ଏକ ଲକ୍ଷ କୋଟି ଟଙ୍କାର ସ୍ୱପ୍ନ ଦେଖାଇଲେ ରାଜ୍ୟ ଶିଳ୍ପମନ୍ତ୍ରୀ
ଏକ ଲକ୍ଷ କୋଟି ଟଙ୍କାର ସ୍ୱପ୍ନ ଦେଖାଇଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ । ମୋଦୀ ସରକାରଙ୍କ ପୂର୍ବୋଦୟ ଭିଜନ୍ ଓ ବିକଶିତ ଓଡ଼ିଶା ପାଇଁ ମନ୍ତ୍ରୀ ମହୋଦୟ ପାରାଦୀପ ଅଂଚଳକୁ ଆୟୁଧ କରିଛନ୍ତି ।
ଅତୀତରେ ବହୁ ପ୍ରତିଷ୍ଠିତ କମ୍ପାନୀ ରାଜ୍ୟ ସରକାରଙ୍କ ସହିତ ବୁଝାମଣା କରି ପଛକୁ ହଟି ଯାଇଛନ୍ତି । କିନ୍ତୁ ବିଜେପି ଅମଳରେ ସେପରି କିଛି ହେବନି ବୋଲି ଆମ ଶିଳ୍ପମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି ।
ରାଜ୍ୟର ବନ୍ଦରାଂଚଳକୁ ନବରୂପ ଦିଆଯିବା ସହିତ ନୌବାଣିଜ୍ୟ କାରବାରକୁ ଜୋରଦାର କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।
ମୁମ୍ବାଇରେ ଅନୁଷ୍ଠିତ ୫ଦିନ ବ୍ୟାପୀ ଭାରତୀୟ ସାମୁଦ୍ରିକ ସପ୍ତାହରେ ଯୋଗଦାନ କରି ଓଡ଼ିଶାର ମୋହନ ସରକାର ଏକଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ସାଉଁଟିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ।
ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ବହୁ ଟାଣୁଆ ବାଣିଜ୍ୟ ଅଧିକାରୀ ମିଳିମିଶି ଗୋଟିଏ ବଡ଼ ଜାଲ ପକାଇଛନ୍ତି କିଛି ବହୁଦେଶୀୟ କମ୍ପାନୀକୁ ଧରିବା ପାଇଁ ।
କମ୍ପାନୀ ଧରାପଡ଼ିବା ପୂର୍ବରୁ ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ ସୁବର୍ଣ୍ଣରେଖା, ଅସ୍ତରଙ୍ଗ ଓ ଗଂଜାମ ଉପକୂଳ ବାହୁଡ଼ାକୁ ମିଶାଇ ଗଭୀର ସାମୁଦ୍ରିକ ନୌବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା କଥା କହିଛନ୍ତି ।
ଏଥିପାଇଁ ପ୍ରାୟ ୨୧ ହଜାର ୫୦୦ କୋଟି ଟଙ୍କା ନିବେଶ କରାଯିବ ।
ପାରାଦୀପ ଅଂଚଳରେ ପ୍ରାୟ ୫ ହଜାର ଏକର ପରିମିତ ଅଂଚଳରେ ସାଟେଲାଇଟ୍ ବନ୍ଦର ପ୍ରତିଷ୍ଠା କରାଯିବ । ବାହୁଡ଼ାରେ ଦ୍ୱିତୀୟ ବନ୍ଦର ପ୍ରତିଷ୍ଠା କରାଯିବ ।
କେନ୍ଦ୍ରାପଡ଼ାରେ ଜାହାଜ ତିଆରି ଓ ମରାମତି କାରଖାନା କରାଯିବ । ଏମିତି କେତେ ସପନ ଦେଖାଇଛନ୍ତି ଯାହାକୁ ଦେଖିବା ପାଇଁ ରାତି ଅଭାବ ପଡ଼ିଯିବ ।