ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ଏକ ନକଲି କଲ ସେଣ୍ଟରରେ ଚଢାଉ କରି ୪୬ ମହିଳା ସହ ୫୩ ଜଣଙ୍କୁ ଗିରଫ କରିଛି । କମ୍ ଟଙ୍କାରେ ମୋବାଇଲ ଦେଖାଇ ଲୋକଙ୍କ ଠାରୁ ଅର୍ଡର ରଖୁଥିଲେ ଓ ମୋବାଇଲ ବଦଳରେ ସାବୁନ ପଠାଉଥିଲେ । ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ଦୁଇଟି କଲ ସେଣ୍ଟର ଚଲାଉଥିଲେ । ସେମାନେ ନିଜକୁ ଡାକ ବିଭାଗ ଅଧିକାରୀ କହି ଲୋକଙ୍କୁ ଫୋନ କରୁଥିଲେ । ଏହି ରାକେଟ ଅନ୍ୟାନ୍ୟ ରାଜ୍ୟରେ ନିଜର କାରବାର ଚଲାଇ ଲୋକଙ୍କୁ ଟାର୍ଗେଟ କରୁଥିଲା । ପୋଲିସ କହିବାନୁସାରେ ଏହି ର୍ୟାକେଟ ଲୋକଙ୍କୁ ପ୍ରଲୋଭନ ଦେଖାଉଥିଲା ଯେ କମ ସମୟ ପାଇଁ ଅଫର ଦିଆଯାଇଛି ଯେ ୧୮ ହଜାର ଟଙ୍କାର ଦୁଇଟି ମୋବାଇଲ ଫୋନ ମାତ୍ର ୪୫୦୦ ଟଙ୍କାରେ ମିଳିବ । ଡାକ ବିଭାଗ ଜରିଆରେ ଲୋକଙ୍କୁ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇଥିଲା ଓ କ୍ୟାସ୍ ଅନ୍ ଡେଲିଭରି ଅପ୍ସନ ଦେଉଥିଲା ଯେପରି କେହି ସନ୍ଦେହ କରିପାରିବେ ନାହିଁ । ଯେଉଁମାନେ ଅଫରରେ ରାଜି ହେଉଥିଲେ ସେମାନଙ୍କୁ ଶସ୍ତା ସାବୁନ ପଠାଇ ଦେଇଥିଲେ ।
ସୂଚନା ଅନୁଯାୟୀ, ରୋହିଣୀ ଅଞ୍ଚଳରେ ଦୁଇଟି ଅଫିସ ଥିଲା ଯେଉଁଠି ଏହି ରାକେଟ ଚାଲିଥିଲା । ଏହି ଚଡାଉରେ ୬ଟି କମ୍ପ୍ୟୁଟର, ବାର କୋଡ଼ ସ୍କାନର, ୫ଟି ମୋଡେମ, ୮୬ଟି ମୋବାଇଲ ଫୋନ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।