ମୋହାଲିରେ ମାଟି କାମୁଡିଲା ଶ୍ରୀଲଙ୍କା ଟିମ୍‌

ମୋହାଲି : ଭାରତ-ଶୀଲଙ୍କା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବଡ ବିଜୟ ହାସଲ କରିଛି । ପ୍ରଥମ ଇନିଂସରେ ଶ୍ରୀଲଙ୍କା ୧୭୪ରନରେ ଅଲଆଉଟ ହୋଇଯାଇଥିବା ବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୧୭୮ରନ କରି ଧରାଶାୟୀ ହୋଇଛି । ଫଳରେ ଭାରତ ୨୨୨ରନରେ ପ୍ରଥମ ଟେଷ୍ଟ ସହଜରେ ବିଜୟୀ ହୋଇଛି । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ବ୍ୟାଟିଂ ଓ ବୋଲିଂରେ କମାଲ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୫୭୪ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଦଳ ପକ୍ଷରୁ ହନୁମା ବିହାରୀ ୫୮ରନ, ରିଷଭ ପନ୍ତ ୯୬, ରବିଚନ୍ଦ୍ରନ ଅଶ୍ୱିନ ୬୧ ରନ କରିଥିଲେ । ସେହିପରି ପ୍ରଥମ ଇନିଂସରେ ଜାଡେଜା ୧୭୫ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ ୩୩, ଅଧିନାୟକ ରୋହିତ ଶର୍ମା ୨୯, ବିରାଟ କୋହଲି ୪୫, ଶ୍ରେୟସ ଆୟର ୨୭, ଜୟନ୍ତ ଯାଦବ ୨ ଏବଂ ମହମ୍ମଦ ସାମୀ ୨୦ରନ କରି ଥିଲେ । ଅନ୍ୟପକ୍ଷରେ ୫୭୪ରନକୁ ଲକ୍ଷ୍ୟ କରି ଶ୍ରୀଲଙ୍କା ପ୍ରଥମ ଇନିଂସରେ ମାତ୍ର ୧୭୪ ରନରେ ସମସ୍ତ ୱିକେଟ ହରାଇବା ଫଳରେ ଫଲୋଅନ୍‌ ହେବା ସହ ଦ୍ୱିତୀୟ ଇନିଂସରେ ମଧ୍ୟ ଧରାଶାୟୀ ହୋଇଥିଲା । ସେହିପରି ଭାରତ ପକ୍ଷରୁ ଅଶ୍ୱିନ୍‌ ୪ଟି ୱିକେଟ୍‌ ନେଇଥିବା ବେଳେ ଜାଡେଜା ୪ଟି ଏବଂ ସାମୀ ୨ଟି ଅକ୍ତିଆର କରିଥିଲେ ।