ରହସ୍ୟ ହୋଇ ରହିଯିବ ନବଦାସଙ୍କ ହତ୍ୟାକାଣ୍ଡ !
ନବଦାସଙ୍କ ହତ୍ୟାକାଣ୍ଡର ସାନି ତଦନ୍ତ କାମଟି ଏବେ ସୁଦ୍ଧା ସଳଖି କରି ବାଟ ଚାଲିପାରୁନି । କିଛି ବାଟ ଚାଲୁଛି, ଝୁଂଟି ପଡୁଛି । ପୁଣି ବାଟ ଚାଲୁଛି, ଝୁଂଟି ପଡୁଛି ।
ଏମିତି ବାଟ ଚାଲିବା, ଝୁଂଟି ପଡ଼ିବାର ଧାରା ସପ୍ତମ ମାସରେ ପହଂଚିଲାଣି । ନବଦାସଙ୍କ ହତ୍ୟାକାଣ୍ଡର କୂଳ କିନାରା ପାଉନାହାନ୍ତି ମୋହନ ସରକାର ।
ନବ କିଶୋର ଦାସ । ଜଣେ କ୍ଷମତାସୀନ ମନ୍ତ୍ରୀଙ୍କର ଦିବାଲୋକରେ ହତ୍ୟାକାଣ୍ଡ ଘଟଣା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ବ୍ୟବସ୍ଥାର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ତା’ ପୂର୍ବରୁ ଓଡ଼ିଶାରେ ଏଭଳି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ଘଟି ନଥିଲା ।
ବିରୋଧୀ ଆସନରେ ବସିଥିଲା ବେଳେ ନବଦାସଙ୍କ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲା ବିଜେପି ।
୨୦୨୪ ମସିହାରେ ସରକାର ଗଠନ କରିବା ପରେ ବିଜେପିର ସ୍ୱର ବଦଳିଗଲା । ନବଦାସଙ୍କ ପରିବାର ନିକଟରୁ ଲିଖିତ ଅଭିଯୋଗ ପାଇବା ପରେ ରାଜ୍ୟ କ୍ରାଇମ୍ ବ୍ରାଂଚ୍ ସାନି ତଦନ୍ତ ଆରମ୍ଭ କଲା ।
ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ତଦନ୍ତ ରିପୋର୍ଟରେ କିଛି ବାକି ରହିଯାଇଛି?
ଚାଳକ ସିନା ବଦଳି ଯାଇଛି, ମାତ୍ର ଗାଡ଼ିଟା ତ ପୁରୁଣା । ପୁରୁଣା ଗାଡ଼ିରେ ନୂଆ ଯନ୍ତ୍ରାଂଶ ଲଗାଇ ଦେଲେ ତାହା ଚାଲିବାକୁ ସକ୍ଷମ ହେବ, ମାତ୍ର ନୂଆଗାଡ଼ି ପଦବାଚ୍ୟ ହେବ କି?
ବିଜେପି ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ନବଦାସଙ୍କ ତଦନ୍ତ ଅବଧିକୁ ୭ ମାସ ପୁରିଯିବ, ଆଜି ପର୍ଯ୍ୟନ୍ତ କ୍ରାଇମ୍ ବ୍ରାଂଚ୍ ପକ୍ଷରୁ କୌଣସି ଦସ୍ତାବିଜ ଦାଖଲ କରାଯାଇନି । ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଏହି କଥା କହିଛନ୍ତି ।
ନବଦାସଙ୍କ ପରିବାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କ୍ରାଇମ୍ ବ୍ରାଂଚ୍ ତଦନ୍ତକୁ ପ୍ରାଥମିକତା ଦେଲେ । ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ତଦନ୍ତ ରିପୋର୍ଟରୁ ବହୁତ କେଁ ବାହାର କରିଥିଲେ ବିଜେପି ସରକାର ।
ନବଦାସଙ୍କ ହତ୍ୟାକାଣ୍ଡରେ ଏକାଧିକ ରାଜନେତାଙ୍କ ସଂପୃକ୍ତି ରହିଥିବା କଥା କହୁଛି ବିଜେପି । ରାଜ୍ୟବାସୀ କ୍ରାଇମ୍ ବ୍ରାଂଚ୍ ର ନୂତନ ଅଭିଯୋଗ ଫର୍ଦ୍ଦକୁ ଚାତକ ଭଳି ଅନାଇ ରହିଛନ୍ତି ।
ନୂଆ ତଦନ୍ତ ରିପୋର୍ଟରେ କ୍ରାଇମ୍ ବ୍ରାଂଚ କୋଉ ରାଜନେତାଙ୍କ ମୁଖା ଖୋଲିବ, ତାହା ମୁଖ୍ୟ ଆଲୋଚନାର ବିଷୟ ।
ସୋସିଆଲ ମିଡିଆରେ ନାନା ଖବର ପ୍ରସାରଣ ଚାଲିଛି । କିନ୍ତୁ ଅଦାଲତଙ୍କ ରାୟ ସର୍ବୋପରି ।