ନୂଆଦିଲ୍ଲୀ: ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟ ଉପରେ ରୁଷ ଆକ୍ରମଣ କରିଛି । ୟୁକ୍ରେନର ଜାପୋରିଝରିଆ ନିକଟରେ ଥିବା ୟୁରୋପର ସବୁଠାରୁ ବଡ ପରମାଣୁ ପ୍ଲାଣ୍ଟରେ ରୁଷ ଆକ୍ରମଣ କରିଛି । ଏନେଇ ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି ଏଜେନ୍ସି ଏ ସମ୍ପର୍କରେ ସୂଚନା ଦେଇଛି । ରୁଷିୟ ସୈନିକମାନେ ଥର୍ମାଲ ଇମେଜିଂ ଲଗା ଟ୍ୟାଙ୍କ ଜରିଆରେ ଜାଣିଶୁଣି ଏହାର ୬ଟି ରିଆକ୍ଟର ଉପରକୁ ଗୋଳା ମାଡ କରିଛନ୍ତି । ଯଦି ଆଣବିକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ଯୋଗୁ ଯଦି ଆଗକୁ କୌଣସି ବିପଦ ଦେଖା ଦିଏ ଏହାର ପରିଣାମ ନିଶ୍ଚିତ ଗୁରୁତର ହେବ । ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପ୍ଲାଣ୍ଟରେ ଆକ୍ରମଣ ସମୟର ଏକ ଭିଡିଓ ଟ୍ୱିଟ କରିଛନ୍ତି । ରୁଷ ସେନା ପ୍ଲାଣ୍ଟର ଚାରିପଟୁ ଘନ ଘନ ଗୁଳିମାଡ କରୁଛନ୍ତି । ଏହାଦ୍ୱାରା ଯଦି ସମ୍ପୂର୍ଣ୍ଣ ପ୍ଲାଣ୍ଟରେ ନିଆଁ ଲାଗିଯିବ ଅଥବା ବିସ୍ଫୋରଣ ହେବ ତେବେ ସ୍ଥିତି ଚେର୍ଣ୍ଣବିଲ ଡିଜାଷ୍ଟରର ୧୦ ଗୁଣା ହେବ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ୟୁକ୍ରେନର ଆଣବିକ ଶକ୍ତି କେନ୍ଦ୍ର ଉପରେ ରୁଷିଆ ସୈନିକଙ୍କ ଏପରି ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ସେହିପରି ଆମେରିକା ଶକ୍ତି ମନ୍ତ୍ରୀ ଜେନିଫର ଗ୍ରାନହୋମ ଏହି ଘଟଣାକୁ ଅତ୍ୟନ୍ତ ସ୍ପର୍ଷକାତର ବୋଲି କହିଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ରୁଷ ଦ୍ୱାରା ଏପରି ଆକ୍ରମଣ ତୁରନ୍ତ ବନ୍ଦ ହେଉ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନରେ ଏବେ ୪ଟି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ସକ୍ରିୟ ରହିଛି । ଏଥିରେ ଜାପୋରିଜ୍ଜିୟା ଅନ୍ୟତମ । ଏହା ଦେଶର ୨୫ ପ୍ରତିଶତ ବିଦ୍ୟୁତ ଆବଶ୍ୟକତା ପୂରଣ କରୁଛି ।