ୍କ ଓକିଲଙ୍କ ନିକଟରୁ ଯୁକ୍ତିସଂଗତ ତର୍କ ଶୁଣିବା ପରେ ମାମଲାଟିର ଆଗାମୀ ଶୁଣାଣି ସେପ୍ଟେମ୍ବର ୧୦ ତାରିଖ ଧାର୍ଯ୍ୟ କରିଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ଓକିଲ ଅନିଲ ସୋନି ଓ ପବନ ନାରଙ୍ଗ ମାମଲା ପରିଚାଳନା କରୁଛନ୍ତି । ଆଇନଜୀବୀ ନାରଙ୍ଗ କହନ୍ତି ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ ଆଇନଗତ ଦୃଷ୍ଟିରୁ ବିଚାର କରନ୍ତୁ, ସୋନିଆ ଗାନ୍ଧୀଙ୍କ ଅପରାଧ ଅକ୍ଷମଣୀୟ ।

ସାଧାରଣ ଲୋକଟିଏ ଭୋଟର ତାଲିକା ଅନ୍ତର୍ଭୁକ୍ତ ହେବା ପୂର୍ବରୁ ନାଗରିକତା ଜାହିର କରିଥାନ୍ତି । କିନ୍ତୁ ସୋନିଆ ଗାନ୍ଧୀ ପ୍ରଥମେ ଭୋଟର ତାଲିକା ଅନ୍ତର୍ଭୁକ୍ତ ହେବା ପରେ ଭାରତର ନାଗରିକତା ହାସଲ କରିଛନ୍ତି ।

ବିଶିଷ୍ଟ ରାଜନୈତିକ ପରିବାରର ବୋହୂ ହୋଇଥିବାରୁ ସୋନିଆ ଭାରତର ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକା ମଣ୍ଡନ କରିଥିଲେ ।

ସୂଚନା ମୁତାବକ, ଇଟାଲୀ ନାଗରିକ ସୋନିଆ ଗାନ୍ଧୀ ଭାରତର ନାଗରିକତା ଆଇନ ଧାରା-୫ ଅନୁସାରେ ୧୯୮୩ ମସିହା ଏପ୍ରିଲ ୩୦ ତାରିଖ ଦିନ ଭାରତର ନାଗରିକତା ହାସଲ କରିଥିଲେ ।

କିନ୍ତୁ ୧୯୮୧-୮୨ ମସିହାରୁ ସୋନିଆ ଗାନ୍ଧୀଙ୍କ ନାମ ନୂଆଦିଲ୍ଲୀ ବିଧାନସଭା ଆସନ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରି ସାରିଥିଲେ ।