ପ୍ରେମିକକୁ ମନାଇବା ପାଇଁ ୬୦୦ କିମି ଧାଇଁ ଆସିଥିଲେ, ନିର୍ଦ୍ଦୟଟା ମାରିଦେଲା

ପ୍ରେମିକକୁ ବିବାହ ପାଇଁ ରାଜି କରିବାକୁ ବିଚାରି ୬୦୦ କିଲୋମିଟର ଧାଇଁ ଆସିଥିଲେ, ତା’ ପରଦିନ ତାଙ୍କ ପ୍ରାଣହୀନ ଶରୀରଟା କାର ଭିତରୁ ଉଦ୍ଧାର କରାଗଲା ।

ଘଟଣାର ପ୍ରାଥମିକ ଅନୁସନ୍ଧାନ କରିବା ପରେ ପୁଲିସ ନିଷ୍ଠୁର ପ୍ରେମିକକୁ ଗିରଫ କରିଛି । ୩୭ ବର୍ଷୀୟା ମହିଳାଙ୍କୁ ତାଙ୍କର ପୁରୁଷ ବନ୍ଧୁ ଜଣକ ଏକ ଲୁହା ରଡରେ ପିଟି ପିଟି ହତ୍ୟା କରିଛି ବୋଲି ପୁଲିସ ଜାଣିବାକୁ ପାଇଛି ।

ମୃତ ମହିଳାଙ୍କ ନାମ ମୁକେଶ କୁମାରୀ, ସେ ରାଜସ୍ଥାନର ଝୁନଝୁନୁ ଅଂଚଳରେ ଜଣେ ଅଙ୍ଗନବାଡ଼ି ସୁପରଭାଇଜର ଭାବେ କାମ କରୁଥିଲେ ।

ପ୍ରାୟ ୧୦ ବର୍ଷ ହେବ, ମୁକେଶ ତାଙ୍କ ସ୍ୱାମୀଙ୍କ ନିକଟରୁ ଅଲଗା ହୋଇ ଏକୁଟିଆ ରହୁଥିଲେ । ଗତ ବର୍ଷ ଅକ୍ଟୋବର ମାସରେ ବାରମେର ଅଂଚଳର ଜଣେ ଶିକ୍ଷକ ମାନରମଙ୍କ ସହିତ ତାଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା ।

ମୁକେଶ ଓ ମାନରମଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା ।

ମାନମରଙ୍କ ଉପରେ ଗଭୀର ବିଶ୍ୱାସ କରି ମୁକେଶ ଝୁନଝୁନୁରୁ ବାରମେର ପର୍ଯ୍ୟନ୍ତ ଦୀର୍ଘ ୬୦୦ କିଲୋମିଟର କାର ଚଳାଇ ଆସିଥିଲେ ।

ମୁକେଶଙ୍କ ଛାଡ଼ପତ୍ର ହୋଇସାରିଥିଲା । କିନ୍ତୁ ମାନମରଙ୍କ ଛାଡ଼ପତ୍ର ମାମଲା ବିଚାରାଧୀନ ରହିଛି । ପୁଲିସ ମତରେ ମୁକେଶ ମାନରମ ଉପରେ ଚାପ ପକାଇ ବାହା ହେବାକୁ ବସିଥିଲେ ।

ସେହି କଥାକୁ କେନ୍ଦ୍ର କରି ଉଭୟଙ୍କ ଭିତରେ ଭୀଷଣ କଳି ହୋଇଥିଲା । ମାମଲା ସ୍ଥାନୀୟ ପୁଲିସ ନିକଟକୁ ଯାଇଥିଲା । ସ୍ଥାନୀୟ ପୁଲିସ ଉଭୟଙ୍କୁ ଆପଣା ଆପଣା ଭିତରେ ସମାଧାନ କରିବାକୁ କହିଥିଲା ।

ମୁକେଶ ନିକଟରୁ ମୁକୁଳିବା ପାଇଁ ମାନରମ ଗୋଟିଏ ଉପାୟ ପାଂଚିଲା । ଗୋଟିଏ ଲୁହାରଡରେ ମୁକେଶ ମୁଣ୍ଡକୁ ବାରମ୍ବାର ପିଟି ଚାଲିଲା । ମୁକେଶ ମରିଯିବା ପରେ ତାଙ୍କୁ ଚାଳକ ଆସନରେ ବସାଇ ମାନରମ କାରଟିକୁ ରାସ୍ତାକଡ଼କୁ ଗଡ଼ାଇଦେଲା ।

ଯେପରି ସମସ୍ତେ ଭାବିବେ, କାର ଦୁର୍ଘଟଣାରେ ମୁକେଶ ପ୍ରାଣ ହରାଇଛନ୍ତି । ମାତ୍ର ବିଧିର ବିଧାନ ଥିଲା ଅଲଗା ।