ସଫଳତାର ଚାବିକାଠି ଦୃଢ଼ ଇଛାଶକ୍ତି: ପନିର ବିକି କୋଟିପତି

ସଫଳତାର ଚାବିକାଠି ହେଉଛି ଦୃଢ଼ ଇଛାଶକ୍ତି । ନୋଟ୍ ଗଦି ଉପରେ ଶୋଉଥିବା ଲୋକ ଦିନେ ଦାଣ୍ଡର ଭିକାରି ହୋଇଯାଇପାରେ । ମାତ୍ର ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ସଫଳତାର ଶିଖର ଛୁଇଁ ପାରିଥିବା ଲୋକ ନିକଟରେ ସମୟ ହାର ମାନିଯାଏ ।

୧୯୯୪ ମସିହାରେ କୌଣସି କାରଣରୁ ପାଠପଢ଼ା ଛାଡ଼ି ୧୬ ବର୍ଷୀୟ ଟି ସତୀଶ କୁମାର ପାରିବାରିକ ବ୍ୟବସାୟକୁ ଆଦରି ନେଲେ । ସତୀଶଙ୍କ ପରିବାର ଏରୋଡରେ ଖିର ବ୍ୟବସାୟ କରୁଥିଲେ । ଜଣେ ଏକନିଷ୍ଠ ସାଧକ ଭାବେ ଖିର ବ୍ୟବସାୟ ଭିତରେ ନିଜକୁ ହଜାଇ ଦେଇଥିଲେ ସତୀଶ । ଏବେ ସତୀଶ ପ୍ରାୟ ୨୦୦୦ କୋଟି ଟଙ୍କାର ମାଲିକ ।

କ’ଣ ଭାବୁଚନ୍ତି, କେବଳ ଖିର ବିକି ମାମୁଲି ଲାଭ ବଳରେ ସତୀଶ କୋଟିପତି ହୋଇଥିବେ! ସତୀଶ ଦେଖିଲେ କଂଚା ଖିରକୁ ବେଶି ସମୟ ସାଇତି ରଖିବା ମୁସ୍କିଲ । ଖିରକୁ ପନିର କରି ଦିଆଗଲେ, ବେଶି ସମୟ ରଖି ବିକା ଯାଇପାରିବ । ବାସ୍ ବନ୍ଦ କରିଦେଲେ ଖିର ବିକା, ଆରମ୍ଭ କଲେ ପନିର୍ ବେପାର । କିଛିଦିନ ପନିର ବେପାର କରିବା ପରେ ଆରମ୍ଭ କଲେ ମିଲ୍‌କି ମିଷ୍ଟ୍ ବେପାର । ସତୀଶଙ୍କ ମିଲ୍‌କି ମିଷ୍ଟ୍ ଏବେ ସାରାଦେଶରେ ଆଦୃତ ଲାଭ କରିଛି ।

ସତୀଶ ପେରୁଣ୍ଡୁରାଇ ଅଂଚଳରେ ପ୍ରାୟ ୫୫ ଏକର ଜମି ଉପରେ ଏକ କ୍ଷୀର ପ୍ରସେସିଂ ୟୁନିଟ୍ ଠିଆ କରିଛନ୍ତି । ଦିନକୁ ପ୍ରାୟ ୧.୫ ନିୟୁତ ଲିଟର କ୍ଷୀର ଉକ୍ତ ୟୁନିଟ୍‌ରେ ପ୍ରକ୍ରିୟାକରଣ ହେଉଛି । ପ୍ରାୟ ୬୭ ହଜାର ଦୁଗ୍ଧ ଚାଷୀ ସତୀଶଙ୍କ ୟୁନିଟ୍‌ରୁ ଲାଭ ପାଉଛନ୍ତି । ସତୀଶଙ୍କ କ୍ଷୀର ବ୍ୟବସାୟ ଫଟକା ବଜାରରେ ଚହଳ ପକାଇଛି ।