ନିର୍ବାଚନ ପରେ ଭୋଟର କିଣିବେ ଚଢ଼ାଦରରେ ବିଜୁଳି

ଭୁବନେଶ୍ୱର: ବିଜୁଳି ଉତ୍ପାଦନ କରୁଥିବା ଘରୋଇ ସଂସ୍ଥା ନିକଟରୁ ରାଜ୍ୟ ସରକାର ସେମାନଙ୍କ କୋଟା ମୁତାବକ ବିଜୁଳି ସଂଗ୍ରହ କରିବେନି । ବିଜୁଳି ବିତରଣକାରୀ ସଂସ୍ଥା ଭିତିଭୂମି ବାବଦକୁ ପକେଟରୁ ଟଙ୍କାଟିଏ ଖର୍ଚ୍ଚ କରିବନି । ଜନତାଙ୍କର ଝାଳବୁହା ଧନରେ ଗଠିତ ରାଜକୋଷରୁ ଟଙ୍କା ଯିବ ଗ୍ରୀଡ୍‌କୋ ଓ ଟାଟା କମ୍ପାନୀକୁ ।

ଯୋଉ ଲୋକଙ୍କ ସାମୂହିକ ପାଣ୍ଠିରୁ ଟଙ୍କା ନେଇ ଗ୍ରୀଡ୍‌କୋ ଓ ଟାଟା କମ୍ପାନୀ ସେମାନଙ୍କର ବ୍ୟବସାୟକୁ ବୃଦ୍ଧି କରିବେ । ସେଇ କମ୍ପାନୀ ପ୍ରତି ବିଜୁଳି ଉପଭୋକ୍ତାଙ୍କୁ ଚଢ଼ାଦରରେ ବିଜୁଳି ବିକିବ । ଏଥିରୁ କିଛି ବୁଝିପାରୁଛନ୍ତି ନା ଜଳକା ଭଳି ଅନାଇଛନ୍ତି ।ଲୋକଙ୍କ ଟଙ୍କାକୁ ବ୍ୟବସାୟରେ ବିନିଯୋଗ କରି ଲୋକଙ୍କୁ ଚଢ଼ାଦରରେ ବିକିବ ଗ୍ରୀଡକୋ ଓ ଟାଟା । ରାଜକୋଷରେ ପ୍ରତିପାଳିତ ଦୁଇଟି କମ୍ପାନୀ ଭିତରୁ ଗୋଟିଏ ସରକାରୀ କମ୍ପାନୀ ଓ ଆରଟି ଘରୋଇ କମ୍ପାନୀ । ଗ୍ରୀଡ୍‌କୋ ଜରିଆରେ ରାଜକୋଷରୁ ବିପୁଳ ଟଙ୍କା ଯିବ ଟାଟା ପକେଟକୁ । ଟାଟା ସେହି ଟଙ୍କାରେ ବିଜୁଳି ବ୍ୟବସାୟ କରି କ୍ଷମତାସୀନ ଦଳ, ଗ୍ରୀଡ୍‌କୋ ସହିତ ଆପଣା ପରିବାରକୁ ଭରଣପୋଷଣ କରିବ ।

ଲୋକଙ୍କୁ ଚଢ଼ାଦରରେ ବିଜୁଳି ନବିକିଲେ, ଟାଟା କମ୍ପାନୀ ତା’ର ବିଶାଳ ପରିବାରକୁ ଭରଣପୋଷଣ କରିବ କିପରି? ସହଜ ଭାଷାରେ କହିଲେ, ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କୁ ଚଢ଼ାଦରରେ ବିଜୁଳି କିଣିବାକୁ ବାଧ୍ୟ କରୁଛନ୍ତି କ୍ଷମତାସୀନ ସରକାର ।ଲୋକଙ୍କ ଭୋଟ ବଳରେ କ୍ଷମତାକୁ ଯାଇ କମ୍ପାନୀ ପ୍ରତି ଅନୁକମ୍ପା ଦେଖାଇ ଲୋକଙ୍କ ମୁଣ୍ଡକୁ ହରଡ଼ ଘଣାରେ ପେଷିବା ନୀତି ପଛରେ କାହାକୁ ଦାୟୀ କରାଯିବ; ଆପଣମାନେ ବିଚାର କରନ୍ତୁ ।ସୂଚନା ମୁତାବକ ରାଜ୍ୟ ସରକାରଙ୍କ ସୁପାରିଶ ପାଇ ଗ୍ରୀଡ୍‌କୋ ବିଜୁଳି ଦର ବୃଦ୍ଧି କରିବାକୁ ନିଷ୍ପତି ନେଇଛି । ବଲଟି ଏବେ ଓଡିଶା ବିଦ୍ୟୁତ ନିୟାମକ କମିଶନଙ୍କ କୋର୍ଟରେ ବିଚାରାଧୀନ ରହିଛି । ନିର୍ବାଚନ ପରେ ବିଜେଡି ସରକାର କ୍ଷମତାସୀନ ହେଲେ, ବିଜୁଳି ଦରବୃଦ୍ଧି ସୁନିଶ୍ଚିତ ।