ନାବାଳକଙ୍କ ଦୁଇଜଣ ହତ୍ୟା ଅଭିଯୁକ୍ତଙ୍କୁ ଧରିଲା ପୁଲିସ

ବେଙ୍ଗାଲୁରୁସ୍ଥିତ ଗୋଟିଏ ଘରୋଇ ବିଦ୍ୟାଳୟର ଜଣେ ୧୩ ବର୍ଷୀୟ ବାଳକକୁ ଅପହରଣ ଓ ହତ୍ୟା ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ କାବୁ କରିଛି । ଦୁଇ ଅଭିଯୁକ୍ତ ପୁଲିସକୁ ମାଡ଼ ମାରି ଖସିଯିବାକୁ ବସିଥିଲେ । ମାତ୍ର ପୁଲିସ ଗୁଳିରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।
ଘଟଣା ହେଉଛି ଏପରି, ଆରାକାରେ ଅଂଚଳରେ ଥିବା ବୈଶ୍ୟ ବ୍ୟାଙ୍କ କଲୋନିର ଅଷ୍ଟମ ଶ୍ରେଣୀ ଛାତ୍ର ନିଶ୍ଚିଥ ଟିଉସନ ସାରି ଘରକୁ ଫେରୁଥିବା ବାଟରେ ତାକୁ ଅପହରଣ କରିଥିଲା ଗୁରୁମୂର୍ତି ଓ ତା’ ସାଙ୍ଗ ଗୋପାଳକୃଷ୍ଣ ।

ନିଶ୍ଚିଥ ଘରକୁ ନ ଫେରିବାରୁ ତା’ ବାପା ଅଚ୍ୟୁତ ଅନ୍ୟ ଉପାୟ ନପାଇ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ମୃତ ନିଶ୍ଚିଥକୁ ଦରପୋଡ଼ା ଅବସ୍ଥାରେ ଉଦ୍ଧାର କରିଥିଲା ବାନ୍ନେରଘଟ୍ଟା ଓ ଗୁଟ୍ଟିଗେରେ ରାସ୍ତାକଡ଼ରୁ । ହତ୍ୟା ଅଭିଯୁକ୍ତମାନେ କାଗାଲିପୁରା ରାସ୍ତାରେ ଆତ୍ମଗୋପନ କରିଥିବାର ସନ୍ଦେହ କରି ପୁଲିସ ସଂପୃକ୍ତ ଅଂଚଳକୁ ତନ୍ନତନ୍ନ କରି ଯାଂଚ କରୁଥିଲା ।

ପୁଲିସ କବଳରୁ ଖସିଯିବା ଅସମ୍ଭବ ଜାଣିବା ପରେ ଦୁଇ ଅଭିଯୁକ୍ତ ମାରଣାସ୍ତ୍ର ଧରି ପୁଲିସକୁ ଆକ୍ରମଣ କଲେ । ମାତ୍ର ଖସି ପାରିଲେନି । ପୁଲିସ ଗୁଳିରେ ଜଣକର ଦୁଇଟି ଯାକ ଗୋଡ଼ ଜଖମ ହୋଇଛି । ଅନ୍ୟ ଜଣକର ଡାହାଣ ଗୋଡ଼ରେ ଗୁଳି ବାଜିଛି ।