ନବରାତ୍ରରେ ଘରେ ଜାଳନ୍ତୁ ଅଖଣ୍ଡ ଦୀପ, ପାଆନ୍ତୁ ଦେବୀଙ୍କ କୃପା
ନବରାତ୍ରରେ ଘରେ ଅଖଣ୍ଡ ଦୀପ ଜାଳିବା ଅତ୍ୟନ୍ତ ଶୁଭଦାୟକ । ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ମା’ ଦୁର୍ଗାଙ୍କ ନିକଟରେ ଅଖଣ୍ଡ ଦୀପ ଜାଳିବା ପରମ୍ପରାର ଏକ ବିଶେଷ ଗୁରୁତ୍ୱ ରହିଛି ।
ଅଖଣ୍ଡ ଦୀପ ଜଳାଇବା ଅର୍ଥ ଭକ୍ତ ମା’ ଦୁର୍ଗାଙ୍କ ନିକଟରେ ହାତଯୋଡ଼ି ଗୁହାରି କରନ୍ତି, ‘ହେ ମାତା, ମୋ ଜୀବନରୁ ଅନ୍ଧକାର ଦୂର କରି ପ୍ରକାଶ ଭରି ଦିଅନ୍ତୁ । ମୋର ପ୍ରଣାମ ସ୍ୱୀକାର କରନ୍ତୁ ।’
ବିଧିପୂର୍ବକ ଅଖଣ୍ଡ ଦୀପ ଜାଳିଲେ, ବହୁତ ଶୁଭ ଫଳ ମିଳିଥାଏ । ମନେରଖନ୍ତୁ, ଅଖଣ୍ଡ ଦୀପକୁ କୌଣସି ପରିସ୍ଥିତିରେ ଲିଭିବାକୁ ଦିଅନ୍ତୁ ନାହିଁ । ମନରେ ସଂକଳ୍ପ କରି ଅଖଣ୍ଡ ଦୀପ ଜଳାଉଥିଲେ, ତାକୁ ୯ ଦିନ ପାଇଁ ଜଳାଇ ରଖନ୍ତୁ । ୯ ଦିନ ଭିତରେ ଦୀପ ଲିଭିଗଲେ, ମା’ ଅସନ୍ତୁଷ୍ଟ ହୁଅନ୍ତି ।
ନବରାତ୍ରର ପହିଲି ଦିନ କଳସ ସ୍ଥାପନା କରିବା ପରେ ଅଖଣ୍ଡ ଦୀପ ଜଳାଇବା ଦରକାର । ସଂକଳ୍ପ କରି ଅଖଣ୍ଡ ଦୀପ ଜଳାଇଲେ ଭକ୍ତର ସବୁ ମନସ୍କାମନା ପୂରଣ ହୋଇଥାଏ । ଅଖଣ୍ଡ ଦୀପ ସାମ୍ନାରେ ଜପ କଲେ, ହଜାର ଗୁଣ ଶୁଭଫଳ ମିଳିଥାଏ । ଜୀବନରୁ ସବୁ କଷ୍ଟ ଦୂର ହୋଇଯାଏ ।
ନବରାତ୍ରୀର ପହିଲି ଦିନ ମନରେ ସଂକଳ୍ପ କରି ମା’ଙ୍କ ନିକଟରୁ ଆଶୀର୍ବାଦ କାମନା କରି ଅଖଣ୍ଡ ଦୀପ ଜଳାନ୍ତୁ । ଭୁଲବଶତଃ ଅଖଣ୍ଡ ଦୀପକୁ ଭୂମିରେ ରଖନ୍ତୁ ନାହିଁ ।
ପିଢ଼ା ଉପରେ ଲାଲ କପଡ଼ା ବିଛାଇ ଦିଅନ୍ତୁ, ଲାଲ କପଡ଼ା ଉପରେ କିଛି ଅକ୍ଷତ (ଅରୁଆ ଚାଉଳ) ରଖି ଦିଅନ୍ତୁ, ଅରୁଆ ଚାଉଳ ଉପରେ ଅଖଣ୍ଡ ଦୀପ ସ୍ଥାପନ କରନ୍ତୁ ।
ଅଖଣ୍ଡ ଦୀପକୁ ଏକୁଟିଆ ରହିବାକୁ ଦିଅନ୍ତୁନି । ଦୀପ ନିକଟରେ ଘରର କୌଣସି ସଦସ୍ୟ ଉପସ୍ଥିତ ରହିବା ଜରୁରୀ, ତା’ ନହେଲେ ଦୀପ ଲିଭି ଯାଇପାରେ, ଦୀପ ଲିଭିଯିବା ଅଶୁଭ ଦାୟକ ।
ଅଖଣ୍ଡ ଦୀପରେ ଶୁଦ୍ଧ ଘିଅ ବ୍ୟବହାର କରନ୍ତୁ । ଅଖଣ୍ଡ ଦୀପ ନିକଟରେ କିଛି ଫୁଲ ରଖିବା ଉଚିତ । ଦୀପରୁ ଘିଅ ସରିଯିବାର ଦେଖିବା ମାତ୍ରେ ଘିଅ ଭରି ଦିଅନ୍ତୁ ।
ଶୁଦ୍ଧ ଘିଅ ନମିଳିଲେ, ସୋରିଷ ତେଲ ଅବା ରାଶିତେଲ ବ୍ୟବହାର କରିପାରିବେ ।
ଅଖଣ୍ଡ ଦୀପ ଜ୍ୟୋତିରୁ ଅନ୍ୟ କୌଣସି ଦୀପ ଜଳାଇବାକୁ ଉଦ୍ୟମ କରନ୍ତୁନି । ମା’ ଦୁର୍ଗା ରୁଷ୍ଟ ହୁଅନ୍ତି । ବତୀକୁ ବାରମ୍ବାର ବଦଳାଇବା ଅଶୁଭ ।
ଶୁଦ୍ଧ ଘିଅରେ ଜଳୁଥିବା ଅଖଣ୍ଡ ଦୀପକୁ ମା’ଙ୍କ ଡାହାଣ ପାଶ୍ୱର୍ରେ ରଖିବା ଉଚିତ । ସୋରିଷ ତେଲରେ ଜଳୁଥିବା ଅଖଣ୍ଡ ଦୀପକୁ ମା’ଙ୍କ ବାମ ପାଶ୍ୱର୍ରେ ରଖିବା ଉଚିତ ।
ନବଦିନ ଧରି ଅଖଣ୍ଡ ଦୀପ ଜଳିବା ପରେ ଦୀପରେ ନିଅାଁ ଲଗାଇଥିବା ବ୍ୟକ୍ତି ବା ମହିଳା ଦୀପକୁ ଲିଭାଇବା ଉଚିତ ।