ଦୁର୍ଗତି ନାଶିନୀ ମା’ ମହିଷା ମର୍ଦିନୀ ଆମ ସମସ୍ତଙ୍କ ଭିତରେ
ଦୁର୍ଗତିନାଶିନୀ ମା’ ମହିଷାମର୍ଦିନୀ, ଆପଣ ମୋ ହୃଦୟରେ ବିରାଜମାନ କରନ୍ତୁ । ମୋ ମନକୁ କାବୁ କରିଥିବା ମହିଷାସୁରକୁ ନାଶ କରି ଦିଅନ୍ତୁ । ମୋ ମନକୁ ପବିତ୍ର କରନ୍ତୁ । ମୋ ମନକୁ ଲୋଭ, ମୋହ, ଗର୍ବ, ଅହଂକାର, କାମନା, ବାସନା, ଲାଳସା, ପରଶ୍ରୀ କାତରତା କବଳରୁ ରକ୍ଷା କରନ୍ତୁ । ମୋତେ ସତ୍ୟ, ଧର୍ମ, ନ୍ୟାୟ ବାଟରେ ଯିବାକୁ ପ୍ରେରଣା ଦିଅନ୍ତୁ ।
ଶାରଦୀୟ ପୂଜା ଅବସରରେ ପୂଜା ମଣ୍ଡପରେ ପୂଜିତା ମା’ ମହିଷାମର୍ଦିନୀଙ୍କ ନିକଟରେ ହାତଯୋଡ଼ି ଏଇ କିଛି ପଦ କହିଦିଅନ୍ତୁ । ଆପଣଙ୍କ ଜୀବନରୁ ସବୁ ବାଧାବିଘ୍ନ ଦୂର ହୋଇଯିବ । ମା’ ଦୁର୍ଗା ଆମ ଜୀବନକୁ ସୁଖ ଶାନ୍ତି ଓ ସମୃଦ୍ଧିରେ ଭରିଦେବେ ।
ପୂଜା ମଣ୍ଡପରେ ସାଜସଜା ପ୍ରାୟ ଅନ୍ତିମ ପର୍ଯ୍ୟାୟରେ । ପ୍ରତିମା କାରିଗରଙ୍କ ଶେଷ ସ୍ପର୍ଶରେ ଜୀବନ୍ତ ଦିଶିଲେଣି ସିଂହବାହିନୀ ମା’ ମହିଷାମର୍ଦିନୀ । ମା’ଙ୍କର ଚରଣ ନିକଟରେ ବୀରଦର୍ପରେ ଠିଆ ସିଂହ କାମୁଡ଼ି ଧରିଛି ମହିଷାସୁରର ଗୋଟିଏ ବାହୁ । ବିକଟାଳ ରୂପୀ ମହିଷାସୁର ଗୋଟିଏ ହାତରେ ଧରିଛି ରକ୍ତାକ୍ତ ଖଣ୍ଡା । ମା’ ଦୁର୍ଗାଙ୍କ ହାତକୁ ମଣ୍ଡନ କରିଥିବା ତ୍ରିଶୂଳଟି ବିଦ୍ଧ କରିଛି ମହିଷାସୁର ବକ୍ଷସ୍ଥଳକୁ ।
କାକଟପୁର ବାସିନୀ ମା’ ମଙ୍ଗଳା, ଝଙ୍କଡ଼ ବାସିନୀ ମା’ ଶାରଳା, କୋଣାର୍କ ବାସିନୀ ମା’ ରାମଚଣ୍ଡୀ, ପୁରୀ ବାସିନୀ ମା’ ବିମଳା, ଯାଜପୁର ବାସିନୀ ମା’ ବିରଜା, କଟକ ବାସିନୀ ମା’ ଗଡ଼ଚଣ୍ଡୀ, ବାଣପୁର ବାସିନୀ ମା’ ଭଗବତୀ, ବାଙ୍କୀ ବାସିନୀ ମା’ ଚର୍ଚ୍ଚିକା, ଭୁବନେଶ୍ୱର ମା’ ଗୌରୀ, ସମ୍ବଲପୁର ବାସିନୀ ମା’ ସମଲାଇ, ପଶ୍ଚିମ ଦିଗରେ ମା’ ହିଙ୍ଗୁଳାଇ, ଢେଙ୍କାନାଳ ବାସିନୀ ମା’ କାମାକ୍ଷା, ଘଟଗାଁ ବାସିନୀ ମା’ ତାରିଣୀ, ଗଂଜାମ ବାସିନୀ ମା’ ତାରାତାରିଣୀ, ଖୋର୍ଦ୍ଧାଗଡ଼ ବାସିନୀ ମା’ ବରୁଣେଇଙ୍କ ଭଳି ପ୍ରମୁଖ ଶକ୍ତିପୀଠଗୁଡ଼ିକ ଚଳଚଂଚଳ ହୋଇଉଠିଛି ।
ଦୁର୍ଗାପୂଜା ଶବ୍ଦଟି କାନରେ ପଡ଼ିବା ମାତ୍ରେ ଆମ ଆଖି ଆଗରେ ନାଚିଉଠେ ମା’ ମହିଷାମର୍ଦିନୀଙ୍କ ଦଶଭୂଜା ପ୍ରତିମା । ଶକ୍ତିପୀଠଗୁଡ଼ିକରେ ନିୟମିତ ପୂଜା ପାଉଥିବା ପ୍ରତିମାଗୁଡ଼ିକ ମଧ୍ୟ ମା’ ଦୁର୍ଗାଙ୍କର ଗୋଟିଏ ଗୋଟିଏ ରୂପ । ମା’ ଦୁର୍ଗା, ମା’ ମହାଲକ୍ଷ୍ମୀ ଓ ମା’ ସରସ୍ୱତୀ ଏକ ଓ ଅଭିନ୍ନ ।
ଲକ୍ଷ୍ମୀ ତନ୍ତ୍ର ଓ ଗରୁଡ଼ ପୁରାଣ ଅନୁସାରେ ମା’ ମହାଲକ୍ଷ୍ମୀ ହିଁ ମା’ ଦୁର୍ଗାଙ୍କ ରୂପ ଧାରଣ କରି ମହିଷାସୁରକୁ ବଧ କରିଛନ୍ତି । ଆସୁରିକ ଶକ୍ତି ଉପରେ ଦୈବୀଶକ୍ତିର ବିଜୟ ।
ଆମ ସମସ୍ତଙ୍କ ଭିତରେ ମହିଷାସୁର ଲୁଚି ରହିଛି । ଆମ ସମସ୍ତଙ୍କ ଭିତରେ ମା’ ଦୁର୍ଗା ଅବସ୍ଥାନ କରିଛନ୍ତି । ମହିଷାସୁର ଓ ମା’ ଦୁର୍ଗାଙ୍କ ଭିତରୁ କିଏ କେବେ ଓ କେତେ ସମୟ ପାଇଁ ଆମ ମନ ବିବେକ ଓ ଶରୀରକୁ ଶାସନ କରିବେ, ତାହା ଆମ ମର୍ଜି ଉପରେ ନିର୍ଭର କରୁଚି ।