ତହସିଲ ନାକ ତଳୁ ଲୁଟ୍ ହେଉଛି ସରକାରୀ ସମ୍ପତ୍ତି

କାହା ପାଇଁ ଛୁଟି? ସରକାରୀ ବାବୁଙ୍କ ପାଇଁ ନା ମାଫିଆଙ୍କ ପାଇଁ

​କାକଟପୁର: ସରକାରୀ ଜମିର ସୁରକ୍ଷା ଯେଉଁମାନଙ୍କ କାନ୍ଧରେ, ସେମାନଙ୍କ ଆଖି ଆଗରେ ହିଁ ସରକାରୀ ସମ୍ପତ୍ତିକୁ ହରିଲୁଟ୍‌ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଲୁଟି ନେଲେ ସମସ୍ତେ ଚୁପ୍।କାକଟପୁର ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରଶାସନିକ ସ୍ୱଚ୍ଛତାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଜବରଦଖଲ ପୂର୍ବକ ଏକ ବେଆଇନ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ତହସିଲଦାରଙ୍କ ସରକାରୀ ବାସଭବନ ନିକଟରେ ଏଭଳି ଦୁଃସାହସିକ କାର୍ଯ୍ୟ କରାଯାଇଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନର ନିରବତା ଏବେ ଅନେକ ସନ୍ଦେହ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, କାକଟପୁର ତହସିଲ ଅନ୍ତର୍ଗତ ମୁଳାଗଡ଼ ମୌଜାର ଖାତା ନଂ ୫୪୫/୧୬୩ ଏବଂ ପ୍ଲଟ ନଂ ୪୪୮୯ରେ ଥିବା ସରକାରୀ ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ନିଜ କବଜାକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ନିମାପଡ଼ା-ଅସ୍ତରଙ୍ଗ ମୁଖ୍ୟ ରାସ୍ତାଠାରୁ ମାତ୍ର ୫୦-୬୦ ଫୁଟ ଦୂରରେ ଥିବା ଏହି ମୂଲ୍ୟବାନ ଜମିକୁ ଲାଗି କିଛି ବ୍ୟକ୍ତିଙ୍କ ଚାଷ ଜମି ରହିଛି। ନିଜର ଚାଷ ଜମିକୁ ‘ଘରବାରି’ କିସମରେ ପରିବର୍ତ୍ତନ କରି ଚଢ଼ା ଦରରେ ପ୍ଲଟିଂ କରି ବିକ୍ରି କରିବା ଉଦ୍ଦେଶ୍ୟରେ ଏହି ବେଆଇନ ରାସ୍ତା ନିର୍ମାଣ କରାଯାଇଛି। ମାର୍ଚ୍ଚ ମାସରେ ଏକାଧିକ ଛୁଟିର ସୁଯୋଗ ନେଇ ରାତାରାତି ଜେସିବି ଲଗାଇ ପ୍ରାୟ ୧୫୦ ଫୁଟ ଲମ୍ବ, ୧୦ ଫୁଟ ଓସାର ଏବଂ ୩ ଫୁଟ ଉଚ୍ଚତାର ଏକ ମାଟି ରାସ୍ତା ତିଆରି କରାଯାଇଛି। ​

ଭିତିରି ବୁଝାମଣା ନେଇ ଚର୍ଚ୍ଚା ​ସାଧାରଣ ଲୋକଟିଏ ନିଜ ଜମିରେ କିଛି କାମ କଲେ ରାଜସ୍ୱ ବିଭାଗର ନଜର ପଡୁଥିବା ବେଳେ, ତହସିଲ ପରିସରରେ ଏଭଳି ବେଆଇନ କାର୍ଯ୍ୟ କିଭଳି କାହାରି ନଜରକୁ ଆସିଲାନି, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ହେଉଛି ଯେ, ତହସିଲର କିଛି ଅସାଧୁ କର୍ମଚାରୀ ଓ ମଧ୍ୟସ୍ଥିଙ୍କ ସହାୟତାରେ ମୋଟା ଅଙ୍କର ଅର୍ଥ କାରବାର କରି ଏହି ଜବରଦଖଲକୁ ପ୍ରଶ୍ରୟ ଦିଆଯାଇଛି।

ବିନା କୌଣସି ସରକାରୀ ଅନୁମତି ବା କାଗଜପତ୍ରରେ ସରକାରୀ ଜମିକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ସୁଦ୍ଧା ମାଫିଆମାନେ ଏହାକୁ ଖାତିର କରିନାହାନ୍ତି। ​ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସରକାରୀ ସମ୍ପତ୍ତିକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଏହି ବେଆଇନ ରାସ୍ତାକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଏ, ତେବେ ଆଗକୁ ଏହି ମୂଲ୍ୟବାନ ସରକାରୀ ଜମି ସମ୍ପୂର୍ଣ୍ଣ ଭାବେ ମାଫିଆଙ୍କ ହାତକୁ ଚାଲିଯିବାର ଆଶଙ୍କା ରହିଛି। କାକଟପୁର ତହସିଲ କାର୍ଯ୍ୟାଳୟ ଜମି ମାଫିଆ ଙ୍କ ଗଡ଼ ସାଜିଥିବା କଥାକୁ ଏଡାଇ ହେବନାହିଁ।

ଗତ କିଛି ଦିନ ତଳେ ଲୋକଦେଖାଣିଆ ଭାବେ ତହସିଲ କାର୍ଯ୍ୟାଳୟ ଠାରୁ ୧୦ କିଲୋମିଟର ଦୂରରେ ଇଟା ଭାଟି ଭଙ୍ଗା ହେଲା କିନ୍ତୁ ୧୦୦ ମିଟରେ ବର୍ଷକ ବାରମାସ ଇଟା ଭାଟି ଚାଲୁଛି କାହା ଦୟାରେ ୧୦୦ ମିଟରେ ଦୂରରେ ବିନା ଘରବାରୀରେ ଅଟ୍ଟାଳିକା କାହାକୁ ଘଣ୍ଟ ଘୋଡାଉଛନ୍ତି ଏମିତି ଅନେକ ଘଟଣା ର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସମାଜସେବୀ ସୀମାନ୍ତ କେଶରୀ ମହାନ୍ତି।