ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ରୁଷର ଘନ ଘନ ମିସାଇଲ ମାଡରେ ଅନେକ ସହର ଛାରଖାର ହୋଇଗଲାଣି । ଅନ୍ୟପକ୍ଷରେ ରୁଷ ଏହି ଆକ୍ରମଣ ନେଇ ଅନେକ ଦେଶ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନା କରିବା ସହ ଅନେକ କଟକଣା ଲଗାଇଛନ୍ତି । ସେହିପରି ଏହାରି ମଧ୍ୟରେ ଅନେକ ଜନସାଧାରଣ ଦେଶ ଛାଡି ପଳାଇଯାଉଛନ୍ତି । ସୂଚନାଯୋଗ୍ୟ ଯେ, ୟୁକ୍ରେନ-ରୁଷ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟ ଅନିଶ୍ଚିତତା ଘେରକୁ ଚାଲିଯାଇଛି ।
ଅନ୍ୟପକ୍ଷରେ ରୁଷ ମିସାଇଲ ମାଡରେ ସୁମିରେ ଶତାଧିକ ଘର ଛାରଖାର ହୋଇଯାଇଛି । ଅନ୍ୟପକ୍ଷେ ୟୁକ୍ରେନରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି । ରୁଷ ସେନା ବାହିନୀ ଖାଦ୍ୟ, ପାଣି , ଇନ୍ଧନ ଏବଂ ଔଷଧ ବନ୍ଦ କରିବାଦ୍ୱାରା ଦିନକୁ ଦିନ ସଙ୍କଟ ବଢୁଛି । ସେହିପରି ରୁଷ ଲୋକଙ୍କ ଉପରେ ଚାପ ସୃଷ୍ଟି କରି ସହର ଖାଲି କରିବାକୁ ମଧ୍ୟଯୁଗୀୟ କୌଶଳ ଅବଲମ୍ବନ କରୁଛି ବୋଲି ୟୁକ୍ରେନ ଅଭିଯୋଗ କରିଛି । ସେହିପରି ୟୁକ୍ରେନ-ରୁଷ ଲଢେଇ ଯୋଗୁଁ ୨୦ ଲକ୍ଷରୁ ଅଧିକ ୟୁକ୍ରେନବାସୀ ଦେଶ ଛାଡି ସାରିଲେଣି । ଦେଶ ଛାଡିଥିବା ଅଧିକାଂଶ ହେଉଛନ୍ତି ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତି । ଅନ୍ୟପକ୍ଷରେ ଶରଣାର୍ଥୀଙ୍କ ପାଇଁ ଜାତିସଂଘ ହାଇକମିସନର କହିଛନ୍ତି ଯେ ପୁରୁଷମାନେ ଯୁଦ୍ଧ କରୁଛନ୍ତି ଏବଂ ମହିଳାମାନଙ୍କୁ ଏଥିପାଇଁ ମୂଲ୍ୟ ଦେବାକୁ ପଡୁଛି ।