କିରାଣୀଙ୍କ ଘରୁ ନଗଦ ୮୫ ଲକ୍ଷ ଟଙ୍କା

କିରାଣୀ ଘରୁ ଗଦାଗଦା ଟଙ୍କା …

ଭୋପାଳ: ମଧ୍ୟପ୍ରଦେଶର ଡାକ୍ତରୀ ଶିକ୍ଷା ବିଭାଗରେ କାର୍ଯ୍ୟରତ ଜଣେ କିରାଣୀଙ୍କ ଘର ଉପରେ ଚଢ଼ଉ କରି ନଗଦ ୮୫ ଲକ୍ଷ ଟଙ୍କା ଜବତ କରିଛି ରାଜ୍ୟ ସରକାରଙ୍କ ଇଓଡବ୍ଲ୍ୟୁ । କିରାଣୀ ହିରୋ କେଶୱାନୀଙ୍କ ଭୋପାଳସ୍ଥିତ ଘରେ ବୁଧବାର ସନ୍ଧ୍ୟା ସୁଦ୍ଧା ଯାଂଚ ସରିନାହିଁ । ଚାକିରିରେ ଯୋଗଦେବା ସମୟରେ କେଶୱାନୀଙ୍କ ମାସିକ ଦରମା ଥିଲା ମାତ୍ର ୪ ହଜାର ଟଙ୍କା । ଏବେ ମାସକୁ ୫୦ ହଜାର ଟଙ୍କା ଦରମା ପାଉଛନ୍ତି । କିନ୍ତୁ ତାଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଦେଖି ଆର୍ଥିକ ଅପରାଧ ଶାଖା ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବୁଧବାର ସକାଳେ କେଶୱାନୀଙ୍କ ଘର ଉପରେ ଚଢ଼ଉ ଆରମ୍ଭ କରାଯାଇଥିଲା । ଟଙ୍କା ବଣ୍ଡିଲଗୁଡ଼ିକ ଏକ ବ୍ରିଫକେଶ ଭିତରେ ଥିଲା । ବୈରାଗଡ଼ସ୍ଥିତ ବାଣିଜ୍ୟ ପ୍ରତିଷ୍ଠାନ ଉପରେ ଇଓଡବ୍ଲ୍ୟୁ ଚଢ଼ଉ କରିବା ଦେଖି କେଶୱାନୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି । କୁହାଯାଉଛି, ଇଓଡବ୍ଲ୍ୟୁ ଅଧିକାରୀଙ୍କୁ ଦେଖି କେଶୱାନୀ ଫିନାଇଲ୍‌ ପିଇ ଦେଇଥିଲେ । ସେ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । କେଶୱାନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଇଓଡବ୍ଲ୍ୟୁ ତା’ର ଯାଂଚ ପ୍ରକ୍ରିୟା ଚଳାଇଛି ।