160×600
160×600

ଖରାରୁ ମିଳିବନି ଆଶ୍ୱସ୍ତି, ଆହୁରି ୫ ଦିନ ଜାରି ରହିବ ହିଟୱେଭ୍

ଖରାରୁ ମିଳିବନି ଆଶ୍ୱସ୍ତି, ଆହୁରି ୫ ଦିନ ଜାରି ରହିବ ହିଟୱେଭ୍

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୫ ଦିନ ପର୍ୟ୍ୟନ୍ତ ମଧ୍ୟ ଏହା ଜାରି ରହିବ। ତା’ ମଧ୍ୟରୁ ଦୁଇ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ତେବେ ୭ ତାରିଖ ବେଳକୁ କାଳବୈଶାଖୀର ପ୍ରଭାବରେ ପୂରା ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲ୍‌ସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।

ସେ କହିଛନ୍ତି, ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଦୁଇ ଦିନ ପାଇଁ ଟ୍ୱିଟ୍ ସିଟି- ଭୁବନେଶ୍ୱର ଓ କଟକ ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ବୌଦ୍ଧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଉ କିଛି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨ ତାରିଖ ପରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। କିନ୍ତୁ ୬ ତାରିଖ ପରେ ଅର୍ଥାତ୍ ୭ ତାରିଖ ବେଳକୁ ପୂରା ରାଜ୍ୟରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

ଦୁଇ ଦିନ (ଆଜି ଓ କାଲି) ସିଭିୟର ହିଟ୍‌ୱେଭ୍ ସ୍ଥିତି ରହିବାକୁ ଥିବା ବେଳେ ଆସନ୍ତାକାଲିଠାରୁ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହିଟ୍‌ୱେଭ ସ୍ଥିତି ରହିବାର ସମ୍ଭାବନା ରହିଛି। ତାପମାତ୍ରା ଧୀରେ ଧୀରେ କମିବ। କିନ୍ତୁ ୫ ଦିନ ପାଇଁ ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ। ୬ ଓ ୭ ତାରିଖ ଆଡ଼କୁ କାଳବୈଶାଖୀର ସମ୍ଭାବନା ରହିଛି। ତେଣୁ ୬ ତାରିଖ ପରେ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ। ୬ ତାରିଖରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ। ବର୍ଷା ଯୋଗୁ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି।