ନୂଆଦିଲ୍ଲୀ: ମାତ୍ର ୯ ଟଙ୍କାରେ ବିଦେଶ ବୁଲିବାର ସୁଯୋଗ । ଆଶ୍ଚର୍ଯ୍ୟ ଲାଗୁଛି! ଆନ୍ତର୍ଜାତିକ ବିମାନ ସେବା ସଂସ୍ଥା ‘ଭିଏତ୍ଜେଟ୍’ ପକ୍ଷରୁ ଭାରତରୁ ଭିଏତନାମ ଯିବା ପାଇଁ ବିମାନ ଭଡ଼ା ୯ ଟଙ୍କା ରଖାଯାଇଛି । ଯଦି ଆପଣ ଭିଏତନାମ୍ ବୁଲିବାର ଯୋଜନା ରଖିଛନ୍ତି, ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ଭାରତ-ଭିଏତ୍ନାମ ମଧ୍ୟରେ ୧୭ଟି ରୁଟ୍ ଦେଇ ବିମାନ ଚଳାଚଳ କରିବାକୁ ଯାଉଛି । ଉକ୍ତ ରୁଟ୍ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ଅଫର୍ ଘୋଷଣା କରାଯାଇଛି ।
ଅଗଷ୍ଟ ୪ ତାରିଖରୁ ଲାଗୁ ହୋଇଥିବା ଅଫର୍ ୨୬ ତାରିଖ ପର୍ଯ୍ୟନ୍ତ ଅଛି । ଅବଶ୍ୟ ଏଥିପାଇଁ ଆପଣଙ୍କୁ କେବଳ ବୁଧବାର, ଗୁରୁବାର ଓ ଶୁକ୍ରବାର ଟିକେଟ୍ କିଣିବାକୁ ପଡ଼ିବ । ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, ଭିଏତ୍ଜେଟ୍ ପକ୍ଷରୁ ଭାରତରୁ ଭିଏତ୍ନାମ ଯାତ୍ରା ପାଇଁ ୩୦ ହଜାର ପ୍ରମୋଶନାଲ ଟିକେଟ୍ ଅଫର୍ କରିଛି । ତଦନୁଯାୟୀ, ଅଗଷ୍ଟ ୧୫, ୨୦୨୨ଠାରୁ ୨୬ ମାର୍ଚ୍ଚ, ୨୦୨୩ ଭିତରେ ଆପଣ ଯେକୌଣସି ଦିନ ଯାତାୟତ କରିପାରିବେ । ଅବଶ୍ୟ ସେଥିପାଇଁ ଚଳିତ ଅଗଷ୍ଟ ୨୬ ତାରିଖ ସୁଦ୍ଧା ଟିକେଟ୍ କିଣିବା ପାଇଁ ସୁଯୋଗ ଦିଆଯାଇଛି ।
ଭିଏତ୍ଜେଟ୍ ନିର୍ଦ୍ଦେଶକ ଲିଙ୍ଗେଶ୍ୱରଙ୍କ ସୂଚନା ମୁତାବକ ଭାରତ-ଭିଏତ୍ନାମ ମଧ୍ୟରେ ଆରମ୍ଭ ହୋଇଥିବା ୧୭ଟି ରୁଟ୍ ଭିତରୁ ଭାରତର ପାଂଚଟି ସହରରୁ ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ବିଶେଷ କରି ଭାରତରୁ ଭିଏତ୍ନାମ ଉପକୂଳ ସହର ଡା ନାଂଗକୁ ସିଧାସଳଖ ଯାତ୍ରା ସୁବିଧା ଥିବାରୁ ଯାତ୍ରୀମାନେ ଭରପୁର ଫାଇଦା ଉଠାଉଛନ୍ତି । ଭିଏତନାମ ପ୍ରତି ଭାରତୀୟ ପର୍ଯ୍ୟଟକଙ୍କ ଆକର୍ଷଣ କ୍ରମେ ବୃଦ୍ଧି ପାଉଛି । ୟା’ ଭିତରେ ଭିଏତ୍ନାମ ସରକାର ଭିସା ପ୍ରକ୍ରିୟାକୁ ଆହୁରି ସରଳ କରିଛନ୍ତି ।