Headless Odisha, ମୁରବି ବିହୀନ ଓଡ଼ିଶା: ଚାପି ଦିଆଗଲା ପୁଲିସି ଚାକିରି ମହାଦୁର୍ନୀତି

Headless Odisha, ମୁରବି ବିହୀନ ହୋଇଯାଇଛି ଓଡ଼ିଶା । ଏଠି ମୁଖ୍ୟମନ୍ତ୍ରୀ ପଦବୀ ମଣ୍ଡନ କରିଥିବା ବ୍ୟକ୍ତି ତାଙ୍କ ବେପାରରେ ବ୍ୟସ୍ତ ।

ମୁଖ୍ୟ ଶାସନ ସଚିବ ତାଙ୍କ କାମରେ ବ୍ୟସ୍ତ । ପୁଲିସ ପ୍ରଶାସନ ତା’ ବେଉସାରେ ବ୍ୟସ୍ତ ।

ବିରୋଧୀ ଦଳଗୁଡ଼ିକ ଦଳୀୟ ସାଇନ୍ ବୋର୍ଡ ସଫା କରିବାରେ ବ୍ୟସ୍ତ ।

ମା’ ଭଉଣୀ ସୁଭଦ୍ରା ଟଙ୍କା ପାଇ ନିରବ । କଲେଜ ଛାତ୍ରଛାତ୍ରୀ ହାତଖର୍ଚ୍ଚ ପାଇ ଚୁପଚାପ୍ । ବାଳୁତ ପିଲାଗୁଡ଼ିକ ଅଣ୍ଡା ପାଇ ଚୁପ । ବୁଢ଼ାବୁଢ଼ୀ ଭତ୍ତା ପାଇ ଚୁପ ।
ରାଜ୍ୟ ଶାସନ କୁଆଡ଼େ ଯାଉଛି, ସେଥିପ୍ରତି କାହାର ନିଘା ନାହିଁ ।

ସବୁ ଘାତ ପ୍ରତିଘାତ ଭିତରେ ହାତଗଣତି ଗଣମାଧ୍ୟମ ସେମାନଙ୍କ ସାମାଜିକ କର୍ତ୍ତବ୍ୟକୁ ଠିକ ଭାବରେ ପାଳନ କରୁଛନ୍ତି ।

ରାଜ୍ୟର ପ୍ରକୃତ ଶାସକମାନେ ସଚେତନ ନହେଲେ, ଗଣମାଧ୍ୟମ କେତେ ତୁମ୍ବିତୋଫାନ କରୁଥିବେ । ବୋବାଳି ଛାଡ଼ି ହାଲିଆ ହୋଇଯିବା ପରେ ଥଣ୍ଡା ପଡ଼ିଯିବେ ।

ଏମିତି ଏକ ମାନସିକତାର ବଶବର୍ତ୍ତୀ ହୋଇ ପୁଲିସ ପ୍ରଶାସନ ତା’ର ଚାକିରି କେଳେଙ୍କାରୀ ମହାଦୁର୍ନୀତିକୁ ଚାପି ଦେଇଛି । ନୂଆପଡ଼ା ଉପ-ନିର୍ବାଚନ ମଉକା ଦେଖି ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ତା’ର ହୀନ ଚାଲ ଚଳାଇବା ଆରମ୍ଭ କରିଛି ।

ରାଜ୍ୟ କ୍ରାଇମ୍ ବ୍ରାଂଚ୍ ପୁଲିସ ଚାକିରି କିଣାବିକା ମାମଲାର ତଦନ୍ତ ଜାରି ରଖିଛି । କିନ୍ତୁ ଓପିଆରବି ତା’ର ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟ ତିଆରି କରି ନିଜକୁ ଧୁଆମୁଗ ବୋଲାଇଛି । ପୁଲିସ ପ୍ରଶାସନର କିଛି ଉଚ୍ଚ ଅଧିକାରୀ ମାମଲାକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି ।

ପୁଲିସି ଚାକିରି ବିକାକିଣା ମାମଲାରେ ବିଜେଡି, ବିଜେପି ସିଧାସଳଖ ଜଡ଼ିତ ରହିଛି । ମାମଲାଟି ଯେତେ ଜଲଦି ଥଣ୍ଡା ପଡ଼ିଯିବ, ଲୋକମାନଙ୍କ ମାନସପଟରୁ ସେତେ ଜଲଦି ଲିଭିଯିବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁଲିସ ଚାକିରି ବେପାରରେ ଜଡ଼ିତ ଦୋଷୀଙ୍କୁ ଆଦୌ ଛାଡ଼ିବେନି ବୋଲି ଦୃଢ଼ତାର ସହିତ କହିଛନ୍ତି ।

କିନ୍ତୁ ଜଣାପଡୁଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରୁ ତାଗିଦ ପାଇବା ପରେ ମୋହନ ବାବୁଙ୍କ ମନ ବିବେକ ଓ ମସ୍ତିଷ୍କ ଏବେ ନୂଆପଡ଼ାରେ ବିଜେପିକୁ ଜିତାଇବା ବାଟରେ ବ୍ୟସ୍ତ ଅଛି । ଓପିଆରବି ମାମଲାରେ ତାଙ୍କର ଆଉ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ ।

ଏବେ ପୁଲିସ ପ୍ରଶାସନକୁ ଦାୟୀ କରିବାର ସାହସ କାହା ନିକଟରେ ଅଛି?