ଓଡିଶା ଭଳି ରାଜ୍ୟରେ ନବମ ଶ୍ରେଣୀ ପିଲା ବହି ବସ୍ତାନିରୁ ବାହାରୁଛି ବନ୍ଧୁକ । ଯୋଉ ବୟସରେ ଦୁନିଆକୁ ଚିହ୍ନିବା ଦରକାର । ସେହି ବୟସରେ ବନ୍ଧୁକ କଥା ମନକୁ ଆସିଲା! ତା’ ପୁଣି ଶ୍ରେଣୀଗୃହରେ । ଏହାକୁ ଶିକ୍ଷାର ଅବକ୍ଷୟ କହିବା ନା ଅଭିଭାବକ ପଣିଆକୁ କାଠଗଡାରେ ଛିଡା କରାଇବା? ଯେଉଁ ବସ୍ତାନି ଆମ ଭାଗ୍ୟ ଓ ଭବିଷ୍ୟତକୁ ଧରିଥାଏ, ସେଥିରୁ ବନ୍ଧୁକ ବାହାରିଲାଣି । ଭୟ, ରାଗ ଓ ଚିନ୍ତା ମନକୁ ଘାଂଟି ଦେଉଛି । କେନ୍ଦ୍ରାପଡା ଗରଦପୁର ବ୍ଲକ କୁଦାନଗରୀ ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ର ବ୍ୟାଗରେ ବନ୍ଧୁକ ନେଇ ସ୍କୁଲ ଯାଇଥିଲେ । ପୁଲିସକୁ ଡକାଗଲା । ପୁଲିସ୍ ସ୍କୁଲ ଯାଇ ଜବତ କଲା ବନ୍ଧୁକ । ସମାନ ଘଟଣା ବାଲେଶ୍ୱରରେ । ରେମୁଣା ବ୍ଲକ୍ ଶ୍ରୀଜଙ୍ଗ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ନିଜ ବସ୍ତାନିରେ ବନ୍ଧୁକ ନେଇ ସ୍କୁଲ ଯାଇଥିଲେ । ସ୍କୁଲରେ ଖେଳିଗଲା ଭୟ ଓ ଆତଙ୍କ । ପୁଲିସକୁ ଖବର ଗଲା । ତା’ପରେ ବ୍ରେକିଂ ନୁ୍ୟଜ୍ । ହୋହଲ୍ଲା, ପାଟିତୁଣ୍ଡ । ଏବେ ଝଡ ପରେ ନିରବତା । ଏ ଦୁଇଟି ଘଟଣା ପ୍ରତି ବିଚାର କଲେ, ସାମାଜିକ ସଂକଟର ଚିତ୍ର ଜଳଜଳ । କେବଳ ସେତିକି ନୁହଁ, କନ୍ଧମାଳ ଜିଲ୍ଲା ଟିକାବାଲି ଅଂଚଳରେ ଦୁଇ ଜଣ ସ୍କୁଲ ଛାତ୍ର ମଦ ପିଇ ଅଚେତ ହେବାର ଭାଇରାଲ ଭିଡିଓ ପାଦ ତଳୁ ମାଟି ଖସାଇ ଦେଇଛି ।
ଦେବୀ ସରସ୍ୱତୀଙ୍କ ପୂଜା ଦିନ ଦୁଇ ଛାତ୍ର ସ୍କୁଲ ୟୁନିଫର୍ମରେ ହଷ୍ଟେଲରୁ ଗଲେ କେମିତି? ମଦ କେଉଁଠୁ କିଣିଲେ ଓ ପିଇଲେ ତାହା ବଡ ପ୍ରଶ୍ନ ଛିଡା କରାଇଛି । ପିଲାଙ୍କର ଏଭଳି ବିଶୃଙ୍ଖଳିତ କାର୍ଯ୍ୟ ଯେତିକି ଚିନ୍ତାଜନକ ସେତିକି ଲଜ୍ଜାଜନକ । ଆମର ଗତି କୁଆଡେ? ଗୋଦରା କୋଡେ ଯେତେ ମାଡେ ସେତେ ଭଳି ଆମେ ଖାଲି ଆଗକୁ ଯାଉଛୁ । ଆମ ମୂଳଦୁଆ ଉଇ ଖାଇଲାଣି । ଶିକ୍ଷକ, ଅଭିଭାବକ, ସାମାଜିକ ବ୍ୟବସ୍ଥା କାହାକୁ ଦାୟୀ କରିବା? ସା ବିଦ୍ୟା ଯା ବିମୁକ୍ତୟେ । ଆମ ଶିକ୍ଷାର ସ୍ଥିତି କେଉଁଠି? ଶ୍ରେଣୀଗୃହରେ ପିଲାଟିଏ କେବଳ ପାଠ୍ୟକ୍ରମରେ ବାନ୍ଧି ହୋଇରହୁଛି ନା ସଂସ୍କାର ଶିଖୁଛି? ନୈତିକ ଶିକ୍ଷା ଏବେ କେଉଁଠି? ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ବିଶ୍ୱାସର ସଂକଟ । ଭରସା ନାହିଁ କି ସଂପର୍କରେ ମଧୁରତା ନାହିଁ । ସବୁ ଯେମିତି ରଙ୍ଗହୀନ ଓ ବାସ୍ନାଶୂନ୍ୟ । ପିଲାଟିଏ ଘରେ କ’ଣ କରୁଛି ସେ ଖବର ଶିକ୍ଷକ ରଖୁନାହାନ୍ତି । ସ୍କୁଲରେ ପିଲା କ’ଣ କରୁଛି ଅଭିଭାବକ ଜାଣୁନାହାନ୍ତି । ଆମେ କେବଳ ପିଲାଙ୍କୁ ଚାକିରିର ‘ମାୟାମୃଗ’ ଦେଖାଉଛୁ । ସେ ଦୌଡୁଛନ୍ତି…ଦୌଡୁଛନ୍ତି । ଠିକ୍ ଚାବିଦିଆ କଣ୍ଢେଇ ଭଳି । ଆମ ଶିକ୍ଷା ବ୍ୟବସ୍ଥା ମାର୍କ ଏବଂ କ୍ୟାରିୟର ପଛରେ ଦ୍ରୁତବେଗରେ ଦୌଡୁଛି । ‘ଭଲ ମଣିଷ’ ହେବାକୁ ନୈତିକ ଶିକ୍ଷା ପାଇଁ ସମୟ କାହିଁ? ସକାଳୁ ସଂଜ ଏବେ ଖାଲି ପାଠ ଆଉ ପାଠ । ପାହାନ୍ତା ପହରରୁ ଅଧାରାତି । ସତେ ଯେମିତି ହାତ ପାଦରେ ବେଡି । ଭୋଅରୁ ଉଠିବା ମାତ୍ରେ ଆଖି ଆଗରେ ଗଦା ଗଦା ବହି । ସ୍ୱପ୍ନ ପୂରଣ କରିବାକୁ ପ୍ରତିଟି ମୁହୂର୍ତ ସହ ଅହରହ ଲଢ଼େଇ । ଏମିତି ଆମ ତରୁଣମାନଙ୍କର ଜୀବନ । ମାନସିକ ଚାପ, ହତାଶା ଓ ଅବସାଦର ଗ୍ରାଫ୍ ଉପରମୁହାଁ । କ୍ୟାରିୟରରେ ଆଗକୁ ଯିବାକୁ ମାରାଥନ୍ ଦୌଡ । ଶ୍ରେଣୀଗୃହରେ ପିଲାଙ୍କ ଉପରେ ଶିକ୍ଷକଙ୍କ ନିୟନ୍ତ୍ରଣ ନାହିଁ । ଚିନ୍ତା, ଚାପ, ଭୟ, ହତାଶ, ଦ୍ୱନ୍ଦ୍ୱ ଆଉ ଶଙ୍କାର ଚକ୍ରବୁୂହରେ ପିଲାମାନେ ଏବେ ବିଭ୍ରାନ୍ତ । ପିଲାଙ୍କ ବସ୍ତାନିରୁ ବନ୍ଧୁକ ଆଉ ମଦ ବୋତଲ ମିଳିବା ଆମ ସାମାଜିକ ଅବକ୍ଷୟକୁ ବିଦ୍ରୁପ କରୁଛି ।
ପ୍ରଶ୍ନ ଉଠୁଛି କେଉଁଠୁ ଆସିଲା ବନ୍ଧୁକ ଆଉ ମଦ? ହାଇସ୍କୁଲ ପିଲା ଏହା ପାଇଲା କେଉଁଠୁ? ଶିକ୍ଷା, ସଂସ୍କାର ଓ ମୂଲ୍ୟବୋଧ କେମିତି ଆକଟ କଲାନି । ସବୁକିଛି କ’ଣ ଏବେ କବର ତଳେ? ସ୍କୁଲଗୁଡିକରେ ନୈତିକ ଶିକ୍ଷା, ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦିଆଯାଉ ନାହିଁ । ଆମ ସମାଜ ଆଉ ବ୍ୟବସ୍ଥା ଏବେ ଦ୍ରୁତ ବଦଳୁଛି । ଯାହା ପିଲାମାନଙ୍କ ମାନସିକତାକୁ ସିଧାସଳଖ ପ୍ରଭାବିତ କରୁଛି । ଆମ ଜେନ୍ ଜି ଏବେ ଡିଜିଟାଲ୍ ଦୁନିଆ ଓ ଅପସଂସ୍କୃତି କବଳରେ । ଇଂଟରନେଟ୍ ଖୋଲିଲେ ହିଂସାତ୍ମକ ଭିଡିଓ ଗେମ୍ ଆଉ ଅଶାଳୀନ ବିଷୟବସ୍ତୁ । ଅଭିଭାବକଙ୍କ ପାଖରେ ପିଲାଙ୍କ ପାଇଁ ସମୟ ନାହିଁ । ସ୍ମାର୍ଟଫୋନ୍ ମାୟାଜାଲରେ ପିଲାମାନେ ବନ୍ଧା । ପରିବାରର ବନ୍ଧନ ଏବେ ହୁଗୁଳା । ସ୍ନେହ ମିଳୁନି କି ଶୃଙ୍ଖଳା । ସ୍କୁଲ ପାଖରେ ମଦ ଦୋକାନ । ଖେଳନା ଭଳି ବନ୍ଧୁକ ବି ସହଜରେ ମିଳିଲାଣି । ଆମର ଗତି କୁଆଡେ? ହାଇସ୍କୁଲ ପିଲା ମଦ ନିଶାରେ ଚୁର୍ ହେବା ଅବା ବନ୍ଧୁକ ଧରିବା ଆମ ଶିକ୍ଷା ବ୍ୟବସ୍ଥା ଓ ପାରିବାରିକ ସଂସ୍କାରକୁ କାଠଗଡାରେ ଛିଡା କରାଇନି କି?
ରାକ୍ଷସ, ସଇତାନ, ବିଷ ଅବା ନିଶାପାଣି । ଗୋଟିଏ ପାନୀୟ ଦ୍ରବ୍ୟ ‘ମଦ’ । ଭଳିକି ଭଳି ଏମିତି ଅନେକ ନାଁ । ନିଶା ଯେଉଁଠି, ନିରାଶା ସେଇଠି । ଏ ମଦ ନିଶା ପରିବାର ଉଜାଡୁଛି । ଜୀବନ ବି ନେଉଛି । କାୟା ମେଲାଇ ଚାଲିଛି ନିଶା ସମ୍ରାଟ । ଆମ ଭବିଷ୍ୟତ ପିଢ଼ିଙ୍କୁ ନିଜ ଆଡକୁ ଟାଣିବାକୁ ନିଶା ଜାଲ ଫିଙ୍ଗିଲାଣି । ପିଲା ଧରା ଦେଲେଣି । ଆଗକୁ କ’ଣ ହେବ ସ୍ଥିତି? ମଣିଷ ତିଆରି କରୁଥିବା ସ୍କୁଲରେ ମଦ ଆଉ ବନ୍ଧୁକର ପ୍ରତିଯୋଗିତା ଚାଲିବ?
ରାଜ୍ୟକୁ ଧୀରେଧୀରେ ମଦ ଗିଳିବାକୁ ବସିଲାଣି । ଚୋରି, ଦୁଷ୍କର୍ମ ସଂଖ୍ୟାର ଗ୍ରାଫ୍ ଉପରକୁ ମାଡି ଚାଲିଛି । ଆମ ରାଜ୍ୟର ଯୁବପିଢ଼ି ମଦ ନିଶାରେ ପୂରା ଚୁର୍ । ଏବେ ସ୍କୁଲପିଲାଙ୍କୁ କବଳିତ କରିବାକୁ ଯାଉଛି ନିଶା । ସରକାର ଲଗାମ ଲଗାନ୍ତୁ । ଶିକ୍ଷାନୁଷ୍ଠାନ ପାଖରେ ନିଶା କାରବାର ବନ୍ଦ କରନ୍ତୁ । ସହରରୁ ମଦ ଏବେ ଭାୟା ଗାଁ ଛକ ହୋଇ ସ୍କୁଲ ବସ୍ତାନିରେ ପଶିଲାଣି । ମଦ ମାୟାରେ ପିଲାଏ ବାୟା ହେବାକୁ ଆଉ କେତେ ବା ଦିନ? ଆଜିର ପିଲାମାନେ ବାସ୍ତବ ଦୁନିଆ ଅପେକ୍ଷା ଡିଜିଟାଲ୍ ଦୁନିଆରେ ଅଧିକ ସମୟ କାଟୁଛନ୍ତି ।
ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମରେ ଦେଖାଯାଉଥିବା ହିଂସାତ୍ମକ ‘ୱେବ୍ ସିରିଜ୍’ ମନରେ ଛାପ ପକାଉଛି । ବନ୍ଧୁକ ଧରିବା ବା ନିଶା ସେବନ କରିବାକୁ ପିଲା ‘ଷ୍ଟାଇଲ୍’ ଭାବୁଛନ୍ତି । ସରକାରଙ୍କ ମଥାରେ ପାପ ବୋଳି ଆମେ ଖସିଗଲେ ହେବନି । ଅଭିଭାବକମାନେ ନିଜେ ନିଜକୁ ପ୍ରଶ୍ନ କରନ୍ତୁ । ପିଲାଙ୍କୁ ‘ଲମ୍ବା ରେସ୍ର ଘୋଡା’ କରିବାକୁ ଯାଇ ଆମେ ମଣିଷ ନୁହଁ, ମେସିନ୍ କରିବାକୁ ବେଶ୍ ପରିଶ୍ରମ କରୁଛୁ । ପିଲାଙ୍କୁ ସମୟ ଦେଉନୁ । ହାତରେ ମହଙ୍ଗା ମୋବାଇଲ୍ ଧରାଇ ଦେଉଛୁ । ଦିନସାରା ପିଲା କ’ଣ ଦେଖୁଛି ବା କାହା ସହ ମିଶୁଛି, ତାହା ଉପରେ ଆମର ନଜର ନାହିଁ । କେବେ ପିଲାର ମନର ଭାବନାକୁ ଆମେ ପଢ଼ିଛୁ? ସଂସ୍କାରର ଅଭାବ ହିଁ ସେମାନଙ୍କୁ ଅବାଟରେ ନେଉଛି । ସମୟ ଆସିଛି, ଆମକୁ ସଜାଗ ହେବାକୁ ହେବ । ସେମାନଙ୍କୁ ସମୟ ଦେବାକୁ ହେବ । ସାଙ୍ଗ ଭଳି କଥା ହେବାକୁ ପଡିବ । ନୈତିକତା, ସଂସ୍କାରର ପାଠ ପଢ଼ାଇବାକୁ ହେବ । ରାଜ୍ୟରେ ଘଟିଥିବା ଏ ଘଟଣାଗୁଡିକୁ ସରକାର ଗମ୍ଭୀରତାର ସହ ନିଅନ୍ତୁ । ତର୍ଜମା କରନ୍ତୁ । ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନେ ନିରବତା ଭାଙ୍ଗନ୍ତୁ । ଅଭିଜ୍ଞତା ଓ ଅନୁଭବରେ ମାର୍ଗଦର୍ଶନ କରନ୍ତୁ । ଗୋଟିଏ ସୁସ୍ଥ ଶିକ୍ଷା ବ୍ୟବସ୍ଥା ହିଁ ଏକ ସୁସ୍ଥ ସମାଜ ଗଢ଼ିପାରିବ । ସରକାର ଚରିତ୍ର ଗଠନ ସହ ନୈତିକ ଶିକ୍ଷାର ଧାରାକୁ ଉସôାହିତ କରନ୍ତୁ । ସମୃଦ୍ଧ ଓଡିଶା ଗଠନ ପାଇଁ ଶିକ୍ଷାର ସ୍ୱାସ୍ଥ୍ୟକୁ ସଜାଡନ୍ତୁ । ପ୍ରକୃତ ଶିକ୍ଷା ହିଁ ମଣିଷକୁ ଅନ୍ଧାରରୁ ଆଲୁଅକୁ ନେବ ।