ପାକିସ୍ତାନରେ ପାଦ ଦେଇ ଲାଗୁଛି ମୋ ଘରକୁ ଆସିଛି: ପିଟ୍ରୋଡା

‘ପାକିସ୍ତାନରେ ପାଦ ଦେଇ ଲାଗୁଛି ମୋ ଘରକୁ ଆସିଛି ।’

ସାମ ପିଟ୍ରୋଡା, କଂଗ୍ରେସର ଦରିଆପାରି ବିଭାଗର ମୁଖ୍ୟ । ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ଏବେ କଂଗ୍ରେସକୁ ଅକଳରେ ପକାଇଛି ।

ରାଜନୈତିକ ଦୃଷ୍ଟିକୋଣରୁ ବିଜେପି ପିଟ୍ରୋଡାଙ୍କ ମନ୍ତବ୍ୟକୁ କଂଗ୍ରେସର ପାକିସ୍ତାନ ପ୍ରେମ ଆଡକୁ ଈଶାରା କରୁଛି ।

ପେହଲଗାମ୍ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ସଂପର୍କ ଆହୁରି ବିଗିଡ଼ି ଯାଇଚି । ଏସିଆ କପ୍ ମହା ମୁକାବିଲା ପରେ ଭାରତର ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାଇଲେନି ।

ତା’ ଭିତରେ ପିଟ୍ରୋଡା ପାକିସ୍ତାନରେ ଅବତରଣ କରି ସେଠାକାର ମାହୋଲ ସହିତ ଭାରତର ମାହୋଲକୁ ସମାନ କରି ମସ୍ତବଡ଼ ଭୁଲ କରିଛନ୍ତି ।

ଜଣେ ସଚ୍ଚା ବିଶ୍ୱପ୍ରେମୀ କେବଳ ପାକିସ୍ତାନକୁ କାହିଁକି, ସାରା ବିଶ୍ୱକୁ ତା’ର ଏନ୍ତୁଡ଼ିଶାଳ କହିବା ଏକ ସ୍ୱାଗତଯୋଗ୍ୟ ଭାବନା ।

କିନ୍ତୁ ଭାରତ-ପାକିସ୍ତାନ ମାହୋଲ ଗରମାଗରମ ଥିଲାବେଳେ ପିଟ୍ରୋଡାଙ୍କ ତୁଣ୍ଡରୁ ଏଭଳି କଥା ବାହାରିବା ଗୁରୁ-ଚଣ୍ଡାଳ ଅପରାଧ ବୋଲି ମନେକରୁଛି ବିଜେପି ।

ପିଟ୍ରୋଡାଙ୍କ ଉଦ୍ଦେଶ୍ୟ ଆଦୌ ଖରାପ ନୁହେଁ । ତାଙ୍କ ମତରେ ପାକିସ୍ତାନ ଜନତା ଆମର ସାନ ଭାଇ ଭଳି । ସେମାନଙ୍କୁ ସହାୟତାର ଆବଶ୍ୟକତା ପଡ଼ିଛି । ସେମାନଙ୍କ ସହିତ ଯୁଦ୍ଧ କରିବାର ଦରକାର ନାହିଁ । ସେମାନଙ୍କ ପାଣି ପବନ ମାଟି ଅବିଭକ୍ତ ଭାରତର ପାଣି ପବନ ମାଟି କହିଲେ ଭୁଲ ହେବନି ।

ପିଟ୍ରୋଡା କେବଳ ପାକିସ୍ତାନରେ ପାଦ ଦେଇ ତାଙ୍କ ଘରେ ବସିଥିବା ଅନୁଭବ କରିନାହାନ୍ତି । ସେ ବାଂଲାଦେଶକୁ ଯାଇ ଭାରତକୁ ଅନୁଭବ କରିଛନ୍ତି । ନେପାଳକୁ ଯାଇ ଭାରତକୁ ଅନୁଭବ କରିଛନ୍ତି ।

ପାକିସ୍ତାନ ଓ ବାଂଲାଦେଶକୁ ପିଟ୍ରୋଡା ପଡ଼ୋଶୀ ଦେଶ ଭାବେ ବିଚାର କରନ୍ତିନି । ପାକିସ୍ତାନ ଓ ବାଂଲାଦେଶର ଲୋକମାନେ ଭାରତୀୟଙ୍କ ଭଳି କଥା କହନ୍ତି, ଭାରତୀୟଙ୍କ ଖାଦ୍ୟ ଗ୍ରହଣ କରନ୍ତି ।

ଭାରତୀୟଙ୍କ ସଂଗୀତକୁ ପସନ୍ଦ କରନ୍ତି । ସେମାନଙ୍କ ସହିତ ଭାଇଚାରା ରଖିବା କଥା ପିଟ୍ରୋଡା କହିଛନ୍ତି ।