ହାଜତ ମୃତ୍ୟୁ ମାମଲାରେ ମୃତକଙ୍କୁ କ୍ଷତିପୂରଣ ରାଶି ପଇଠ କରନ୍ତୁ ଦୋଷୀ ପୁଲିସ କର୍ମଚାରୀ
ହାଜତ ଭିତରେ ଅଭିଯୁକ୍ତକୁ ପିଟିପିଟି ମାରିବ ପୁଲିସ କର୍ମଚାରୀ, ସେଥିପାଇଁ ରାଜକୋଷରୁ କ୍ଷତିପୂରଣ ରାଶି ପଇଠ କରାଯିବ?
ଏଇଟା କୋଉ ନ୍ୟାୟ? ସାଢ଼େ ଚାରିକୋଟି ଲୋକଙ୍କ ଅନୁମତି ନେଇ ହାଜତ ଭିତରେ ଅଭିଯୁକ୍ତକୁ ପିଟିଥିଲା ଜଗନ୍ନାଥପ୍ରସାଦ ପୁଲିସ ।
ଦୋଷ କରିବ ଗୋଟିଏ ଥାନା, କ୍ଷତିପୂରଣ ପ୍ରଦାନ କରିବେ ସାଢ଼େ ଚାରିକୋଟି ଜନତା ? ରାଜକୋଷଟା କ୍ଷମତାସୀନ ରାଜନୈତିକ ଦଳର ଆକାଉଂଟ ନୁହେଁ ।
ଦୋଷ କରିବ ପୁଲିସ କର୍ମଚାରୀ, କ୍ଷତିପୂରଣ ଗଣିବେ ରାଜ୍ୟର ସାଢ଼େ ଚାରିକୋଟି ଜନତା । ଏଇଟା କୋଉ ବିଚାର ? ଜଗନ୍ନାଥପ୍ରସାଦ ହାଜତ ମୃତ୍ୟୁ ମାମଲାର ବିଚାର କରି ଓଡ଼ିଶା ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ରାଶି ପଇଠ କରିବାକୁ ଚିଠି ଲେଖିଛନ୍ତି ।
ଏବେ ରାଜ୍ୟ ସରକାରକୁ ପରିଚାଳନା କରୁଛି ଭାରତୀୟ ଜନତା ପାର୍ଟି । ଘଟଣାଟି ଯୋଉ ସମୟରେ ଘଟିଥିଲା, ସେତେବେଳେ ବିଜୁ ଜନତା ଦଳ ରାଜ୍ୟ ସରକାରକୁ ପରିଚାଳନା କରୁଥିଲା ।
ଗୋଟିଏ ସାମ୍ବିଧାନିକ ସଂସ୍ଥାର ବିଚାର ପ୍ରତି ଅଙ୍ଗୁଳି ଉଠାଇବା ଆମର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ମାମଲାର ପୁନଃବିଚାର କରି କ୍ଷତିପୂରଣ ରାଶି ଅଭିଯୁକ୍ତ ପୁଲିସ କର୍ମଚାରୀ, ବିଜୁ ଜନତା ଦଳ ଅବା କ୍ଷମତାସୀନ ଦଳ ନିକଟରୁ ଆଦାୟ କରିବାର ବ୍ୟବସ୍ଥା କରାଯିବା ଉଚିତ ହେବ ।
ସୂଚନା ମୁତାବକ ୨୦୧୫ ଜୁନ ୮ ତାରିଖ ଦିନ ଜଗନ୍ନାଥପ୍ରସାଦ ଥାନାର କିଛି ପୁଲିସ କର୍ମଚାରୀ ପଟାଧାର ଗ୍ରାମନିବାସୀ ଗୌରହରି ସ୍ୱାଇଁଙ୍କୁ ଏକ ଚୋରି ମାମଲାରେ ଅଭିଯୁକ୍ତ କରି ଥାନାକୁ ନେଇଗଲେ ।
ହାଜତ ଭିତରେ ଗୌରହରି ମୃତ୍ୟୁବରଣ କରିଥିବା ଅଭିଯୋଗ କରି ମୃତକଙ୍କ ପତ୍ନୀ ନିରପେକ୍ଷ ବିଚାର ପାଇଁ ପ୍ରାର୍ଥନା କରିଥିଲେ ।
ରାଜ୍ୟ ପୁଲିସଙ୍କର ମାନବାଧିକାର ସୁରକ୍ଷା ସେଲ ରିପୋର୍ଟ ଓ ଭଞ୍ଜନଗର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଗୌରହରି ସ୍ୱାଇଁଙ୍କ ହାଜତ ମୃତ୍ୟୁକୁ ସ୍ୱୀକାର କରିଛନ୍ତି । ମୃତକଙ୍କ ଆତ୍ମୀୟଙ୍କୁ ୮ ଲକ୍ଷ ଟଙ୍କା ଦେବାକୁ ଆଦେଶ ପ୍ରଦାନ କରାଯାଇଛି ।
ପ୍ରଶ୍ନ ଉଠୁଛି, ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ଦାୟୀ କରାଯିବା କେତେ ଦୂର ଯୁକ୍ତସଂଗତ ।
ହାଜତ ଭିତରେ ଅଭିଯୁକ୍ତକୁ ପିଟିପିଟି ମାରିବାର ଅଧିକାର ପୁଲିସ କର୍ମଚାରୀଙ୍କୁ କିଏ ପ୍ରଦାନ କରିଛି? ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ଦାୟିତ୍ୱ ପୁଲିସ କର୍ମଚାରୀଙ୍କୁ ଦିଆଯାଇଛି, ଠେଙ୍ଗାରେ ପିଟିପିଟି ମାରିବାକୁ ଅଧିକାର ଦିଆଯାଇନି । ମୃତ ଗୌରହରି ଜଣେ ପେଶାଦାର ଅପରାଧି କି? ସାଂଘାତିକ ଅପରାଧି କି?
ମାନବାଧିକାର କମିଶନ ଭଳି ଏକ ଦାୟିତ୍ୱସଂପନ୍ନ ସାମ୍ବିଧାନିକ ସଂସ୍ଥା ଘଟଣାର ପୁନଃବିଚାର କରିବାକୁ ବୁଦ୍ଧିଜୀବୀ ମହଲ ପକ୍ଷରୁ ପ୍ରାର୍ଥନା କରାଯାଉଛି ।