ଚିତାବାଘ କବଳରୁ ଅଳ୍ପକେ ବଂଚି ଯାଇଛନ୍ତି ବାଇକ ଚାଳକ ଓ ଆରୋହୀ । ଆନ୍ଧ୍ରପ୍ରଦେଶର ତିରୁପତି ଅଂଚଳର ଘଟଣା । ନିଚ୍ଛାଟିଆ ରାତିରେ ରାସ୍ତାକଡ଼ ବୁଦା ଭିତରେ ଚିତାବାଘ ଲୁଚି ରହିବା କାହାକୁ ମାଲୁମ ନଥିଲା । ସବୁଦିନ ଲୋକମାନେ ସେହି ବାଟରେ ଚଳପ୍ରଚଳ କରନ୍ତି ।
କେହି କେବେ ଚିତାବାଘ ହାବୁଡ଼ରେ ପଡ଼ିନାହାନ୍ତି । ସବୁଦିନ ଭଳି ହଳେ ଦମ୍ପତି ଶନିବାର ଦିନ ବାଇକ ଚଳାଇ ଜଙ୍ଗଲିଆ ବାଟରେ ଯାଉଥିଲେ । ବୁଦାଭିତରୁ ସେମାନଙ୍କ ଉପରକୁ ଝାମ୍ପ ମାରିଲା ଚିତାବାଘ । ସୌଭାଗ୍ୟ କ୍ରମେ ଚିତାବାଘ କବଳରୁ ଖସିଗଲା ଚଳନ୍ତା ବାଇକ୍ ।
ବେଶ କିଛିବାଟ ବାଇକକୁ ପିଛା କରିବା ପରେ ବାଟ ଭାଙ୍ଗି ପଳାଇଲା ଚିତା । ଏମିତି ଏକ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଫୁଟେଜଟି ଚିତାବାଘ ପଛରେ ଯାଉଥିବା ଗୋଟିଏ କାରରେ ଖଞ୍ଜା ଯାଇଥିବା ଡ୍ୟାସ୍କମ୍ ଫୁଟେଜ । ଚର୍ଚ୍ଚାର ବିଷୟ ହେଉଛି, ଚିତାବାଘ କୋଉ ବୁଦାରୁ କୋଉ ସମୟରେ ବାଇକ ଉପରକୁ ଝାମ୍ପ ମାରିଲା ଓ ପଳାଇଲା, ସେ ସଂପର୍କରେ ସାମାନ୍ୟ ସୁରାକ ବାଇକ ଚାଳକ ଓ ଆରୋହୀ ଜାଣି ପାରିଲେନି ।