ମହଙ୍ଗା ହେଉଛି ପିଲାଙ୍କ ପାଠପଢ଼ା : କାଙ୍ଗାଳ ହେଉଛନ୍ତି ଅଭିଭାବକ

ଭାରତର ଶିକ୍ଷା ବ୍ୟବସ୍ଥା ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ସରକାରଙ୍କ ହାତରୁ ଯାଇ ବ୍ୟବସାୟୀଙ୍କ ପକେଟ୍ ଭିତରେ ରହିଯାଇଛି ଶିକ୍ଷା ବ୍ୟବସ୍ଥା । ଫଳରେ ଶିକ୍ଷାଦାନ ଏବେ ଟଙ୍କା ରୋଜଗାର କରିବାର ଏକ ପ୍ରଧାନ ମାଧ୍ୟମ ହୋଇଯାଇଛି ।
ପିଲାଟିଏ ଜନ୍ମ କରିବା ପରେ ବାପା ମା’ ଓ ପରିବାର ଭାରି ଖୁସି ହୁଅନ୍ତି । କିନ୍ତୁ ସେହି ପିଲାଟିକୁ ଭଲ ମଣିଷ କରି ନପାରିଲେ ପରିବାର ଉପରେ ସଂକଟ ମାଡ଼ିପଡ଼େ ।

ଭଲ ବିଦ୍ୟାଳୟଟିଏ ଦେଖି ଅଭିଭାବକ ପିଲାଟିର ନାମ ଲେଖାଇ ଦିଅନ୍ତି । ଭଲ ବିଦ୍ୟାଳୟ କହିଲେ ଆଜିକାଲି ଯୋଉଠି ନାମ ଲେଖାଇବା ଫିସ୍ ସବୁଠାରୁ ଅଧିକ ।

ଏମିତି ଏକ ବିଦ୍ୟାଳୟରେ ନାମ ଲେଖାଇ ଅଭିଭାବକଟିଏ ତଳିତଳାନ୍ତ ହୋଇଯାଉଛନ୍ତି । ମାତ୍ର ପିଲାଟି ଭଲ ନମ୍ବର ରଖି ପାସ୍ କରିପାରୁନି ।

ସତରେ, ଆଉ ମହତ୍ ସେବା ହୋଇ ରହିନାହିଁ ପାଠପଢ଼ା । ଆଜିକାଲି ପିଲା ଜନ୍ମ କରିବା ମହଙ୍ଗା ହୋଇଗଲାଣି । ପିଲାଟିଏ ଜନ୍ମ କରିବା ପୂର୍ବରୁ ତା’ର ପାଠପଢ଼ା ଓ ତାକୁ ମଣିଷ କରିବା କଥା ଆଗ ବିଚାର କରୁଛନ୍ତି ବାପା ମା’ ।
ଗୋଟିଏ ଉଦାହରଣ ଦେଉଛି ।

ବେଙ୍ଗାଲୁରୁରେ ପ୍ରତିଷ୍ଠିତ ଏକ ଅନ୍ତର୍ଜାତୀୟ ବିଦ୍ୟାଳୟଟିଏ ଅଛି । ସେହି ବିଦ୍ୟାଳୟରେ ପ୍ରଥମ ଷ୍ଟାଣ୍ଡାର୍ଡ ପିଲାଟିର ପାଠପଢ଼ା ଖର୍ଚ୍ଚ ହେଉଛି ବାର୍ଷିକ ୭ ଲକ୍ଷ ୩୫ ହଜାର ଟଙ୍କା । ହାର୍ଦ୍ଦିକ ପାଣ୍ଡ୍ୟା ନାମକ ଜଣେ ବ୍ୟକ୍ତି ତାଙ୍କର ଏକ୍ସ ଆକାଉଂଟରେ ବିଦ୍ୟାଳୟର ରସିଦଟିଏ ସେୟାର କରିଛନ୍ତି ।

ପିଲାଟିର ପ୍ରାଥମିକ ଶିକ୍ଷା ଆରମ୍ଭରୁ ଯଦି ଜଣେ ଅଭିଭାବକଙ୍କୁ ବାର୍ଷିକ ସାଢ଼େ ସାତଲକ୍ଷ ଟଙ୍କା ଦେବାକୁ ପଡୁଛି । ପିଲାଟିକୁ ଇଂଜିନିୟରିଂ ନତୁବା ଡାକ୍ତରୀ ପଢ଼ାଇବା ବେଳକୁ ଅଭିଭାବକଙ୍କୁ ଘରବାଡ଼ି, ବ୍ୟବସାୟ ପ୍ରତିଷ୍ଠାନ ବିକିବାକୁ ପଡ଼ିବ!

ପାଠପଢ଼ା ଫିସ୍ କାନରେ ପଡ଼ିଯିବା କ୍ଷଣି କାଳେ ଅଭିଭାବକ ପଳାଇବେ, ତେଣୁ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକଙ୍କୁ କିସ୍ତି ଆକାରରେ ଫିସ୍ ଭରିବାକୁ ପରାମର୍ଶ ଦିଅନ୍ତି ।

ନାମ ଲେଖିବା ପାଇଁ ଆବେଦନ ଫର୍ମଟିର ଫିସ୍ ଏକ ହଜାର ଟଙ୍କା । ନାମଲେଖା ଫିସ୍ ବାବଦକୁ ଏକ ଲକ୍ଷ ଟଙ୍କା ଯାହା ଅଣଫେରସ୍ତ ଯୋଗ୍ୟ । ଇଏ ତ ଆରମ୍ଭ ମାତ୍ର । ପିଲା ଯେତିକି ଉପର ଶ୍ରେଣୀକୁ ଉଠିବ, ସେହି ଅନୁସାରେ ଫିସ୍ ବଢ଼ିବ । ଗ୍ରେଡ୍ ଏକାଦଶ ଅବା ଦ୍ୱାଦଶ ଶ୍ରେଣୀର ପିଲାଙ୍କର ବାର୍ଷିକ ଦେୟ ପ୍ରାୟ ୧୧ ଲକ୍ଷ ଟଙ୍କା ପଡ଼ିଯାଉଛି । ଏଇ ହେଉଛି ଭାରତରେ ଘରୋଇ ବିଦ୍ୟାଳୟରେ ମହଙ୍ଗା ଶିକ୍ଷାଦାନ ବ୍ୟବସ୍ଥା ।
ଆପଣମାନେ ଖୁସି ତ!