ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ୪ ରାଷ୍ଟ୍ରାୟତ୍ତ (ପିଏସୟୁ) ବ୍ୟାଙ୍କର ସେୟାର ବିକ୍ରି କରିବେ କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅର୍ଥମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ୪ଟି ହେଉଛି ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର, ୟୁକୋ ବ୍ୟାଙ୍କ ଏବଂ ଆଇଡିବିଆଇ ବ୍ୟାଙ୍କ। ଏଗୁଡ଼ିକର ଅଂଶଧନ ବିକ୍ରି ହେବାନେଇ ଚିହ୍ନଟ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଏସବୁ ବ୍ୟାଙ୍କରେ ଭାରତୀୟ ସରକରଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବୃହତ୍ତ ଅଂଶଧନ ଅଛି । କୋରୋନା କଟକଣା ମଧ୍ୟରେ ଦେଶର ଅର୍ଥନୀତି ବ୍ୟାପକ ପ୍ରଭାବିତ ହୋଇଛି । ରାଜସ୍ବ ଆଦାୟ ପ୍ରବଳ ପରିମାଣରେ କମିଛି । ଏଣୁ ବ୍ୟାଙ୍କ ଏବଂ ଅନ୍ୟାନ ରାଷ୍ଟ୍ରାୟତ୍ତ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ଜରିଆରେ କେନ୍ଦ୍ର ସରକାର ଅନ୍ୟ ଜରୁରୀ ପଦକ୍ଷେପ ପାଇଁ ପୁଞ୍ଜି ଯୋଗାଡ କରିବା ଯୋଜନା କରୁଛନ୍ତି।
2021 ମାର୍ଚ୍ଚ ସୁଦ୍ଧା, ଅର୍ଥାତ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା 4ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରକ୍ରିୟା ଚାଲୁ କରିବା ପାଇଁ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଅର୍ଥମନ୍ତ୍ରାଳୟକୁ ଚିଠି ଲେଖି କୁହାଯାଇଛି। ପ୍ରକାଶ ଯେ, ବର୍ତ୍ତମାନ ଦେଶରେ 12 ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଛି ।