ଅଭିନେତ୍ରୀ ହୁମା କ୍ୟୁରେସିଙ୍କ ସଂପର୍କୀୟ ଭାଇଙ୍କୁ ମାରିଦେଲେ

ଗୁରୁବାର ରାତି ପ୍ରାୟ ୧୧ଟା  ସମୟରେ ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେସିଙ୍କ ସଂପର୍କୀୟ ଭାଇଙ୍କୁ ମାରି ଦିଆଯାଇଛି । ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ସଂପୃକ୍ତ ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ।

ସୂଚନାରୁ ପ୍ରକାଶ, ଦିଲ୍ଲୀର ନିଜାମୁଦ୍ଦିନ ଅଂଚଳର ଜଙ୍ଗପୁରା ଭୋଗାଲ ମାର୍କେଟ୍ ଲେନରେ ହୁମାଙ୍କ ସଂପର୍କୀୟ ଭାଇ ଆସିଫଙ୍କ ଗାଡ଼ି ଠିଆ ହୋଇଥିଲା । ଆସିଫଙ୍କ ଗାଡ଼ି ଆଗରେ ଆଉ ଗୋଟିଏ ଗାଡ଼ି ଠିଆ ହୋଇଥିବାରୁ ଆସିଫ୍ ଗାଡ଼ିଟିକୁ ବାହାର କରିପାରୁ ନଥିଲେ । ଆସିଫଙ୍କ ପତ୍ନୀ ସଂପୃକ୍ତ ଗାଡ଼ି ଚାଳକଙ୍କୁ ତାଙ୍କ ଗାଡ଼ି ପାଇଁ ବାଟ ଛାଡ଼ିବାକୁ କହିଥିଲେ ।

ବାସ୍ ଏତିକି କଥାରେ ମାମଲା ବିଗିଡ଼ି ଯାଇଥିଲା । କିଛି ଲୋକ ଏକଜୁଟ ହୋଇ ଆସିଫଙ୍କୁ ପ୍ରବଳ ମାଡ଼ ମାରିଲେ । ଗୁରୁତର ଆହତ ଅବସ୍ଥାରେ ଆସିଫଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୁଲିସ ଉକ୍ତ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି । ଗଣ୍ଡଗୋଳରେ ଦୁଇରୁ ଅଧିକ ଲୋକ ସାମିଲ ଥିଲେ । ପୁଲିସ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଲାସ ଜାରି ରଖିଛି ।