ନୂଆଦିଲ୍ଲୀ: ରାଜନୀତିକୁ ବ୍ୟବସାୟ ରୂପେ ବାଛିନେଇଛି ବିଜେପି । ଲାଭଖୋର ଶିଳ୍ପପତିଙ୍କୁ ମାଲାମାଲ କରିବା ପାଇଁ ବିଜେପି ୧୪୦ କୋଟି ଜନତାଙ୍କ ଝାଳବୁହା ଧନକୁ ପାଣି ପରି ବୁହାଇ ଦେଉଛି । ଲୋକଙ୍କ ରକ୍ତମାଂସ ହାଡ଼କୁ ବିକି ସେଥିରୁ ଟଙ୍କା ରୋଜଗାର କରିବାର କୌଣସି ବାଟକୁ ଛାଡ଼ିପାରୁନି ବିଜେପି ।
ମାତ୍ର ସାମାନ୍ୟ ଆଂଚଳିକ ଦଳ ଆମ୍ ଆଦ୍ମୀ ପାର୍ଟି ଦିଲ୍ଲୀ ଜନତାଙ୍କର କଲ୍ୟାଣ ପାଇଁ ରାଜକୋଷକୁ ଖାଲି କରି ଦେବାକୁ ପଛକୁ ହଟୁନି । ଦିଲ୍ଲୀରେ ଗୋଟିଏ ହେଲେ ବିଜୁଳି ଉତ୍ପାଦନ କେନ୍ଦ୍ର ନାହିଁ । ତଥାପି ସେଠାକାର ଲୋକଙ୍କୁ ମାଗଣାରେ ବିଜୁଳି ସେବା ଯୋଗାଇ ଦେବା ପାଇଁ ଆମ୍ ଆଦ୍ମୀ ପାର୍ଟି ସରକାର ପ୍ରାଣପଣେ ଲାଗିପଡ଼ିଛି ।
ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଭେଟି ପ୍ରଦାନ କରିଛନ୍ତି । ଦିଲ୍ଲୀ ସରକାରଙ୍କ ନୂଆ ସୌର ବିଜୁଳି ନୀତି ୨୦୨୪ ଅନୁସାରେ ଲୋକଙ୍କ ଘରଛାତରେ ସୌରଶକ୍ତି ପ୍ୟାନେଲ ଲଗାଯିବ ।
ମନଇଛା ବିଜୁଳି ବ୍ୟବହାର କରିବା ପାଇଁ ୟା’ଠାରୁ ବଳି ସହଜ ବାଟ ଆଉ କ’ଣ ଅଛି? କେଜ୍ରିୱାଲ କହିଛନ୍ତି, ସୌର ପ୍ୟାନେଲ ବଳରେ ମାସକୁ ୭୦୦ରୁ ୯୦୦ ଟଙ୍କାର ବିଜୁଳି ଶକ୍ତି ଉତ୍ପାଦନ କରି ହେବ । ସୂଚନା ମୁତାବକ, ଦିଲ୍ଲୀରେ ୨୦୦ ୟୁନିଟ୍ ବିଜୁଳି ମାଗଣା । ୨୦୦ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ଅଧା ଓ ତା’ଠାରୁ ଅଧିକ ୟୁନିଟ୍ ଉପରେ ନିର୍ଦ୍ଧାରିତ ଦେୟ ପଇଠ କରିବାକୁ ପଡୁଥିଲା ।