ନୂଆଦିଲ୍ଲୀ : ୟୁକ୍ରେନରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଏହାର ତଦନ୍ତ ରୁଷ କରିବ । ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଭାରତରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଡେନିସ ଆଲିପେଭ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି ଯେ, ଭାରତୀୟ ନାଗରିକଙ୍କ ସୁରକ୍ଷା ଉପରେ ରୁଷ ସମସ୍ତ ଧ୍ୟାନ ଦେବ । ଏହି ଦୁଃଖଦ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ଖାରକିଭରେ କର୍ଣ୍ଣାଟକର ଡାକ୍ତରୀ ଛାତ୍ର ନବୀନ ଶେଖରପ୍ପାଙ୍କର ମୃତ୍ୟୁ ହୋଇଥିଲା ।
ସେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାହାରକୁ ଯାଇଥିବା ବେଳେ ରୁଷ ବୋମା ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ହେଲେ ଏବେ ସୁଦ୍ଧା ତାଙ୍କର ମୃତ୍ୟୁ ବାବଦରେ ସ୍ପଷ୍ଟ ସୂଚନା ମିଳିପାରିନଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ରୁଷ ବୋମାମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି କି ନାହିଁ ସେନେଇ ରୁଷ ଅନୁଧ୍ୟାନ କରିବ ବୋଲି ଆଲିପେଭ କହିଛନ୍ତି ।