ସାମାଜିକକର୍ମୀଙ୍କୁ ଆକ୍ରମଣ; ଅଭିଯୁକ୍ତ ବାପ-ପୁଅ ହାଜତରେ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା …..

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ମନୋଜଙ୍କୁ ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ମନୋଜଙ୍କ ଏତଲାକୁ ଭିତି କେ.ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ ମାମଲା ନଂ.୭୫/୨୬ ଅନୁଯାୟୀ ମୋକଦ୍ଦମା ରୁଜୁ କରିଥିଲେ। ଘଟଣାରେ ସମ୍ପୃକ୍ତ କାଳୁ ଗୌଡ଼ ଏବଂ ତାଙ୍କ ପୁଅ ମନୋଜ ଗୌଡ଼ଙ୍କୁ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ମୁତାବକ, ମନୋଜ ଗାଁ ବାଇପାସ ଛକରେ ବଇଁଶି ସାହୁଙ୍କ ରାଶନ ଦୋକାନ ଆଗରେ ଠିଆ ହୋଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର କାଳୁ ଗୌଡ଼, ଶିବ ଗୌଡ଼, ଟୁକୁନା ଗୌଡ଼, ମନୋଜ ଗୌଡ଼, କାଲା ଗୌଡ଼, ସୋନୁ ଗୌଡ଼, ରାମକୃଷ୍ଣ ଗୌଡ଼ ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ତାଙ୍କୁ ଆକ୍ରମଣ କରିଥିଲେ।

ତାଙ୍କ ବେକରୁ ସୁନା ଚେନ୍‌ ଓ ସାର୍ଟ ପକେଟରୁ ଟଙ୍କା ଛଡ଼ାଇ ନେଇଛନ୍ତି ବୋଲି ମନୋଜ ଏତଲାରେ ଉଲ୍ଲେଖ କରିଛନ୍ତି। କାଳୁ ଗୌଡ଼ଙ୍କ ନାଁରେ ପୂର୍ବରୁ ଏକ ହତ୍ୟା ମାମଲା ରହିଛି। ସର୍ତମୂଳକ ଜାମିନରେ ସେ ଜେଲରୁ ମୁକୁଳି ଥିଲେ। ଗତ ୨୦୨୫ ନଭେମ୍ବର ୫ରେ ସହଦେବ ଟିକରପଡ଼ା ପଂଚାୟତର ସରପଂଚ ପ୍ରତିନିଧି ଶ୍ୟାମ ନାଇକଙ୍କୁ ଗାଁ ରାସ୍ତାରେ ହତ୍ୟା ଉଦ୍ୟମ ମାମଲାରେ କାଳୁ ଗୌଡ଼ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲେ। ସେ ଜାମିନ ପାଇ ମୁକୁଳିବା ପରେ ମନୋଜକୁ ଟାର୍ଗେଟ୍‌ କରିଥିଲା। କାଳୁଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ କାଠଫାଳିଆକୁ ତଦନ୍ତକାରୀ ଅଧିକାରୀ ଆଇଆଇସି ଜବତ କରିଛନ୍ତି।