କେମିତି ହୋଇପାରିବେ ପିଏମ୍‌ କିଷାନ ସମ୍ମାନ ଯୋଜନା ହିତାଧିକାରୀ?

ପିଏମ୍‌ କିଷାନ୍‌ ସମ୍ମାନ ଯୋଜନା ଆଧାରରେ ପ୍ରତି ବର୍ଷ ତିନିଥର କରି ୬ ହଜାର ଟଙ୍କା କୃଷକଙ୍କ ଜମାଖାତାକୁ ପଠାଯାଇଥାଏ । ପ୍ରତି ଚାରିମାସ ଅନ୍ତରରେ ଚାଷୀଙ୍କ ଜମାଖାତାକୁ ୨ ହଜାର ଟଙ୍କା ପଠାଯିବାର ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଛୋଟ ଚାଷୀ ଓ ସୀମାନ୍ତ ଚାଷୀମାନେ ଏହି ଯୋଜନାର ସୁଫଳ ପାଇପାରିବେ । ଯୋଉ ଚାଷୀଙ୍କର ଜମିର ପରିମାଣ ୫ ଏକର ବା ତା’ଠାରୁ କମ୍‌ ହୋଇଥିବ, ସେଇମାନେ ପିଏମ୍‌ କିଷାନ୍‌ ସମ୍ମାନ ଯୋଜନାର ହିତାଧିକାରୀ ହୋଇପାରିବେ ।

ପ୍ରଥମେ ଆପଣଙ୍କୁ ଔପଚାରିକ ଭାବେ କୃଷକ ହିସାବରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ନାମ ପଞ୍ଜୀକରଣ ପାଇଁ ଆପଣଙ୍କୁhttps://pmkisan.gov.in ୱେବ୍‌ସାଇଟ୍‌କୁ ଯିବାକୁ ପଡ଼ିବ । ସେହି ୱେବ୍‌ ସାଇଟ୍‌ରେ New Farmer Registration ଅପସନ୍‌ ଉପରେ କ୍ଲିକ୍‌ କରନ୍ତୁ । ସ୍କ୍ରିନ୍‌ ଉପରେ ଆପଣଙ୍କୁ ପଚରାଯିବ ଯେ ଗ୍ରାମୀଣ କୃଷକ ନା ସହରାଂଚଳ କୃଷକ । ଦୁଇଟି ଯାକ ଭିତରୁ ଆପଣ ଯେକୌଣସି ଗୋଟିଏ ଚୟନ କରନ୍ତୁ । ତା’ ପରେ ଆପଣଙ୍କୁ ଆଧାର ନମ୍ବର, ମୋବାଇଲ୍‌ ନମ୍ବର ଲେଖନ୍ତୁ ଓ ରାଜ୍ୟର ନାମ ଚୟନ କରନ୍ତୁ । ତା’ପରେ କାପ୍‌ଚା କୋଡ୍‌ ଲେଖିବାକୁ ପଡ଼ିବ । ଏତିକି କରିବା ପରେ ଆପଣଙ୍କ ମୋବାଇଲକୁ ଗୋଟିଏ ଓଟିପି ନମ୍ବର ଯିବ । ଓଟିପି ନମ୍ବରଟି ଲେଖିବା ପରେ ଆପଣଙ୍କ ଆଧାର କାର୍ଡ ଉପରେ ଲିଖିତ ମୋବାଇଲ ନମ୍ବରକୁ ଓଟିପି ନମ୍ବର ଯିବ ।

ସେତିକି ଉଲ୍ଲେଖ କରିବା ପରେ ପରଦା ଉପରେ ପଞ୍ଜୀକରଣ ଫର୍ମ ଖୋଲିଯିବ । ଉକ୍ତ ଫର୍ମରେ ସବୁ ତଥ୍ୟ ଉଲ୍ଲେଖ କରିବାକୁ ପଡ଼ିବ । ଫର୍ମଟିରେ ଜିଲ୍ଲା, ସହର ଓ ୱାର୍ଡ ଲେଖିବ । କ୍ୟାଟେଗୋରୀ ଭାବେ ଏସ୍‌ସି/ଏସ୍‌ଟି/ଜେନେରାଲ ଚୟନ କରିବ । ଫାର୍ମର ଟାଇପ୍‌ ରେ ଜମିର ପରିମାଣ ଉଲ୍ଲେଖ କରିବ । ପଞ୍ଜୀକରଣ ଆଇଡି ଓ ରାସନ୍‌ କାର୍ଡ ନମ୍ବର ଲେଖିବାକୁ ପଡ଼ିବ । ଆପଣଙ୍କୁ ପିଏମ୍‌ କିଷାନ ମନଧନ ଯୋଜନା ବାବଦ ଲାଭ ମିଳୁଛି କି ନାହିଁ, ଜଣାଇବାକୁ ପଡ଼ିବ । ଆପଣଙ୍କ ଜମିର ପରିମାଣ ଓ ବ୍ୟାଙ୍କ ଖାତା ନମ୍ବର ଓ ଅନ୍ୟାନ୍ୟ ସୂଚନା ଦେବାକୁ ପଡ଼ିବ । ଦରକାର ମୁତାବକ ଦସ୍ତାବିଜ ଅପ୍‌ ଲୋଡ୍‌ କରି ସାରିବା ପରେ ‘ସେଭ୍‌’ ଉପରେ କ୍ଲିକ୍‌ କରନ୍ତୁ । ଏତକ କରି ସାରିବା ପରେ ଆପଣଙ୍କ ଆବେଦନ ପତ୍ର ସ୍ୱୀକାର କରାଯିବ । ତା’ ପରେ ସରକାରଙ୍କ ନିର୍ଦ୍ଧାରିତ ସମୟରେ ଆପଣଙ୍କ ଜମାଖାତାକୁ ଟଙ୍କା ଆସିବା ଆରମ୍ଭ ହୋଇଯିବ ।