‘ଯୋଉ ବାଟେ ବାଟେ ଆସିଛୁ ମା’, ସେଇ ବାଟରେ ମେଲାଣି ନେଇଯା’
‘ମାଆ ଲୋ, ବହୁତ ଗୁହାରି ଶୁଣିଲ । ଆମ ବିପଦକୁ ସାହା ହେଲ । ଆଉ ଲୋଡ଼ା ନାହିଁ ଆପଣଙ୍କର ଦୟା, ଯୋଉ ବାଟେ ବାଟେ ଆସିଛ ମାଆ, ସେଇ ବାଟେ ବାଟେ ମେଲାଣି ନିଅ ।’
ଏପରି ଢିଅମରା କଥାଗୁଡ଼ାକ ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ଶୁଣିବାକୁ ପଡ଼ିଛି । ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ଅନ୍ତର୍ଗତ ମାନାଲି ଅଂଚଳର ପାଟଲିକୁହାଲକୁ ଯାଇଥିଲେ ମ୍ୟାଡାମ୍ । ଲୋକମାନେ ବନ୍ୟାପାଣିରେ ହିନସ୍ତା ଭୋଗୁଥିଲା ବେଳେ ମା’ଙ୍କର ଦର୍ଶନ ନଥିଲା । ବନ୍ୟାପାଣି କମିଗଲା ପରେ ଲୋକମାନେ ଭୋକଉପାସରେ ସଢୁଥିଲା ବେଳେ ମା’ଙ୍କର ଦେଖାଦର୍ଶନ ନଥିଲା ।
ହଠାତ୍ ଦଳବଳ ଧରି ପାଟଳିକୁହାଲରେ ପହଂଚିଗଲେ କଙ୍ଗନା ।
ସ୍ଥାନୀୟ ଲୋକମାନେ କଙ୍ଗନାଙ୍କୁ ଦେଖି କଳା ପତାକା ଦେଖାଇ ପ୍ରତିବାଦ କରିଥିଲେ । ବଡ଼ ପାଟିରେ କହିଲେ ‘ଫେରିଯାଅ କଙ୍ଗନା, ବହୁତ ଡେରି କରିଦେଲ ।
ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ଭିତରୁ କଙ୍ଗନାଙ୍କୁ ଉଦ୍ଧାର କରିବା ପାଇଁ ଦଳୀୟ କର୍ମୀଙ୍କୁ ବେଶ କିଛି ସମୟ କସରତ କରିବାକୁ ପଡ଼ିଥିଲା । ଶତାଧିକ ବନ୍ୟା ବିପନ୍ନଙ୍କ କବଳରୁ କଙ୍ଗନାଙ୍କୁ ବଂଚାଇବା ପାଇଁ ପୁଲିିସ ଦଳକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।
କଙ୍ଗନା କହିଛନ୍ତି, ପ୍ରବଳ ବର୍ଷା ଓ ବନ୍ୟା ମୋତେ କ୍ଷତିଗ୍ରସ୍ତ କରିଛି । ମୋର ଏବେ ଦୈନିକ ବ୍ୟବସାୟ ମାତ୍ର ୫୦ ଟଙ୍କା । ତଥାପି ଦରମା ବାବଦକୁ ପାଇଥିବା ୧୫ ଲକ୍ଷ ଟଙ୍କା ବିପନ୍ନଙ୍କ ଉଦ୍ଦେଶ୍ୟରେ ଗଣି ଦେଇଛି । ମୋର ଯନ୍ତ୍ରଣା ବୁଝିବାକୁ ଚେଷ୍ଟା କରନ୍ତୁ । ମୁଁ ବି ଜଣେ ଅସହାୟ ମହିଳା ।
ମୋର ମାନାଲିରେ ଘରବାଡ଼ି ଅଛି, ଜମିଜମା ଅଛି, ମୁଁ ମଧ୍ୟ ଆପଣଙ୍କ ଭଳି ବନ୍ୟା ପୀଡ଼ିତ, କ୍ଷତିଗ୍ରସ୍ତ । ଆପଣମାନେ ଏପରି ଭାବେ ମୋ ଉପରେ ହମଲା କରୁଛନ୍ତି ସତେ ଯେମିତି ମୁଁ ଇଂଲଣ୍ଡର ମହାରାଣୀ ।’
ଜୁନ ୨୦ ତାରିଖରୁ ମୌସୁମୀଜନିତ ବର୍ଷା ଦାଉରେ କଲବଲ ହେଉଛି ହିମାଚଳ ପ୍ରଦେଶ । ଆଜି ସୁଦ୍ଧା ହିମାଚଳ ପ୍ରଦେଶରେ ପ୍ରାୟ ୪୨୪ ଜଣ ବନ୍ୟା ବିପନ୍ନ ମରିଛନ୍ତି । ତା’ ଭିତରେ କଙ୍ଗନା ଥରୁଟିଏ ମଧ୍ୟ ତାଙ୍କ ଲୋକସଭା କ୍ଷେତ୍ରକୁ ପରିଦର୍ଶନ କରି ନଥିଲେ ।