୧୬୮୬ ଜଣଙ୍କୁ ନିଯୁକ୍ତି ପତ୍ର ଧରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରାୟ ୭ଟି ସରକାରୀ ବିଭାଗରେ ନିଯୁକ୍ତି ପତ୍ରଧାରୀଙ୍କୁ ଦାୟିତ୍ୱ ବିତରଣ କରାଯିବ ।
ଭୁବନେଶ୍ୱରସ୍ଥିତ ୟୁନିଟ୍ – ୩ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ଯୋଗଦାନ କରିଥିବା ଯୁବକ ଯୁବତୀଙ୍କ ଭିତରୁ ପ୍ରଥମ ପର୍ଯ୍ୟାୟରେ ୧୬୮୬ ଜଣଙ୍କୁ ଔପଚାରିକ ଭାବେ ନିଯୁକ୍ତି ମିଳିଛି ।
ମନୋନୀତ ଯୁବକ ଯୁବତୀଙ୍କ ଭିତରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୯୮୨ ଜଣଙ୍କୁ ନିଯୁକ୍ତି ମିଳିଛି । ଜଳ ସମ୍ପଦ ବିଭାଗରେ ୪୧୩ ଓ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୩୬ ଜଣଙ୍କୁ ନିଯୁକ୍ତି ମିଳିଛି ।
ସେହିପରି ଅର୍ଥ ବିଭାଗରେ ୬୧, ଆଇନ ବିଭାଗରେ ୩୭, କୃଷି ଓ କୃଷକ ସଶକ୍ତକରଣ ବିଭାଗରେ ୩୪ ଓ ମତ୍ସ୍ୟ ଓ ପଶୁପାଳନ ବିଭାଗରେ ୨୩ ଜଣଙ୍କୁ ନିଯୁକ୍ତି ମିଳିଛି ।
ନୂତନ କର୍ମଚାରୀଙ୍କୁ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।