ଡିଜିଟାଲ ନିର୍ଯାତନାର ଶିକାର ହୋଇ ହୃଦଘାତରେ ଚାଲିଗଲେ ବୟସ୍କ ଡାକ୍ତରାଣୀ

ଡିଜିଟାଲ ଯୁଗରେ ଡିଜିଟାଲ ଠକଙ୍କ ଉତ୍ପାତ ଦିନକୁ ଦିନ ଅସହ୍ୟ ହେଲାଣି । ଡିଜିଟାଲ ଠକଙ୍କୁ ସାବାଡ୍ କରିବା ଏବେ ପୁଲିସ ପାଇଁ ଏକ ଚାଲେଂଜ ପାଲଟିଛି ।

ଘଟଣାଟି ଏହିପରି, ସରକାରୀ ଡାକ୍ତରଖାନାରେ ବରିଷ୍ଠ ଅଧିକାରୀ ଭାବେ କାମ କରି ଅବସର ଗ୍ରହଣ କରିବା ପରେ ମାଲାକପେଟ୍ ଅଂଚଳରେ ରହୁଥିଲେ ୭୬ ବର୍ଷୀୟ ମହିଳା ।

କୌଣସି ସୂତ୍ରରୁ ତାଙ୍କ ଫୋନ୍ ନମ୍ବର ପାଇଯିବା ପରେ ଦଳେ ସାଇବର ଠକ ସେପ୍ଟେମ୍ବର ୬ ତାରିଖ ଦିନ ତାଙ୍କୁ ଫୋନ୍ କରି ବେଙ୍ଗାଲୁରୁ ପୁଲିସ ପରିଚୟ ଦେଇ ତାଙ୍କୁ ମାନବ ଚାଲାଣ ଅଭିଯୋଗରେ ଅଭିଯୁକ୍ତ କରି ଗିରଫଦାରି ଧମକ ପ୍ରଦାନ କଲେ ।

କେବଳ ଧମକ ଦେଲେନି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶିତ ଜାଲ କାଗଜପତ୍ର ପଠାଇ ଡରାଇଦେଲେ । ଡାକ୍ତରାଣୀ ଜଣକ ଅଯଥା ବଦନାମରୁ ରକ୍ଷା ପାଇବା ପାଇଁ ଟଙ୍କା ନେଇ ଦଫାରଫା କରି ଦେବାକୁ ଅନୁରୋଧ କଲେ ।

ଡାକ୍ତରାଣୀଙ୍କ ତୁଣ୍ଡରୁ ଏତକ ଶୁଣିବା ପରେ ସାଇବର ଠକ ପଲ ତାଙ୍କ ନିକଟରୁ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ଗଣିନେଲେ । ମହିଳା ଜଣକ ତାଙ୍କ ୟୁନିଅନ୍ ବ୍ୟାଙ୍କ ଆକାଉଂଟରୁ ଟଙ୍କା ହସ୍ତାନ୍ତର କରିଥିଲେ ।

ମାତ୍ର ମହିଳାଙ୍କୁ ନିସ୍ତାର ମିଳିଲାନି । ଠକମାନେ ବାରମ୍ବାର ଫୋନ୍ କରି ଟଙ୍କା ପାଇଁ ଧମକ ଦେଉଥିଲେ । ପ୍ରାୟ ତିନିଦିନ ଧରି ଠକ ପଲ ମହିଳାଙ୍କୁ ଲଗାତର ଫୋନ୍ କରି ଟଙ୍କା ଦାବି କରୁଥିଲେ ।

ଗିରଫଦାରି ବିଷୟ ଚିନ୍ତା କରି କରି ମହିଳା ଜଣକ ହୃଦଘାତର ଶିକାର ହେଲେ । ତାଙ୍କୁ ଡାକ୍ତରଖାନାକୁ ନିଆଗଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲିଗଲା ।

ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ଠକପଲକୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି ।