କାହା ପକେଟରୁ ଧନ ନେଇ ବିଜେପି ପାଳିଲା ମୋଦୀଙ୍କ ଜନ୍ମଦିନ ?
କାହା ପକେଟରୁ ଧନ ନେଇ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନଟିକୁ ମହା ଆଡମ୍ବର ସହକାରେ ପାଳନ କରିଛି ବିଜେପି । ସାଢ଼େ ଚାରିକୋଟି ଜନତାଙ୍କ ଝାଳବୁହା ଧନରେ ନା ବିଜେପି ଦଳୀୟ ପାଣ୍ଠିରେ? ଏମିତି ଏକ ପ୍ରଶ୍ନ ରାଜ୍ୟବାସୀଙ୍କ ଆଖିରେ ଦେଖିବାକୁ ମିଳିଛି ।
ମୋହନ ଚରଣ ମାଝି ଏକାଧାରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେପିର ଜଣେ ବରିଷ୍ଠ ନେତା । ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ପର୍ବରେ ମୋହନ ଚରଣ ମାଝିଙ୍କୁ ଦୁଇଟି ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ପଡ଼ିଥିଲା ।
ବିଜେପି କର୍ମୀଙ୍କ ସହିତ ମିଶି ଚାରା ପୋତୁଥିଲା ବେଳେ ସେ ଜଣେ ଦଳୀୟ ନେତା । ସରକାରୀ ପଦାଧିକାରୀ ଓ ବିଧାୟକଙ୍କ ଗହଣରେ ରହି ଚାରା ପୋତୁଥିଲା ବେଳେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ।
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନଟିକୁ ରାଜ୍ୟସ୍ତରରେ ପାଳନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅବା ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନଟିକୁ ରାଜ୍ୟସ୍ତରରେ ପାଳନ କରିଛନ୍ତି ମୋହନ ଚରଣ ମାଝି । କେମିତି ଗୋଟାଏ ଖାପ ଛଡ଼ା ଲାଗୁଛି ।
ଭୁବନେଶ୍ୱରର କୌଣସି ଗୋଟିଏ କଲେଜକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋଟିଏ ଚାରା ରୋପଣ କରିଦେଇ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନରେ ଏକ କୋଟି ୪୯ ଲକ୍ଷ ଚାରା ରୋପଣ କରିଥିବା ବିଷୟ ବଖାଣିଛନ୍ତି ।
ଗୋଟିଏ ଚାରା ରୋପଣ କରିଦେଇ ମୋହନ ଚରଣ ମାଝି ସେହି ଚାରାଟିକୁ ନରେନ୍ଦ୍ର ମୋଦୀଙ୍କୁ ଉତ୍ସର୍ଗ କଲେ କି ମା’କୁ ଉତ୍ସର୍ଗ କଲେ, ସେ କଥାଟିକୁ ଅସ୍ପଷ୍ଟ ରଖିଲେ ।
ଗଣମାଧ୍ୟମ ପ୍ରତିନିଧିଙ୍କ ଭିତରୁ ଅଧିକାଂଶ ମୋଦୀଙ୍କ ଜନ୍ମଦିନ ଅବସରରେ ଗଛ ପୋତା ଯାଇଥିବା ବିଷୟ ବୁଝୁଛନ୍ତି କାରଣ ପୂର୍ବରୁ ଖୋଦ ମୋହନ ଚରଣ ମାଝି କହିଥିଲେ ଯେ ମୋଦୀଙ୍କ ଜନ୍ମଦିନରେ ୭୫ ଲକ୍ଷ ଗଛ ପୋତାଯିବ । ଚାରା ପୋତୁ ପୋତୁ ତାହା କେତେବେଳେ ଏକ କୋଟି ୪୯ ଲକ୍ଷ ହୋଇଗଲା, ତା’ର ହିସାବ ଯାଂଚ କରୁକରୁ ସମସ୍ତଙ୍କୁ ଅବାକ କରି ଧସେଇ ପଶିଲେ ମା’ ।
ମୋଦୀଙ୍କ ଭଳି ଜଣେ ଅବତାର ପୁରୁଷଙ୍କ ଜନ୍ମଦିନ ପାଳନ କରୁକରୁ ପଶିଗଲେ ମା’ । ମା’ ପାଇଁ ଗଛଟିଏ ପୋତି ପକାଇଲେ ବିଜେପି ନେତା ଓ ରାଜ୍ୟର ସାଢ଼େ ଚାରିକୋଟି ଜନତା ।
ବିଜେପି କର୍ମୀ ଓ ନେତାଗଣ ହାତରେ ଝାଡୁ ଧରି ମାଷ୍ଟର କ୍ୟାଂଟିନ ନିକଟ ସିଟି ବସଷ୍ଟାଣ୍ଡଟିକୁ ଓଳାଇ ଓଳାଇ ସଫା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଉ ଝାଡୁଟିକୁ ଧରି ବସଷ୍ଟାଣ୍ଡ ଓଳାଇଥିଲେ, ସେଇ ଝାଡୁଟିକୁ ରାଜ୍ୟ ସଂଗ୍ରହାଳୟରେ ସାଇତି ରଖାଯିବା ଜରୁରୀ ।
ସବୁଠାରୁ ରୋଚକଦାୟକ ତଥ୍ୟ ହେଉଛି, ରାଜ୍ୟ ବିଜେପିରେ ପ୍ରାୟ ୪୦ ଲକ୍ଷ କର୍ମୀ ଅଛନ୍ତି ବୋଲି ସଭାପତି ମନମୋହନ ସାମଲ ଦାବି କରନ୍ତି । କିନ୍ତୁ ମାତ୍ର ଶତାଧିକ କର୍ମୀ ରକ୍ତଦାନ କରିଛନ୍ତି । ଅନ୍ୟ କର୍ମୀମାନେ କ’ଣ ରକ୍ତଦାନ କରୁଥିବା କର୍ମୀଙ୍କ ପାଟିରେ କଦଳୀ ଖୁଆଉଥିଲେ ।
ବିଜେପି କୃଷକ ମୋର୍ଚ୍ଚା ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ଜଗନ୍ନାଥପୁର, କୋରଡ଼କଂଟା ଓ କେଶୁରାରେ କେତୋଟି ଗଛ ପୋତିଛି, ସେହିସବୁ ଗଛକୁ ବୁଲାଷଣ୍ଢ, ବୁଲା ଗାଈଗୋରୁ କବଳରୁ ରକ୍ଷା କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି କି ନାହିଁ । ସେ ବିଷୟ ଟିକେ ଜଣାଇ ଦିଆଯିବା ଦରକାର ।