ନୂଆଦିଲ୍ଲୀ: ଚଢ଼ାଦରରେ ବ୍ୟାଟେରି ଚାଳିତ ଗାଡ଼ି ବିକିବ, ରାଜକୋଷକୁ ମାମୁଲି ଟିକସ ପଇଠ କରିବ । ଏମିତି ଏକ ସୁଚିନ୍ତିତ ପ୍ରତିଶ୍ରୁତି ପାଇବା ପରେ ଭାରତକୁ ଫେରିଛି ଟେସ୍ଲା । ୱାଶିଂଟନରେ ଟେସ୍ଲା ପ୍ରତିଷ୍ଠାତା ଏଲନ୍ ମସ୍କ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ଶେଷ ହୋଇଛି ।
ପ୍ରାଥମିକ ପର୍ଯ୍ୟାୟରେ ୧୩ ଜଣ ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରି ସେହିମାନଙ୍କ ହାତରେ ଟେସ୍ଲାର ଗୁରୁଦାୟିତ୍ୱ ଦେବାର ଅଭିଳାଷ ରଖିଛନ୍ତି ଶିଳ୍ପପତି ମସ୍କ ।
ଆଶାୟୀଙ୍କ ନିକଟରୁ ଔପଚାରିକ ଭାବେ ଆବେଦନ ପତ୍ର ଆହ୍ୱାନ କରାଯାଇଛି । ବିଶେଷ କରି ସିଧାସଳଖ ଉପଭୋକ୍ତାଙ୍କ ସହିତ ବ୍ୟବସାୟିକ ସଂପର୍କ ପ୍ରତିଷ୍ଠା ଠାରୁ ଆରମ୍ଭ କରି କମ୍ପାନୀ ପରିଚାଳନା ପର୍ଯ୍ୟନ୍ତ କାମକୁ ବିଜ୍ଞତାର ସମ୍ଭାଳିବା ଉପରେ ଗୁରୁତ୍ୱ ଦିଆଯାଉଛି । ନବନିଯୁକ୍ତ ଅଧିକାରୀଙ୍କୁ ମୁମ୍ବାଇ ଓ ଦିଲ୍ଲୀରେ ଅବସ୍ଥାପିତ କରାଯିବ ।
ଏଠାରେ ଜଣାଇ ଦିଆଯାଉଛି କି, ବହୁ ପୂର୍ବରୁ ଟେସ୍ଲା ଭାରତକୁ ଆସିଥିଲା ।
ମାତ୍ର ଭାରତ ସରକାରଙ୍କ ଚଢ଼ା ଟିକସ ନୀତିକୁ ନାପସନ୍ଦ କରି ଟେସ୍ଲା ପଳାୟନ କରିଥିଲା ।
ମୋଦିଙ୍କ ସହ ଆଲୋଚନା ସମୟରେ ମସ୍କ ଅବଗତ ହୋଇଥିଲେ ଯେ ଭାରତର ବହିଃଶୁଳ୍ପ ଟିକସ ହାର ଶତକଡ଼ା ୧୧୦ରୁ ୭୦କୁ କମିଯାଇଛି । ବିଶେଷ କରି ୪୦ ହଜାର ଡଲାରରୁ ଅଧିକ ମୂଲ୍ୟର ବ୍ୟାଟେରି ଚାଳିତ ଗାଡ଼ିଗୁଡ଼ିକ ଉପରେ ଚଢ଼ା ଟିକସ ଆଦାୟରେ ମସ୍କ ଅସନ୍ତୋଷ ପ୍ରକାଶ କରିଥିଲେ ।