ବିଜେଡିର ବିକାଶ ହୁକାକୁ ଏବେ ଧରିଛି ବିଜେପି । ରାଜ୍ୟକୁ ବଡ଼ବଡ଼ ଶିଳ୍ପପତିଙ୍କୁ ଡକାଯାଇ ସେମାନଙ୍କୁ ମାମୁଲି ମୂଲ୍ୟରେ ପାଣି, ବିଜୁଳି, ଜମି, ଖଣି ଖାଦାନ ଯୋଗାଇ ଦେଇ ସାଢେ଼ ଚାରିକୋଟି ଲୋକଙ୍କୁ ସବୁଦିନ ପାଇଁ ଗୋଲାମ କରି ରଖିବାର ଯୋଜନା କରୁଛନ୍ତି ପ୍ରତି ରାଜନୈତିକ ଦଳ ।
ରାଜ୍ୟ ଓ ରାଜ୍ୟବାସୀଙ୍କର ଉନ୍ନତି ହେଉ କି ନହେଉ, ଶିଳ୍ପ ପ୍ରତିଷ୍ଠା ଓ ଶିଳ୍ପପତିଙ୍କୁ ସଙ୍ଖୋଳିବା ଆଳରେ ରାଜକୋଷରୁ ବହୁ କୋଟି ଟଙ୍କା ଚାଲିଯାଉଛି କ୍ଷମତାସୀନ ଦଳ ପାଣ୍ଠିକୁ ।
ପୂର୍ବରୁ ବିଜେଡି ସରକାର ରାଜକୋଷକୁ ଲୁଟୁଥିଲା, ଏବେ ବିଜେପି ସରକାର ସେଇ କାମରେ ବ୍ୟସ୍ତ ଅଛି । ବିଜେଡି ଓ ବିଜେପି । ଗୋଟିଏ ମୁଦ୍ରାର ଦୁଇପାଖ । ଲୋକଙ୍କୁ ଠକିବାରେ କେହି କାହାଠାରୁ କମ୍ ନୁହନ୍ତି । ପୂର୍ବରୁ ବିଜେଡି ସରକାର ମହା ଆଡମ୍ବରପୂର୍ଣ୍ଣ ପରିବେଶ ଭିତରେ ବଡ଼ ବଡ଼ ଶିଳ୍ପପତିଙ୍କୁ ରାଜ୍ୟବାସୀଙ୍କ ସାମ୍ନାକୁ ଆଣି ଆଞ୍ଜୁଳା ଆଞ୍ଜୁଳା ସପନ ଦେଖାଇ ରାଜକୋଷ ଲୁଟୁଥିଲା । ଏବେ ବିଜେପି ସେଇ କାମ ଚଳାଇଛି । ଖଣି ଖାଦାନ ଲୋଭରେ ବହୁଦେଶୀୟ କମ୍ପାନୀ ଓଡ଼ିଶାକୁ ଆସୁଛନ୍ତି, କାରଖାନା ବସାଇବାର ସ୍ୱପ୍ନ ଦେଖାଉଛନ୍ତି । ସରକାରଙ୍କ ସହିତ ବୁଝାମଣା ପତ୍ର ତିଆରି କରୁଛନ୍ତି ।
ମାତ୍ର ବୁଝାମଣା ପତ୍ରକୁ ପାଳନ କରିବା ଭୁଲି ଯାଉଛନ୍ତି । ବିଭିନ୍ନ କାରଣରୁ କାରଖାନା ବସାଇବା ସମ୍ଭବ ହୋଇପାରୁନି । ବିଧାନସଭା ଅଧିବେଶନରେ ପୁରୁଣା ମୂଷା ରାଜା ସ୍ୱାଇଁଙ୍କ ପ୍ରଶ୍ନର ଜବାବରେ ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା କହନ୍ତି, ବିଜେଡି ଅମଳରେ ୨୦ ସଂସ୍ଥା ତକ୍ରାଳୀନ ସରକାରଙ୍କ ସହିତ ବୁଝାମଣା କରିଥିଲେ । ସେଗୁଡ଼ିକ ଭିତରୁ ୫ଟି ଅଚଳ ହୋଇପଡ଼ିଛି । ୧୧ଟି ସଂସ୍ଥା କାରଖାନା ନିର୍ମାଣ ଆରମ୍ଭ କରିନି । ୪ଟି କମ୍ପାନୀ ବୁଝାମଣା ପତ୍ର ବାତିଲ କରିଛନ୍ତି । ୨୦ଟି କମ୍ପାନୀକୁ କୌଣସି ଖଣି ଲିଜ ସୂତ୍ରରେ ଦିଆଯାଇନି । ଅଭିଯୁକ୍ତ କମ୍ପାନୀଗୁଡ଼ିକ ଭିତରେ ଆର୍ସେଲର ମିତଲ, ପୋସ୍କୋ ଇଣ୍ଡିଆ, ମହାରାଷ୍ଟ୍ର ସିମ୍ଲେସ୍ ଆଇରନ୍ ଆଣ୍ଡ ଷ୍ଟିଲ ଓ ଷ୍ଟରଲାଇଟ୍ ଆଇରନ୍ ଆଣ୍ଡ୍ ଷ୍ଟିଲ ବୁଝାମଣା ପତ୍ର ବାତିଲ କରିଥିଲେ । ଅଚଳ ପଡ଼ିଥିବା କାରଖାନା ଭିତରେ ଝାରସୁଗୁଡ଼ାର ଆକ୍ସନ୍ ଇସ୍ପାତ୍ ଆଣ୍ଡ୍ ପାୱାର, କଟକର ବିକେ ଷ୍ଟିଲ ଇଣ୍ଡଷ୍ଟ୍ରିଜ, ଢେଙ୍କାନାଳର ବିଆରଜି ଆଇରନ୍ ଆଣ୍ଡ୍ ଷ୍ଟିଲ, କେନ୍ଦୁଝରର ଦୀପକ ଷ୍ଟିଲ ଆଣ୍ଡ୍ ପାୱାର ଓ ସୁନ୍ଦରଗଡ଼ରେ ଓସିଏଲ୍ ଆଇରନ୍ ଆଣ୍ଡ୍ ଷ୍ଟିଲ ଅନ୍ୟତମ ।