ଦେଶ ବିଭାଜନ ସମୟରେ ରେଡ୍ କ୍ଲିଫ୍ ଇଂରେଜ ସାହେବ ଟାଣିଥିବା ବିଭାଜନ ରେଖା ଭାରତ ଓ ପାକିସ୍ତାନକୁ ଦୁଇ ଭାଗ କରିଥିଲା । ସେଥିରେ ତକôାଳୀନ ପୂର୍ବ-ପାକିସ୍ତାନ ତଥା ବର୍ତମାନର ବାଂଲାଦେଶ ଓ ପଶ୍ଚିମବଙ୍ଗ ମଧ୍ୟରେ ଯେଉଁ ବିଭାଜନ ରେଖା ଟଣାଯାଇଥିଲା, ତାହା ଥିଲା ଅତ୍ୟନ୍ତ ଅବାସ୍ତବ ଏବଂ ଜଟିଳ । ନେପାଳ ଓ ବାଂଲାଦେଶ ମଝିରେ ପ୍ରାୟ ୨୨ କି.ମି. ଚଉଡା ଓ ୬୦ କି.ମି. ଲମ୍ବର ଯେଉଁ ଭୂମି ଭାରତର ରହିଛି ତାହା ପଶ୍ଚିମବଙ୍ଗ, ସିକ୍କିମ ଏବଂ ଉତର-ପୂର୍ବାଂଚଳର ୭(ସାତ)ଟି ରାଜ୍ୟ ସହିତ ସ୍ଥଳଭାଗରେ ଯୋଗାଯୋଗର ଏକମାତ୍ର ମାଧ୍ୟମ । ଏହି ପଥଦେଇ ଉତର-ପୂର୍ବାଂଚଳକୁ ରେଳ, ସଡକ, ଗ୍ୟାସ, ଟେଲିକମ୍ ସଂଯୋଗ ଭାରତର ମୁଖ୍ୟ ଭୂଖଣ୍ଡରୁ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଚୀନ୍, ମିୟାଁମାର, ବାଂଲାଦେଶ ଓ ଭୁଟାନ ଦ୍ୱାରା ପରିବେଷ୍ଟିତ ଆମ ଉତର-ପୂର୍ବାଂଚଳର ସୁରକ୍ଷା ପାଇଁ ସୈନ୍ୟ, ଯୁଦ୍ଧାସ୍ତ୍ର, ଯୁଦ୍ଧ ସରଞ୍ଜାମ ପ୍ରେରଣ ସହିତ ଅନ୍ୟ ଆବଶ୍ୟକ ସାମଗ୍ରୀ ସ୍ଥଳପଥରେ ପଠାଇବାରେ ଏହି ମାର୍ଗ ହିଁ ଗୁରୁତ୍ୱ ବହନ କରିଥାଏ ।
“ଚିକେନ୍-ନେକ୍’ର ପଶ୍ଚିମରେ ନେପାଳ, ପୂର୍ବରେ ବାଂଲାଦେଶ ରହିଥିଲାବେଳେ ଅନତି ଦୂରରେ ରହିଛି ଚୀନ୍ ଓ ଭୁଟାନ ସୀମା । ସୁତରାଂ ରଣକୌଶଳାତ୍ମକ ଦୃଷ୍ଟିରୁ ଏହି ଅଂଚଳର ସୁରକ୍ଷା ଓ ନିରାପତା ଅତି ଗୁରୁତ୍ୱ ବହନ କରେ । ଚୀନ୍ ଆମ ପ୍ରତି ସର୍ବଦା ବୈରଭାବ ପ୍ରଦର୍ଶନ କରିଆସୁଛି । ଭାରତ ପାଇଁ ସ୍ୱାଧୀନତା ପାଇଥିବା ବାଂଲାଦେଶ ଆଜି ଭାରତକୁ ଭୁଲି ଚୀନ୍ ଓ ପାକିସ୍ତାନ ସହାୟତାରେ “ଚିକେନ୍-ନେକ୍’କୁ ଦଖଲ କରି ଭାରତର ଉତର-ପୂର୍ବାଂଚଳ ରାଜ୍ୟଗୁଡିକୁ ଭାରତରୁ ବିଚ୍ଛିନ୍ନ କରିବା ସହ ବୃହତର ବାଂଲାଦେଶ ଗଠନ କରିବାକୁ ସେଠାକାର ମୌଳବାଦୀ ତତ୍ୱ ଦେଇଛନ୍ତି ଖୋଲା ଧମକ । ଚିକେନ୍-ନେକ୍ ବା ସିଲିଗୁଡି କରିଡର୍ ଏକ ସଙ୍କୁଚିତ ଭୂଖଣ୍ଡ ଯାହା ଭାରତକୁ ଉତର-ପୂର୍ବ ରାଜ୍ୟ ସମୂହ ସଂଯୋଗ କରୁଥିବାରୁ ଚୀନ୍ ଏହାକୁ ଭାରତର ମୂଳ ଭୂଖଣ୍ଡରୁ ଅଲଗା କରିଦେବାକୁ ମସୁଧା କରି ବାଂଲାଦେଶର ବହୁ ପୁରୁଣା ବିମାନଘାଟି “ଲାଲ ମୁନିରହାଟ୍’ର ପୁନଃନିର୍ମାଣ ପାଇଁ ଲାଗିପଡିଛି । ବାଂଲାଦେଶରେ ଥିବା ଏହି ପୁରୁଣା ବିମାନଘାଟି ୧୯୩୮ ମସିହାରେ ଇଂରେଜ ଶାସନ କାଳରେ ପ୍ରତିଷ୍ଠା କରାଯାଇଥିଲା । ସ୍ୱାଧୀନତା ପରେ ତକôାଳୀନ ପାକିସ୍ତାନ ଏହାକୁ ୧୯୫୮ ମସିହାରେ ବନ୍ଦ କରିଦେଇଥିଲା ।
ମାତ୍ର ବାଂଲାଦେଶର ସୃଷ୍ଟି ପରେ ଶେଖ୍ ହସିନା ତାଙ୍କର ପିତା ଶେଖ୍ ମୁଜିବର ରହମନ୍ଙ୍କ ସ୍ମୃତି ଉଦେ୍ଦଶ୍ୟରେ ସେଠାରେ ଏକ ନାଭିଗେସନ୍ ୟୁନିଭର୍ସିଟି ସ୍ଥାପନ କରିବାର ଯୋଜନା କରିଥିଲେ । ବାଂଲାଦେଶର କାମଚଳା ସରକାର ମୁଖ୍ୟ ୟୁନୁସ୍ ତାକୁ ଭାରତ ବିପକ୍ଷରେ ନିୟୋଜନ କରିବାକୁ ଚୀନ ହାତକୁ ଟେକି ଦେଇଛନ୍ତି । ରେହମାନଙ୍କ ଅମଳରେ ତାହା ଚୀନ ହାତରେ ରହିବ କି ନା’, ସେ ନିଷ୍ପତିକୁ ଅପେକ୍ଷା କରାଯାଉଛି । ଭାରତୀୟ ସୀମାଠାରୁ ଏହି ବିମାନଘାଟିର ଦୂରତ୍ୱ ମାତ୍ର ୧୫ କି.ମି. ଏବଂ ସିଲିଗୁଡି କରିଡରଠାରୁ ମାତ୍ର ୧୩୫ କି. ମି. ଦୂରରେ ଥିବାରୁ ସାମରିକ ଦୃଷ୍ଟିରୁ ଏହାର ଅବସ୍ଥିତି ଭାରତ ପାଇଁ ସୃଷ୍ଟି କରିଛି ଆହ୍ୱାନ । ଚୀନକୁ ପ୍ରଦାନ କରି ବାଂଲାଦେଶର ସରକାର ତାଙ୍କ ଗୁପ୍ତ ମନସା ପୂରଣ କରିବାର ଦୁର୍ବାର ଅଭିଳାଷ ପୋଷଣ କରିଛନ୍ତି । ବାଂଲାଦେଶ ଚିଟ୍ଟାଗଙ୍ଗ ବା ଚଟୋଗ୍ରାମରେ ସ୍ୱତନ୍ତ୍ର ଅର୍ଥନୈତିକ ଅଂଚଳ (ଏସ୍ଇଜେଡ୍) ପାଇଁ ଭାରତକୁ ଦେଇଥିବା ଜମି ଆବଂଟନକୁ ପ୍ରତ୍ୟାହାର କରିନେଇ ସେହି ଜମିକୁ କାମଚଳା ସରକାର ମୁଖ୍ୟ ୟୁନୁସ୍ ଚୀନକୁ ପ୍ରଦାନ କରିଛି । ଚୀନ୍ ସେଠାରେ ଡ୍ରୋନ୍ ନିର୍ମାଣ ପାଇଁ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ କରିବ । ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଂଲାଦେଶ ଗସ୍ତକାଳରେ ତକôାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ଚୁକ୍ତି ହେବାପରେ ଚିଟ୍ଟାଗଙ୍ଗ ମୀରସରାଇ ଠାରେ ଭାରତୀୟ ନିବେଶକଙ୍କ ପାଇଁ ୮୫୦ ଏକର ଜମି ପ୍ରଦାନ କରାଯାଇଥିଲା । ଏଥିପାଇଁ ଭାରତ ବାଂଲାଦେଶକୁ ୧୧୫ ମିଲିଅନ ଡଲାର ସହାୟତା ରାଶି ପ୍ରଦାନ ମଧ୍ୟ କରିଥିବାର ଜଣାଯାଏ ।
ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ଓ ଭାରତୀୟ କମ୍ପାନୀଗୁଡିକୁ ବିଶେଷ ସୁବିଧା ପ୍ରଦାନ କରିବା ଏହି ପ୍ରକଳ୍ପର ଥିଲା ମୂଳ ଉଦେ୍ଦଶ୍ୟ । ୨୦୧୯ରେ ବି.ଇ.ଜେଡ୍.ଏ. ଓ ଆଦାନୀ ପୋର୍ଟସ୍ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ବାଂଲାଦେଶ ସରକାର ଏହାକୁ ଭ୍ରୂକ୍ଷେପ କରି ଚୀନ୍ ହାତକୁ ଟେକିଦେଇଛି । ୮୫୦ ଏକର ପରିମିତ ଏହି ଜମିରେ ଚୀନ୍ ଡ୍ରୋନ୍ ତିଆରି କରିବ ଓ ବାଂଲାଦେଶକୁ ଡ୍ରୋନ୍ ତିଆରି ଜ୍ଞାନକୌଶଳ ହସ୍ତାନ୍ତର କରିବ । ସେହି ସ୍ଥାନରେ ଚୀନ୍ ମିଡିୟମ୍ ରେଞ୍ଜ ଓ ଭର୍ଟିକାଲ୍ ଲିଫ୍ଟ ଡ୍ରୋନ୍ ନିର୍ମାଣ କରିବ ବୋଲି ଜଣାଯାଏ । ଭାରତ ସୀମାଠାରୁ ଏହି ଅଂଚଳ ପ୍ରାୟ ୧୦୦ କି.ମି ଦୂରରେ ଅବସ୍ଥିତ ଥିବାରୁ ପରିବର୍ତିତ ସ୍ଥିତି ଭାରତ ପାଇଁ ଚିନ୍ତା ସୃଷ୍ଟି କରିଛି । ଏଥିସହ ଚୀନ୍ ବାଂଲାଦେଶକୁ ୨୦ଟି “ଜେ-୧୦ସି’ ଫାଇଟର୍ କମ୍ବାଟ୍ ଏୟାରକ୍ରାଫ୍ଟ ଦେବାକୁ ଚୁକ୍ତି କରିସାରିଛି ଏବଂ ଏହାର ଯୋଗାଣ ୨୦୨୬ ମସିହା ଶେଷଭାଗରୁ ଆରମ୍ଭ ହେବାର ସୂଚନା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ବାଂଲାଦେଶର ନିଷ୍ପତି ଭାରତ ପାଇଁ ଉଭୟ ରଣନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଶକ୍ତ ଧକ୍କା ବୋଲି ବିବେଚନା କରାଯାଉଛି । ବାଂଲାଦେଶ ଉଭୟ ଚୀନ୍ ଓ ପାକିସ୍ତାନ ସହିତ ସମ୍ପର୍କ ବଢ଼ାଇ ଚାଲିଛି । ୧୪ ବର୍ଷ ପରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ୨୦୨୬ ଜାନୁଆରୀ ୨୯ ତାରିଖରେ ସିଧାସଳଖ ବିମାନସେବା ପୁଣି ଥରେ ଆରମ୍ଭ ହୋଇଛି ।
ବାଂଲାଦେଶ ଓ ଚୀନ୍ର ମନ୍ଦ ଉଦେ୍ଦଶ୍ୟକୁ ଆଖିଆଗରେ ରଖି ଭାରତ “ଚିକେନ୍ ନେକ୍’ର ସୁରକ୍ଷା ବ୍ୟବସ୍ଥା ପ୍ରତି ତତ୍ପରତା ପ୍ରଦର୍ଶନପୂର୍ବକ ବଜେଟ୍ରେ ଅର୍ଥ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏବେ ସିଲିଗୁଡି କରିଡର ଦେଇ ୪୦କି.ମି. ଦୀର୍ଘ ଟନେଲ୍ ତିଆରି କରାଯିବ ।
ମାଟିତଳେ ରେଳଟ୍ରାକ୍ ବିଛାଯିବା ସହ ବର୍ତମାନର ଭୂମି ଉପରେ ଥିବା ଚାରି ଲାଇନ୍ ବିଶିଷ୍ଟ ରେଳଟ୍ରାକ କାର୍ଯ୍ୟ ଆରମ୍ଭ ହୋଇଛି । ଅଣ୍ଡରଗ୍ରାଉଣ୍ଡ ରେଳ ଟ୍ରାକ୍ ପଶ୍ଚିମବଙ୍ଗର ଟିନ୍-ମଡେଲ-ହାଟ୍ରୁ ରଙ୍ଗପାଣି ପର୍ଯ୍ୟନ୍ତ ବିଛାଯିବ ।ଏହି ରେଳଲାଇନ ଭୂମିପୃଷ୍ଠରୁ ୨୦ରୁ ୨୪ ମିଟର ଗଭୀରତାରେ ବିଛାଯିବ । ଟିନ୍ ମଡେଲ ହାଟ୍ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ରହିଛି, ଯାହାକି ସିଲିଗୁଡିରୁ ପ୍ରାୟ ୧୦ କି.ମି. ଦୂରରେ ବାଂଲାଦେଶ ସୀମା ନିକଟରେ ଅବସ୍ଥିତ । ଏଠାରୁ ବାଂଲାଦେଶର ପଂଚଗଡ ଜିଲ୍ଲା ମାତ୍ର ୬୮ କି.ମି. । ସିଲିଗୁଡ଼ି କରିଡର ପାର୍ବତ୍ୟାଂଚଳ ତଥା ଉପତ୍ୟକା ଦେଇ ଯାଇଛି, ଯାହାକି ଭୂମିକମ୍ପପ୍ରବଣ ଅଂଚଳ । ତେଣୁ ଭୂତଳ ରେଳପଥ ଓ ସଡକ ଭିତିଭୂମିର ବିକାଶ ନିଶ୍ଚୟ ଆହ୍ୱାନପୂର୍ଣ୍ଣ ତଥା ବ୍ୟୟବହୁଳ । ଭାରତ ପାଖରେ ଏଥିପାଇଁ ପ୍ରଯୁକ୍ତି ଓ ଅର୍ଥର ଅଭାବ ନାହିଁ । ଏହି ପ୍ରକଳ୍ପ ନିର୍ମାଣରେ ପ୍ରାୟ ସାତବର୍ଷ ସମୟ ଲାଗିପାରେ । ତଥାପି ନିରାପତା ତଥା ପରିବର୍ତିତ ବିଶ୍ୱ ରାଜନୀତି ପ୍ରେକ୍ଷାପଟ୍ଟରେ ଭାରତକୁ ଏହାର ଆଂଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ଏହା ଅବଶ୍ୟ ଜରୁରି । ଅଣ୍ଡରଗ୍ରାଉଣ୍ଡ ଟନେଲ୍ ପ୍ରତି ବିପଦ ଅପେକ୍ଷାକୃତ କମ୍ । ଶତ୍ରୁପକ୍ଷ ଏହାକୁ ଆକାଶମାର୍ଗରୁ ବୋମା, ମିସାଇଲ ଅଥବା ଡ୍ରୋନ୍ ଦ୍ୱାରା ଧ୍ୱଂସ କରିବାକୁ ପ୍ରଚେଷ୍ଟା କରିପାରେ ମାତ୍ର ଅଣ୍ଡରଗ୍ରାଉଣ୍ଡ ଭିତିଭୂମି, ଭୂପୃଷ୍ଠରେ ଥିବା ଭିତିଭୂମିଠାରୁ ଅପେକ୍ଷାକୃତ ଅଧିକ ସୁରକ୍ଷିତ ହୋଇଥିବାରୁ ଶତ୍ରୁର ପଦକ୍ଷେପ ସମ୍ପୂର୍ଣ୍ଣ ସଫଳ ହେବା କଷ୍ଟସାଧ୍ୟ ତଥା ସମୟସାପେକ୍ଷ । ରେଳରେ ମାଲ ପରିବହନ ଟ୍ରକଦ୍ୱାରା ପରିବହନ ଠାରୁ ସହଜ । ଗୋଟିଏ ମାଲବାହୀ ଟ୍ରେନରେ ପ୍ରାୟ ତିନିଶହ ଟ୍ରକରେ ଯେତିକି ସାମଗ୍ରୀ ନିଆଯାଇପାରିବ, ପ୍ରାୟ ସେତିକି ପରିମାଣର ମାଲ ପରିବହନ କରାଯାଇପାରେ । ବାଂଲାଦେଶ ଓ ଚୀନ୍ ପଟୁ ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ବିମାନଘାଟିଗୁଡ଼ିକୁ ଏବେ କାର୍ଯ୍ୟକ୍ଷମ କରିବା ଦିଗରେ ତତ୍ପର ।
ଭାରତର ୫ଟି ରାଜ୍ୟ ସହିତ ବାଂଲାଦେଶର ଆନ୍ତର୍ଜାତିକ ସୀମାନ୍ତ ରହିଛି ଯାହାକି ୪ ହଜାର ୯୬ କି. ମି. (୪୦୯୬) ଦୀର୍ଘ ଏବଂ କେବଳ ପଶ୍ଚିମବଙ୍ଗରେ ୨୨୧୭ (ଦୁଇହଜାର ଦୁଇଶହ ସତର) କି.ମି. ରହିଛି । ଭାରତ ସେହି ଉନ୍ମୁକ୍ତ ଅଂଚଳକୁ ନୂତନ ଡିଜାଇନ ବାଡ ଦ୍ୱାରା ଘେରିବା ସହ ଶକ୍ତିଶାଳୀ ନିରୀକ୍ଷଣ କ୍ୟାମେରା ଏବଂ ଉନ୍ନତ କ୍ଷେତ୍ର-ଡୋମିନେସନ ସିଷ୍ଟମ୍ ସହିତ ସଜ୍ଜିତ ହେବାକୁ ଚଳାଇଛି ପ୍ରଚେଷ୍ଟା, ଯାହାଦ୍ୱାରା ସୀମାନ୍ତ ଉଲ୍ଲଙ୍ଘନ ସମୟରେ ବି.ଏସ୍.ଏଫ୍ ନଜରରେ ଆସିପାରିବ । ରୁଷିଆ ୟୁକ୍ରେନକୁ ତଳିତଳାନ୍ତ କରିବାକୁ ବସିଛି । ଇସ୍ରାଏଲ୍ ଗାଜାକୁ ଶ୍ମଶାନରେ ପରିଣତ କରୁଛି, ଆମେରିକା ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଉଠାଇ ନେଇ ବନ୍ଦୀଶାଳାର କୋଠରିରେ ରଖିଛି । ବର୍ତମାନ ନା ଅଛି ଆଇନ, ନା ଅଛି ନିୟମ, ନା ଅଛି ମାନବିକତା- କେବଳ ରହିଛି ଶକ୍ତିର ଭାଷା । ବର୍ତମାନ ସ୍ଥିତିରେ ଭାରତ ଆଧୁନିକ କ୍ଷେପଣାସ୍ତ୍ର, କମ୍ବାଟ୍-ଏୟାରକ୍ରାଫ୍ଟ, ରକେଟ, ଆର୍ଟିଲାରୀ ଗନ୍, ଡ୍ରୋନ୍, ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରି ଚିକେନ୍ ନେକ୍ ସୁରକ୍ଷା ପ୍ରତି ସଚେତନ ରହିବା ସମୟର ଆହ୍ୱାନ ।