ଏହି ଦେଶରେ ତାଣ୍ଡବ ରଚୁଛି କୋରନା ସଂକ୍ରମଣ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । କିନ୍ତୁ ଦକ୍ଷିଣ କୋରିଆରେ କୋରନା ସଂକ୍ରମଣ ଭୟଙ୍କର ତାଣ୍ଡବ ରଚୁଛି । ସେହିପରି ସେଠାରେ ଗୋଟିଏ ଦିନରେ ୬ ଲକ୍ଷରୁ ଅଧିକ ନୂଆ କୋଭିଡ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏନେଇ ଦ.କୋରିଆ ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ ଏଜେନ୍ସୀ ଏହି ସୂଚନା ଦେଇଛନ୍ତି । ଏହି ନୂଆ ମାମଲା ସହ ଦେଶରେ ଗୋଟିଏ ଦିନରେ ୫୦ ପ୍ରତିଶତ କରୋନା ସଂକ୍ରମଣ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ବିଶେଷଜ୍ଞମାନ ଆକଳନ କରୁଥିଲେ ଯେ, ମାର୍ଚ୍ଚ ବେଳକୁ ଦେଶରେ କରୋନା ସଂକ୍ରମଣ ପିକରେ ରହିବ । ଏହି ସମୟରେ ଦୈନିକ ସଂକ୍ରମଣ ୧ ଲକ୍ଷ ୪୦ ହଜାରରୁ ୨ଲକ୍ଷ ୭୦ ହଜାରକୁ ପହଞ୍ଚିପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଅନୁମାନ କରିଥିଲେ । ତେବେ ବର୍ତ୍ତମାନେ ଦୈନିକ ସଂକ୍ରମଣ ୬ ଲକ୍ଷ ପାର କରିବ ବୋଲି କେହି ଭାବିନଥିଲେ । ସବୁଠୁ ବଡ କଥା ହେଲା ଯେ, ସେଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲେ ସୁଦ୍ଧା ସେଠାକାର ସରକାର ଏପର୍ଯ୍ୟନ୍ତ କୌଣସି କଟକଣା ନେଇ ଚିନ୍ତା ମଧ୍ୟ କରୁ ନାହାନ୍ତି । ଅନ୍ୟପକ୍ଷରେ ସଂକ୍ରମଣ ମାଡି ମାଡି ଚାଲିଥିବା ବେଳେ କାର୍ଯ୍ୟାଳୟ, ବ୍ୟବସାୟ ବାଣିଜ୍ୟ ସ୍ୱଭାବିକ ଚାଲିଛି । ସେହିପରି ଦେଶରେ ଯାହାବି କଟକଣା ଅଛି ତାକୁ ମଧ୍ୟ ସରକାର ହଟାଇବାକୁ ପ୍ରସ୍ତୁତ ହେଉଛନ୍ତି ।