ସବୁଥିରୁ ବଂଚିତ ହୋଇ ବଡ଼ ଦହଗଞ୍ଜ ତୁଳାବତୀ

ସରକାରଙ୍କ ପ୍ରତ୍ୟେକ ଯୋଜନାର ଦାବିଦାର ବୋଲାଇବାକୁ ….

ଘୁ. ଉଦୟଗିରି: ବୟସ ତାଙ୍କୁ ପ୍ରାୟ ୯୦ ବର୍ଷ। ସରକାରଙ୍କ ପ୍ରତ୍ୟେକ ଯୋଜନାର ଦାବିଦାର ବୋଲାଇବାକୁ ହେଲେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ବ୍ୟାଙ୍କ ଖାତା ଓ ଘରବାରି ପଟ୍ଟା ଭଳି ଅତ୍ୟାବଶ୍ୟକ ନଥି ଦରକାର ପଡିଥାଏ। ବିଡ଼ମ୍ବନାର ବିଷୟ, କନ୍ଧମାଳ ଜିଲ୍ଲାରେ ଅନେକ ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଖରେ ଉପରୋକ୍ତ ନଥିପତ୍ର ନଥିବାରୁ ସେମାନେ ସରକାରୀ ସୁବିଧାରୁ ବଂଚିତ।
ଫିରିଙ୍ଗିଆ ବ୍ଲକର କାଶିନିପଦର ପଂଚାୟତ ଭାଲୁରୁ ଗାଁରେ ସ୍ୱର୍ଗତଃ ଲେବ କହଁରଙ୍କ ଝିଅ ତୁଳାବତୀ କହଁର। ତାଙ୍କ ନିକଟରେ ଆଧାର କାର୍ଡ ନାହିଁ। ଭୋଟ ପରିଚୟ ପତ୍ର ନାହିଁ। ବ୍ୟାଙ୍କ ଖାତା ଓ ଘରବାରି ପଟ୍ଟା ନାହିଁ। ତେଣୁ କୌଣସି ସରକାରୀ ଯୋଜନାର ହକ୍‌ଦାର ହୋଇପାରିନାହାନ୍ତି। ସେ ସାମାଜିକ ସୁରକ୍ଷା ଯୋଜନାର ବାର୍ଦ୍ଧକ୍ୟ ଭତା, ସାଧାରଣ ବଂଟନ ବ୍ୟବସ୍ଥାରେ ଚାଉଳ ଓ ଆବାସ ଯୋଜନାର ସୁବିଧା ପାଇନାହାନ୍ତି। ପରିବାରରେ କେହି ନଥିବାରୁ ବୃଦ୍ଧା ତୁଳାବତୀ ଏକାକୀ ଦୁଃଖକଷ୍ଟରେ ଜୀବନ ଯାପନ କରୁଛନ୍ତି। ଘରକୁ ଘର ଯାଇ ଭାତ ମାଗି ଜୀବନ ବିତାଉଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି; ଗ୍ରାମର କେହି ତୁଳାବତୀଙ୍କ ଦୁର୍ଦ୍ଦଶା ସଂପର୍କରେ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିନାହାନ୍ତି। ଏପରିକି ଗ୍ରାମର ୱାର୍ଡମେମ୍ବର ମଧ୍ୟ ତୁଳାବତୀଙ୍କ ପ୍ରତି ଉଦାସୀନ। ତେବେ ତୁଳାବତୀ କହନ୍ତି, ସେ ସରକାରୀ ବାବୁଙ୍କୁ ଦେଖା କରି ଏକାଧିକବାର ନେହୁରା ହୋଇଛନ୍ତି। ମାତ୍ର କୌଣସି ସରକାରୀ ଅଧିକାରୀ ତାଙ୍କ ପ୍ରତି ଦୃଷ୍ଟି ପକାଇନାହାନ୍ତି। ତାଙ୍କ ଦୁଃଖ ଶୁଣିନାହାନ୍ତି।
ତୁଳାବତୀଙ୍କ ଏହି ଅବସ୍ଥା ବିଷୟରେ ଖବର ପାଇ କିଛି ସମାଜସେବୀ ତାଙ୍କ ନିକଟରେ ପହଂଚିଥିଲେ। ବୃଦ୍ଧାଙ୍କୁ ଆବଶ୍ୟକ କାଗଜପତ୍ର ଓ ସରକାରୀ ସୁବିଧାର ହକ୍‌ଦାର କରିବା ପାଇଁ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ତୁଳାବତୀ ହେଉଛନ୍ତି ଭାତହାଣ୍ଡିରୁ ଗୋଟିଏ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କେତେ ଯେ ତୁଳାବତୀ ଏପରି ହିନସ୍ତା ଭୋଗୁଛନ୍ତି। ସେମାନଙ୍କ ଦୁଃଖ ଶୁଣିବାକୁ ସରକାରୀ ବାବୁଙ୍କ ନିକଟରେ ଇଛାଶକ୍ତି ନାହିଁ। ରାଜକୋଷରୁ ମାସକୁ ମାସ ଦରମା ଓ ଅନ୍ୟାନ୍ୟ ଭତା ପାଉଥିଲେ ମଧ୍ୟ ସରକାରୀ ବାବୁମାନେ ଗଣତନ୍ତ୍ରର ମାଲିକମାନଙ୍କ ପ୍ରତି ସାମାନ୍ୟ ଦୃଷ୍ଟି ପକାଉନାହାନ୍ତି। ବିଶେଷ କରି କ୍ଷେତ୍ର ଅଧିକାରୀମାନେ ସେମାନଙ୍କ ଦାୟିତ୍ୱ ପ୍ରତି ସଂପୂର୍ଣ୍ଣ ଉଦାସୀନ। ସରକାରୀ ବାବୁଙ୍କର ପାନରୁ ଚୂନ ଖସିଗଲେ ଚଳିବନି। ମାତ୍ର ତୁଳାବତୀଙ୍କ ଭଳି ବରିଷ୍ଠ ନାଗରିକଙ୍କୁ ସରକାରୀ ଅନୁଗ୍ରହରୁ ବଂଚିତ କରିଦେବା କିଛି ଅଧିକାରୀଙ୍କ ପକ୍ଷେ ଧରାବନ୍ଧା କାମ ହୋଇଚି।