ପୁଣିଥରେ ତେଲ କିଣିବାକୁ ଭାରତକୁ ଇରାନର ଅପିଲ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି । ଆମେରିକାର ପ୍ରତିବନ୍ଧ ସତ୍ତେ୍ୱ ଋଷ ବଜାରରୁ ଭାରତ ତେଲ କିଣିବା ଜାରି ରଖିଛି । ଇତିମଧ୍ୟରେ ଇରାନ ମଧ୍ୟ ଭାରତ ସହ ତେଲ ବ୍ୟାପାର ଆରମ୍ଭ କରିବାକୁ ନେଇ ଆଗ୍ରହ ପ୍ରକାଶ କରିଛି । ଋଷ ମଡେଲକୁ ଅନୁସରଣ କରି ଭାରତ ତେଲ କିଣୁ ବୋଲି ଇରାନ ଚାହୁଁଛି ।

ଋଷ ଓ ୟୁକ୍ରେନ ଯୁଦ୍ଧକୁ ଦୃଷ୍ଟିରେ ରଖି ପଶ୍ଚିମୀ ପ୍ରତିବନ୍ଧକୁ ଅଣଦେଖା କରି ଋଷଠାରୁ ଭାରତ ତେଲ କିଣୁଛି । ସୂଚନାଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡା ପ୍ରତିବନ୍ଧ ଲଗାଇବା ପରେ ଭାରତ ୨୦୧୯ ମେ’ରୁ ଇରାନଠାରୁ ତେଲ କିଣିବା ବନ୍ଦ କରିଦେଇଛି । ପ୍ରତିବନ୍ଧ ପୂର୍ବରୁ ଚୀନ ପରେ ଭାରତ ଥିଲା ଇରାନଠାରୁ ସର୍ବାଧିକ ତେଲ କିଣୁଥିବା ଦ୍ୱିତୀୟ ଦେଶ ।