ଫେବୃଆରୀ ୧୬ ରବିବାର: ବାରବାଟୀ ମଇଦାନରେ କ୍ରିକେଟ୍‌ ଖେଳିବ ବଲିଉଡ୍‌

କଟକ: ଫେବୃଆରୀ ୧୬ ତାରିଖ ଦିନ କଟକ ବାରବାଟୀ ମଇଦାନରେ ଆପଣଙ୍କ ମନପସନ୍ଦର ଅଭିନେତା ଅଭିନେତ୍ରୀମାନେ କ୍ରିକେଟ୍‌ ଖେଳିବେ । ଆପଣମାନେ ଷ୍ଟାଡିୟମରେ ବସି ଅଭିନେତା ଅଭିନେତ୍ରୀମାନଙ୍କ ବ୍ୟାଟିଂ ବୋଲିଂ ଫିଲଡିଙ୍ଗ୍‌ ମଜା ଉଠାଇ ପାରିବେ ।

ନିକଟରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଓ ତାଙ୍କ ପୁଅ ଅର୍ଜୁନ କପୁର ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଥିଲେ ।
ତା’ର ପରିଣାମ ସ୍ୱରୂପ ବାରବାଟୀ ମଇଦାନରେ ଦୁଇଦିନ ଧରି ମ୍ୟାଚ୍‌ ଖେଳିବେ ବଡ଼ଛୋଟ ପରଦାର ଅଭିନେତା ଅଭିନେତ୍ରୀଗଣ । କଟକ ଜିଲ୍ଲା ପ୍ରଶାସନ ଉକ୍ତ ମ୍ୟାଚ୍‌ ପ୍ରସ୍ତୁତି ଦାୟିତ୍ୱ ବହନ କରିଛି ।

ସୂଚନା ମୁତାବକ ଫେବୃଆରୀ ୧୬ ତାରିଖରେ ପଞ୍ଜାବ ଡି ଶେର ଓ ଭୋଜପୁରୀ ଦବଙ୍ଗ ଟିମ୍‌ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ । ମୁମ୍ବାଇ ହିରୋଜ ଓ ବେଙ୍ଗଲି ଟାଇଗର୍ସ ମଧ୍ୟରେ ଲଢେ଼ଇ ଚାଲିବ । ଦିନ ଦୁଇଟାରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବ ।
ମ୍ୟାଚ୍‌ ଗୁଡ଼ିକ ଡିଜ୍‌ନୀ+ହଟ୍‌ଷ୍ଟାରରେ ଦେଖିବାର ସୁଯୋଗ ମିଳିବ । ସୋନୀ ଟେନ୍‌ ସ୍ପୋର୍ଟସ ୩’ ଜରିଆରେ ମଧ୍ୟ ତାରକାଙ୍କ ମ୍ୟାଚ୍‌ ଦେଖିପାରିବେ ।