କେନ୍ଦୁଝର ସଦର ବ୍ଲକରେ ଚାଉଳ ଖାଉଛନ୍ତି ୨୬୭ ଭୂତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ କିଛି ପଂଚାୟତରେ ପ୍ରାୟ ୨୬୭ ଜଣ ଭୂତ ମାସକୁ ମାସ ସରକାରୀ ଚାଉଳ ନେଉଛନ୍ତି ।
ଏ କଥାଟି ପ୍ରଘଟ ହେବା ପରେ ମୋହନ ସରକାରଙ୍କ ହାତଗୋଡ଼ ଥରା ଆରମ୍ଭ ହୋଇଯାଇଛି ।
ବିଗତ ଦୁଇବର୍ଷ ଧରି ମଇଦାନ କେଲ, ପର୍ଜନପୁର, କାଉଁରିକଳା, କଣ୍ଡରାପଶି, ରଘୁନାଥପୁର, ବରଦାପାଳ, ଜନାର୍ଦ୍ଦନପୁର, ମହାଦେଇଯୋଡ଼ା, ନୂଆଗାଁ, ବାଉରିପଦା, ପଳାଶପଙ୍ଗା ଆଦି କିଛି ପଂଚାୟତରେ ପ୍ରାୟ ୨୬୭ ଜଣ ଭୂତ ସରକାରୀ ଚାଉଳ ଉଠାଉଥିଲେ ।
ସେ ସଂପର୍କୀତ ରିପୋର୍ଟ ପ୍ରକାଶ ପାଇବା ପରେ ସରକାରୀ ସ୍ତରରେ ଖୋଳତାଡ଼ ଆରମ୍ଭ ହୋଇଗଲା ।
ଜଣାପଡ଼ିଲା, ରାସନ କାର୍ଡ ହିତାଧିକାରୀଙ୍କ ତାଲିକାରେ କୁଶପଡ଼ା ନିବାସୀ ସୁନାଫୁଲ କାରୁଆଙ୍କ ନାମ ଏବେ ସୁଦ୍ଧା ରହିଛି । ସୁନାଫୁଲ କାରୁଆଙ୍କ ନାମରେ ରହିଥିବା ରାସନ କାର୍ଡରେ ହିତାଧିକାରୀଙ୍କ ସଂଖ୍ୟା ୫ ଅଛି ।
୨୦୨୨ ମସିହା ମେ’ ମାସ ୨୦ ତାରିଖରେ ସୁନାଫୁଲ ମୃତ୍ୟୁବରଣ କଲେ । ମୃତ୍ୟୁବରଣ କରିବାର ୮ ମାସ ପର୍ଯ୍ୟନ୍ତ ସୁନାଫୁଲ ପ୍ରାୟ ୫୫ କିଲୋ ରାସନ ଚାଉଳ ପାଉଥିଲେ ।
ସେହିପରି ବାଉରିପଦା ପଂଚାୟତ ଅନ୍ତର୍ଗତ ବନମାଳୀପୁର ନିବାସୀ ମଦନ ମହାନ୍ତ ପାଇଥିବା ରାସନ କାର୍ଡରେ ଚାରିଜଣ ହିତାଧିକାରୀ ଥିଲେ । ସେହି ଚାରିଜଣ ହିତାଧିକାରୀଙ୍କ ଭିତରୁ କୌଶଲ୍ୟା ମହାନ୍ତ ୨୦୨୨ ମସିହା ମେ’ ମାସ ୮ ତାରିଖରେ ମୃତ୍ୟୁବରଣ କଲେ ।
ମାତ୍ର ୨୦୨୨ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ କୌଶଲ୍ୟା ମହାନ୍ତଙ୍କ ନାମରେ ଚାଉଳ ଉଠାଇ ନିଆଯାଉଥିଲା ।
ରଘୁନାଥପୁର ପଂଚାୟତ ଅନ୍ତର୍ଗତ ଧକୋଠା ନିବାସୀ ମାଳତୀ ମହାନ୍ତଙ୍କ ରାସନ କାର୍ଡରେ ରହିଥିବା ୩ ଜଣ ହିତାଧିକାରୀଙ୍କ ଭିତରୁ ମନୋହର ମହାନ୍ତ ୨୦୨୧ ମସିହା ମେ’ ମାସ ୧୮ ତାରିଖରେ ପ୍ରାଣ ହରାଇଲେ । ମନୋହରଙ୍କ ନାମରେ ୨୫୦ କିଲୋ ଚାଉଳ ଉଠାଇ ନିଆଯାଇଛି ।
ଏବେ ଭୂତଙ୍କ ନିକଟରୁ ରାସନ୍ ଚାଉଳ ଆଦାୟ କରାଯିବ କି ଭୂତଙ୍କୁ ଗିରଫ କରାଯିବ, ସେ ବିଚାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କରିବେ ।
କାରଣ ମୋହନ ଚରଣ ମାଝି ସେହି ଅଂଚଳର ବିଧାୟକ ଥିବା ସମୟରେ ଏସବୁ ଅନିୟମିତତା ହୋଇଛି ।