ୱାଶିଂଟନ୍: ବିଦେଶରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଯାଉଥିବା ଷ୍ଟିଲ ଓ ଆଲୁମିନିୟମ୍ ଉପରେ ଅଧିକ ଟିକସ ବୋଝ ଲଦି ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେଠାରେ ପ୍ରତିଷ୍ଠିତ ଲୁହା ଓ ଆଲୁମିନିୟମ୍ କାରଖାନା ମୁଣ୍ଡରେ ଚଡ଼କ ପକାଇ ଦେଇଛନ୍ତି ।
ଷ୍ଟିଲ ଓ ଆଲୁମିନିୟମ୍ ଉପରେ ବହିଃଶୁଳ୍କ ବୃଦ୍ଧି କରିବା ପୂର୍ବରୁ ଟ୍ରମ୍ପଙ୍କୁ ତାଙ୍କ ଦେଶର ଇସ୍ପାତ୍ ଶିଳ୍ପ ପ୍ରତି ଟିକେ ଭାବିବା ଉଚିତ ଥିଲା । ଷ୍ଟିଲ ଓ ଆଲୁମିନିୟମ୍ ରପ୍ତାନୀ ଉପରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ୨୫% ସଂଶୋଧିତ ଟିକସ୍ ଆଦାୟ କରିବାକୁ ନିଷ୍ପତି ନିଆଯାଇଛି । କାନାଡାରୁ ଅଣାଯାଉଥିବା ଷ୍ଟିଲ ଓ ଆଲୁମିନିୟମ୍ ଉପରୁ ୫୦% ଲେଭି ଆଦାୟ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଶେଷ କରି ଲୁହା ଓ ଆଲୁମିନିୟମ୍କୁ କଂଚାମାଲ ରୂପେ ବ୍ୟବହାର କରୁଥିବା ଅଣୁ, କ୍ଷୁଦ୍ର, ମଧ୍ୟମ ଓ ଭାରୀ ଉଦ୍ୟୋଗଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।