ସମସ୍ତେ ଭୁଲ୍ କରନ୍ତି ଏବଂ ଏହା ପ୍ରତ୍ୟେକଙ୍କ ଜୀବନର ଏକ ଅଂଶ। କେତେକେ ଭୁଲ୍ କଲେ ମଧ୍ୟ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି। କେତେଜଣ ଭୁଲ୍ କରି ଜାଣିପାରନ୍ତି, ସେମାନେ ସେଥିରୁ ଶିଖନ୍ତି, ସଂଶୋଧନ କରନ୍ତି ଏବଂ ତା’ ପରେ ଆଗକୁ ବଢ଼ିଥାନ୍ତି। ସେମାନେ ଜାଣନ୍ତି ଯେ, ଯଦି ସେମାନେ ଏକ ଭୁଲ୍କୁ ଅଣଦେଖା କରନ୍ତି ତେବେ ସେମାନେ ଏକ ନକାରାତ୍ମକ ଚକ୍ରରେ ଫସି ଯାଇପାରନ୍ତି, ଯାହା ସେମାନଙ୍କୁ ବିଫଳତା ଆଡ଼କୁ ନେଇଯିବ। ଜୀବନରେ ଭୁଲ୍ ହେବା ସ୍ୱାଭାବିକ। ଆମେ ସମସ୍ତେ ଭୁଲ୍ କରିଥାଉ। କୁହାଯାଏ, ମଣିଷ ଭୁଲ୍ର ଉତ୍ପାଦ। ଏହାର ଏକ ଅର୍ଥ ହୋଇପାରେ ଯେ ଜଣେ ବ୍ୟକ୍ତି କେବଳ ନିଜ ଭୁଲ୍ରୁ ଶିଖି ଭଲ ମଣିଷ ହୋଇଯାଏ। Aଯେପରି ବିଭିନ୍ନ ଅସୁବିଧା ମଣିଷକୁ କଷ୍ଟକର ପରିସ୍ଥିତିରେ ବଂଚିବା ଏବଂ ଉନ୍ନତି କରିବା ଶିଖାଏ, ସେହିପରି ସେମାନଙ୍କର ଭୁଲ୍ ମଧ୍ୟ ସର୍ବୋତମ ଶିଖିବାର ସୁଯୋଗ ପ୍ରଦାନ କରେ। ଭୁଲ୍ ବିନା ମଣିଷ କିଛି ଶିଖିପାରିବ ନାହିଁ। ଭୁଲ୍ ଅପରାଧ ନୁହେଁ, କିନ୍ତୁ ସେଗୁଡ଼ିକୁ ସଂଶୋଧନ କରିବା ଜରୁରୀ। ଯଦି ଆମେ କୌଣସି ଭୁଲ୍ ସଂଶୋଧନ ନ କରୁ, ତେବେ ଏହା ଏକ ଅଭ୍ୟାସ ହୋଇଯାଏ। ଏହା ଆମ ଆଚରଣର ଏକ ଅଂଶ ପାଲଟିଯାଏ ଏବଂ ଶେଷରେ ଆମକୁ କ୍ଷତି ପହଂଚାଏ। ତେଣୁ ଭୁଲ୍ ବୁଝିବା ପରେ ମଧ୍ୟ ସଂଶୋଧନ ନ କରିବା କିମ୍ବା ତାହାକୁ ବାରମ୍ବାର ପୁନରାବୃତି କରିବା ଅପରାଧଠାରୁ କମ୍ ନୁହେଁ ବୋଲି ବିବେଚନା କରାଯାଏ।
ବାରମ୍ବାର ସମାନ ଭୁଲ୍ କରୁଥିବା ବ୍ୟକ୍ତିଙ୍କୁ କୁହାଯାଏ ତ୍ରୁଟିବାଦୀ । ଜଣେ ତ୍ରୁଟିବାଦୀ ଏବଂ ଅପରାଧୀଙ୍କ ମଧ୍ୟରେ କୌଣସି ବିଶେଷ ପାର୍ଥକ୍ୟ ନ ଥାଏ । ଜଣେ ବ୍ୟକ୍ତି ଯେତେବେଳେ ନିଜର ଭୁଲ୍କୁ ସ୍ୱୀକାର କରିବା ଏବଂ ସଂଶୋଧନ କରିବା ପରିବର୍ତେ ବାରମ୍ବାର ସେହି ଭୁଲ୍ କରନ୍ତି ସେତେବେଳେ ସେ ଅପରାଧୀ ହୋଇଯାଆନ୍ତି। ଚୋରି କରିବା, ଅତ୍ୟଧିକ ଲୋଭ କରିବା, ମିଛ କହିବା, ଧମକ ଏବଂ ହିଂସାର ଆଶ୍ରୟ ନେବା, ସମୟ ଥିଲେ ମଧ୍ୟ ଆଜିର କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିବା, ନିଜର ଭାବନା କିମ୍ବା ଚିନ୍ତାଧାରାକୁ ନିୟନ୍ତ୍ରଣ ନ କରିବା, ସାମାନ୍ୟ କଥାରେ କ୍ରୋଧିତ ହେବା, କ୍ଷମା ଏବଂ ସମ୍ବେଦନଶୀଳତାର ଅଭାବ, ପ୍ରତ୍ୟେକ ପରିସ୍ଥିତିରେ ଅସନ୍ତୁଷ୍ଟ ରହିବା ଏବଂ ଦୋଷ ଖୋଜିବା ଓ ଅନ୍ୟାନ୍ୟ ନକାରାତ୍ମକ ଭାବନା କିମ୍ବା ଅଭ୍ୟାସ ହେଉଛି ଭୁଲ୍ ଯାହାକୁ ସ୍ୱୀକାର କରିବା ଏବଂ ସଂଶୋଧନ କରିବା ଆବଶ୍ୟକ। ସେଥିପାଇଁ କୁହାଯାଏ, ଭୁଲ୍ କରିବା ମଣିଷର ପ୍ରକୃତି, ନିଜର ଭୁଲ୍କୁ ସ୍ୱୀକାର କରିବା ସଂସ୍କୃତି ଏବଂ ଭୁଲ୍କୁ ସୁଧାରିନେବା ମଣିଷର ପ୍ରଗତି। ନଚେତ୍, ଆମକୁ ଜଣେ ସାଧାରଣ ବ୍ୟକ୍ତିରୁ ଜଣେ ହୀନବ୍ୟକ୍ତି ହେବାକୁ ବହୁ ସମୟ ଲାଗିବ ନାହିଁ। ଏହି ଭୁଲ୍ଗୁଡ଼ିକ ହିଁ ଜଣେ ବ୍ୟକ୍ତିକୁ କୁଖ୍ୟାତ କରିଥାଏ ଏବଂ ସେଗୁଡ଼ିକୁ ସଂଶୋଧନ କରି ଜଣେ ପ୍ରସିଦ୍ଧ କିମ୍ବା ପ୍ରଖ୍ୟାତ ହୋଇଯାଏ। ବାସ୍ତବରେ, ଆମର ସମସ୍ତ ନକାରାତ୍ମକ ଭାବନା ଏବଂ ସେଗୁଡ଼ିକରୁ ସୃଷ୍ଟି ହେଉଥିବା କାର୍ଯ୍ୟଗୁଡ଼ିକ ଆମର ଭୁଲ୍। ଯେଉଁମାନେ ନିଜର ଭୁଲ୍କୁ ସକାରାତ୍ମକ ଢଙ୍ଗରେ ସଂଶୋଧନ କରି ନିଜର ପରବର୍ତୀ କାର୍ଯ୍ୟ ସମ୍ପାଦନ କରିଥାନ୍ତି ସେମାନେ ଜୀବନରେ ଈପ୍ସିତ ପ୍ରଗତି ହାସଲ କରିପାରିଥାନ୍ତି।
କିଏ ଭୁଲ୍ କରେ ନାହିଁ? ମହାତ୍ମା ଗାନ୍ଧୀ ଆତ୍ମଜୀବନୀରେ ତାଙ୍କ ଭୁଲ୍ ଏବଂ ତ୍ରୁଟି ବିଷୟରେ ସ୍ପଷ୍ଟ ଭାବରେ ଲେଖିଛନ୍ତି। ସେ ତାଙ୍କ ଜୀବନରେ ଅନେକ ଭୁଲ୍ କରିଥିଲେ, କିନ୍ତୁ ସେ କେବେ ସେ ଭୁଲ୍କୁ ଲୁଚାଇ ନ ଥିଲେ କିମ୍ବା ତା’ର ପୁନରାବୃତି କରି ନ ଥିଲେ। ସେ ସାହସର ସହ ତାଙ୍କର ଭୁଲ୍ ସ୍ୱୀକାର କରିଥିଲେ ଏବଂ ସେଗୁଡ଼ିକୁ ସଂଶୋଧନ କରିଥିଲେ। ଗାନ୍ଧିଜୀଙ୍କ ପିଲାଦିନର ଏକ ଘଟଣା। ସେ ଜଣେ ଦୋକାନୀଙ୍କଠାରୁ ଅଧିକ ବାକି କରି ଦେଇଥିଲେ। ସେ ଏକଥା ଘରେ କାହାକୁ ନ କହି ଋଣ ପରିଶୋଧ କରିବା ପାଇଁ ଏକ ଭୁଲ୍ ପନ୍ଥାର ଆଶ୍ରୟ ନେଲେ। ସେ ତାଙ୍କ ମାଆଙ୍କ ସୁନାଚୁଡ଼ିରୁ ଅଳ୍ପ ପରିମାଣର ସୁନା କାଟି ବିକ୍ରି କରି ଋଣ ପରିଶୋଧ କରିଥିଲେ। ପରେ କିନ୍ତୁ ଏହି କାର୍ଯ୍ୟ ତାଙ୍କୁ ଗଭୀର ଦୁଃଖ ଦେଇଥିଲା। ସେ ଅନୁତାପରେ ଜଳିବାକୁ ଲାଗିଲେ। ତା’ ପରେ ସେ ସବୁ ସତକଥା ନିଜର ବାପାଙ୍କୁ କହିବାକୁ ନିଷ୍ପତି ନେଲେ। ହେଲେ ବାପାଙ୍କ ସମ୍ମୁଖରେ ଏସବୁ କହିବାକୁ ତାଙ୍କର ସାହସ ନ ହେବାରୁ ସବୁକିଛି ଏକ ଚିଠିରେ ଲେଖି ତାଙ୍କ ବାପାଙ୍କୁ ଦେଲେ। ସେ ସମୟରେ ତାଙ୍କ ବାପା ଅସୁସ୍ଥ ଥିଲେ। ଚିଠିଟି ପଢ଼ିବା ପରେ ତାଙ୍କ ଆଖିରେ ଲୁହ ଆସିଗଲା। ଗାନ୍ଧିଜୀ ମଧ୍ୟ କାନ୍ଦିବାକୁ ଲାଗିଲେ ଏବଂ ତାଙ୍କ ବାପାଙ୍କ ସମ୍ମୁଖରେ ଶପଥ କଲେ ଯେ ସେ ଜୀବନରେ ଆଉ କେବେ ଏପରି ଭୁଲ୍ କରିବେ ନାହିଁ। ଗାନ୍ଧିଜୀ ତାଙ୍କ ଜୀବନସାରା କେବଳ ତାଙ୍କର ପ୍ରତିଜ୍ଞା ପୂରଣ କରି ନ ଥିଲେ ବରଂ ତାଙ୍କର ଅନ୍ୟାନ୍ୟ ଦୁର୍ଗୁଣକୁ ମଧ୍ୟ ପରିତ୍ୟାଗ କରିଥିଲେ ଏବଂ ସଦ୍ଗୁଣକୁ ଜୀବନର ବ୍ରତ କରିଥିଲେ। ଯେତେବେଳେ ପ୍ରଥମ ଥର ପାଇଁ ଏକ ଭୁଲ୍ କରାଯାଏ, ତାହାକୁ ସ୍ୱୀକାର କରିବା ଏବଂ ଲୁଚାଇବା ପରିବର୍ତେ ସଂଶୋଧନ କରିବା ହେଉଛି ଏକ ଖରାପ ମଣିଷରୁ ଭଲ ମଣିଷ ହେବା ଦିଗରେ ଏକ ପଦକ୍ଷେପ।
ସେହିପରି ନିଜର ଭୁଲ୍ରୁ ଶିକ୍ଷା ନ କରି ଯିଏ ବାରମ୍ବାର ଭୁଲ୍ କରନ୍ତି, ସେମାନେ ଏହାର କୁଫଳ ଭୋଗନ୍ତି। ମହମ୍ମଦ ଘୋରୀଙ୍କୁ ପ୍ରଥମ ତରାଇ ଯୁଦ୍ଧରେ ପରାସ୍ତ କରିଥିଲେ ପୃଥ୍ୱୀରାଜ ଚୌହାନ ଓ ମାନବିକତା ଆଧାରରେ ହତ୍ୟା ନ କରି କ୍ଷମା କରିଥିଲେ। ଘୋରୀଙ୍କୁ ପ୍ରଥମ ଥର ପରାସ୍ତ କରିବା ବେଳେ ତାଙ୍କୁ ହତ୍ୟା କରିବାକୁ ମନ୍ତ୍ରୀ ପରିଷଦ ଏବଂ ତାଙ୍କ ସ୍ତ୍ରୀ ପରାମର୍ଶ ଦେଇଥିଲେ ପୃଥ୍ୱୀରାଜଙ୍କୁ। ହେଲେ ପରାମର୍ଶ ଗ୍ରହଣ ନ କରି ମସ୍ତବଡ଼ ଭୁଲ୍ କରିଥିଲେ ପୃଥ୍ୱୀରାଜ ଚୌହାନ। ଶେଷରେ ସେହି ମହମ୍ମଦ ଘୋରୀ ପୃଥ୍ୱୀରାଜଙ୍କୁ ତା’ ପରବର୍ଷ ପରାସ୍ତ କରି ବନ୍ଦୀ କରିବା ସହ ମୃତ୍ୟୁଦଣ୍ଡ ଦେଇଥିଲେ। ପୃଥ୍ୱୀରାଜଙ୍କ ଏହି ଭୁଲ୍ ପାଇଁ ଭାରତ ଅନେକ ଶହ ବର୍ଷ ଧରି ପରାଧୀନ ହୋଇଗଲା।
କେତେଜଣ ଐତିହାସିକ ମତ ଦିଅନ୍ତି ଯେ ଥରେ ନୁହେଁ, ଅନେକ ଥର ମହମ୍ମଦ ଘୋରୀଙ୍କୁ ପରାସ୍ତ କରିଥିଲେ ମଧ୍ୟ ପ୍ରତିଥର ପୃଥ୍ୱୀରାଜ ଦୟା ପ୍ରଦର୍ଶନ କରି ଘୋରୀଙ୍କୁ ଛାଡ଼ି ଲଗାତର ଭୁଲ୍ କରୁଥିଲେ ଯାହାର ପରିଣାମ ସେ ଓ ସମଗ୍ର ଭାରତବର୍ଷ ଭୋଗିଥିଲା।
କେବଳ ଜଣେ ଅପରାଧୀ ନୁହେଁ, ଜଣେ ଭୀରୁ କିମ୍ବା ଭୟଭୀତ ବ୍ୟକ୍ତି ମଧ୍ୟ କେବେ ବି ନିଜର ଭୁଲ୍ ସ୍ୱୀକାର କରନ୍ତି ନାହିଁ। ତେଣୁ ସେ ସେଗୁଡ଼ିକୁ ସଂଶୋଧନ କରନ୍ତି ନାହିଁ କିମ୍ବା ଜୀବନରେ ଆଗକୁ ବଢ଼ିପାରନ୍ତି ନାହିଁ। ଯେତେବେଳେ ରତ୍ନାକର ନାମକ ଜଣେ ବ୍ୟକ୍ତି ନିଜର ଭୁଲ୍ଗୁଡ଼ିକୁ ଅନୁଭବ କଲେ ଏବଂ ନିଜର ନୀଚ ପେଶା ପରିତ୍ୟାଗ କରିବାକୁ ନିଷ୍ପତି ନେଲେ, ତାଙ୍କ ଜୀବନରେ ଏକ ବୈପ୍ଳବିକ ପରିବର୍ତନ ଆସିଥିଲା। ତାଙ୍କର କରୁଣା ଏପରି ଶୀର୍ଷରେ ପହଂଚିଲା ଯେ ସେ ମହାକାବ୍ୟ ରାମାୟଣ ରଚନା କଲେ ଏବଂ ବାଲ୍ମୀକି ଭାବରେ ପ୍ରସିଦ୍ଧ ହେଲେ। ଆମର ତ୍ରୁଟିଗୁଡ଼ିକୁ ଆବିଷ୍କାର କରି ସେଗୁଡ଼ିକୁ ସଂଶୋଧନ କଲେ ଆମେ ଚାହିଁଲେ ସନ୍ଥ ହୋଇପାରିବା, ନ ଚାହିଁଲେ ଅପରାଧୀ ହୋଇପାରିବା। ‘ଯେଉଁ ବ୍ୟକ୍ତି କେବେ ଭୁଲ୍ କରିନାହିଁ, ସେ କେବେ ନୂଆ କିଛି କରିବାକୁ ଚେଷ୍ଟା କରିନାହିଁ।’
– ଆଲବର୍ଟ ଆଇନ୍ଷ୍ଟାଇନଙ୍କ ଏହି ଉକ୍ତି ଆମକୁ ମନେପକାଇ ଦିଏ ଯେ ଭୁଲ୍ଗୁଡ଼ିକ ବିଫଳତାର ଲକ୍ଷଣ ନୁହେଁ, ବରଂ ପ୍ରୟାସର ପ୍ରମାଣ। କିଛି ନୂଆ ଚେଷ୍ଟା କରିବା ସର୍ବଦା ଅନିଶ୍ଚିତତା ସହ ଜଡ଼ିତ ଏବଂ ତ୍ରୁଟିଗୁଡ଼ିକରୁ ଶିଖିବା ଅଭିବୃଦ୍ଧିର ଏକ ଅଂଶ। ଦାର୍ଶନିକ କ୍ୟୁଲେନ୍ ହାଇଟାୱାରଙ୍କ ମତରେ ନିଜର ଭୁଲ୍ରେ ହସିବା ଜୀବନକୁ ଦୀର୍ଘ କରିପାରେ।
ହେଲେ ଅନ୍ୟ କାହାର ଭୁଲ୍କୁ ଦେଖି ହସିବା ଜୀବନକୁ ହ୍ରାସ କରିପାରେ। ସେହିମାନେ ହିଁ ଭୁଲ୍ କରି ନ ଥାନ୍ତି, ଯେଉଁମାନେ ଜୀବନରେ କିଛି କରି ନ ଥାନ୍ତି ଓ ସେମାନଙ୍କ ପାଇଁ ତାହା ହିଁ ବଡ଼ ଭୁଲ୍ ।