‘ଏକ୍ ଅକେଲା ସବ୍ ପର୍ ଭାରି’: ବିଜେପି ଦାଉ ମୁଣ୍ଡାଇଛନ୍ତି ୫୨ ଭାଗ ପରିବାର
ବିକାଶର ଧାରା ଯେତେ ଆଗକୁ ଧାଉଁଛି, ଗ୍ରାମାଞ୍ଚଳର ଲୋକଙ୍କ ଉପରେ ଋଣ ବୋଝ ସେତିକି ପରିମାଣରେ ମାଡ଼ି ପଡୁଛି । ଗରିବଙ୍କ ବିକାଶ ପାଇଁ ସରକାର ଯେତେ ଯୋଜନା କରୁଛନ୍ତି, ସବୁ ଫେଲ ମାରୁଛି । ସରକାରଙ୍କ ଚାଷୀ ଓ ଚାଷ ସମ୍ବନ୍ଧୀୟ ଯୋଜନା ବସ୍ତୁତଃ ବିଫଳ ହେଉଛି । ‘ଗୋଦରା କୋଡେ ଯେତେ, ମାଡେ ସେତେ’ ଢଙ୍ଗରେ କ୍ଷମତାସୀନ ଦଳ ବା ମେଣ୍ଟ ଦେଶବାସୀଙ୍କ ପାଇଁ ମହାକାଳ ସାଜିଛି ।
ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ସର୍ବଦା ଋଣ ଉପରେ ନିର୍ଭର କରୁଛନ୍ତି । ସରକାରୀ ସହାୟତା ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିପାରୁନି । ନାର୍ବାଡ ପକ୍ଷରୁ ତିଆରି ଏକ ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନଗଢ଼ା ବିକାଶ ଗପକୁ ପଦାରେ ପକାଇ ଦେଇଛି । ମହିଳାଙ୍କ ଆର୍ଥିକ ବିକାଶ ପାଇଁ ସୁଭଦ୍ରା ଯୋଜନା ଫେଲ ମାରିଛି । ଚାଷୀଙ୍କ ନିକଟକୁ ଯାଉଥିବା ଟଙ୍କା ତେଜରାତି ଦୋକାନୀ ହାତକୁ ଚାଲିଯାଉଛି ।
ଦେଶରେ ଖଟିଖିଆଙ୍କ ସଂଖ୍ୟା ତୁଳନାରେ ଠକିଖିଆଙ୍କ ସଂଖ୍ୟା ଯଥେଷ୍ଟ ମାତ୍ରାରେ ବଢ଼ିଚାଲିଛି । ଜାତୀୟ ସ୍ତରରେ ଗ୍ରାମାଂଚଳରେ ୫୨ ଭାଗ ପରିବାର ଋଣବୋଝରେ ରହିଥିଲା ବେଳେ ଓଡ଼ିଶାର ଗ୍ରାମାଂଚଳରେ ୬୧ ଭାଗ ପରିବାର ଋଣବୋଝ ମୁଣ୍ଡାଇଛନ୍ତି । ଓଡ଼ିଶାର ଜଣେ ଗ୍ରାମାଞ୍ଚଳ ପରିବାର ମୁଣ୍ଡରେ ୩୫ ହଜାର ଟଙ୍କା ଋଣବୋଝ ଲଦା ଯାଇଥିଲା ବେଳେ ଗୁଜରାଟର ଗ୍ରାମାଞ୍ଚଳରେ ଗୋଟିଏ ଗରିବ ପରିବାର ମୁଣ୍ଡରେ ପ୍ରାୟ ଦେଢ଼ଲକ୍ଷ ଟଙ୍କାର ଋଣବୋଝ ଲଦା ଯାଇଛି ।
ଏଥିରୁ ଦେଶର ଜନତା ଭଲ ଭାବରେ ବୁଝି ନିଅନ୍ତୁ ଯେ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଭଳି ଲୋକମାନେ ଦେଶ ପାଇଁ ଖଳନାୟକ ନା ନାୟକ ।
ବିଗତ ୧୦ ବର୍ଷ ଭିତରେ ବିକାଶ ଆଳରେ ବିଜେପି ନେତୃତ୍ୱାଧିନ ମେଂଟ ସରକାର ଗ୍ରାମାଂଚଳ ପରିବାରଙ୍କୁ ଯେତିକି ସହାୟତା ପ୍ରଦାନ କରିଛି, ତା’ର ପ୍ରାୟ ୩୦ ଗୁଣ ଟଙ୍କା ଆତ୍ମସାତ୍ କରିଛି ।
ଜାତୀୟ ସ୍ତରରେ ଗ୍ରାମାଞ୍ଚଳ ପରିବାର ମୁଣ୍ଡରେ ପ୍ରାୟ ୯୦ ହଜାର ଟଙ୍କାର ଋଣବୋଝ ଲଦା ଯାଇଥିଲା ବେଳେ କେରଳର ପ୍ରତି ଗ୍ରାମାଞ୍ଚଳ ପରିବାର ମୁଣ୍ଡରେ ପ୍ରାୟ ୧ ଲକ୍ଷ ୯୯ ହଜାର ଟଙ୍କା ଋଣବୋଝ ରହିଛି । ମିଜୋରାମର ପ୍ରତି ଗ୍ରାମାଞ୍ଚଳ ପରିବାରଙ୍କ ମୁଣ୍ଡରେ ଋଣଭାର ଆପାତତଃ କମ୍ ରହିଛି । ଗୋଆରେ ପ୍ରତି ଗ୍ରାମାଞ୍ଚଳ ଚାଷୀ ପରିବାର ମୁଣ୍ଡରେ ଋଣଭାର ୧ ଲକ୍ଷ ୮୦ ହଜାର ଟଙ୍କା ରହିଛି । ପଞ୍ଜାବର ପ୍ରତି ଗ୍ରାମାଂଚଳ ପରିବାର ମୁଣ୍ଡରେ ଋଣଭାର ୧ ଲକ୍ଷ ୫୯ ହଜାର ଟଙ୍କା ରହିଛି । ଲଦାଖ, ଅରୁଣାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ତେଲେଙ୍ଗାନା, କର୍ଣ୍ଣାଟକ ଓ ମଣିପୁରରେ ପ୍ରତି ଗ୍ରାମାଂଚଳ ପରିବାର ୧ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଋଣବୋଝ ମୁଣ୍ଡାଇଛନ୍ତି ।