ଦାଣ୍ଡରେ ପଡ଼ି ହାଟରେ ଗଡୁଛି ଭରତପୁର ଥାନା

ରାଜ୍ୟର ସବୁ ଥାନାର ପୁଲିସ କର୍ମଚାରୀଙ୍କ ଆଚରଣ ଓ ଉଚ୍ଚାରଣରେ ଲଗାମ ଲଗାନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ତା’ ନହେଲେ ଆଗାମୀ ଦିନରେ ବିଜେପିକୁ ବିଜେଡି ଦଶା ଭୋଗିବାକୁ ପଡ଼ିବ । ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କର ମହିଳା ବାନ୍ଧବୀଙ୍କ ପ୍ରତି ଯୋଉ ପ୍ରକାର ବ୍ୟବହାର ଦେଖାଗଲା, ତାହା ଏବେ ସାରା ରାଜ୍ୟରେ ଚହଳ ପକାଇଛି ।

ସାଧାରଣ ଜନତାଙ୍କ ପ୍ରତି ରାଜ୍ୟର ଶତକଡ଼ା ୯୯ ଭାଗ ପୁଲିସ କର୍ମଚାରୀଙ୍କ ଆଚରଣ ଓ ଉଚ୍ଚାରଣ ଅତି କଦର୍ଯ୍ୟ । ଯୋଉ ଗୋଟିଏ ଭାଗ ପୁଲିସ କର୍ମଚାରୀ ସାଧାରଣ ଜନତାଙ୍କ ପ୍ରତି ଉଦାର ଆଚରଣ କରିଥାନ୍ତି, ସେମାନଙ୍କୁ ପୁଲିସ ବିଭାଗର ଅନ୍ୟ କର୍ମଚାରୀମାନେ ଅଯୋଗ୍ୟ ଦୃଷ୍ଟିରେ ଦେଖନ୍ତି । ଏ ବିଚିତ୍ର ନୀତି ଏ ଅଧମ ପୂର୍ବତନ ଆଇପିଏସ୍‌ ସଂଜୀବ ମାରିକଙ୍କ ଅମଳରୁ ଦେଖି ଆସିଛି । ୧୯୮୮ ମସିହାରେ ତକ୍ରାଳୀନ ଏସ୍‌ପି ସଂଜୀବ ମାରିକ ଜାତୀୟ ରାଜପଥରେ ଚଳାଚଳ କରୁଥିବା ଟ୍ରକରୁ ବଟି ଆଦାୟ କରିବା ପାଇଁ ଅଧସ୍ତନ ପୁଲିସ କର୍ମଚାରୀଙ୍କୁ ତାଗିଦ କରୁଥିଲେ । ଏ ବିଷୟ ତକ୍ରାଳୀନ ପୁଲିସ ଅଧିକାରୀମାନଙ୍କ ନିକଟରୁ ମୁଁ ଶୁଣିଛି ।

ରାଜ୍ୟର ୯୯ ଭାଗ ଥାନାରେ ପୁଲିସ କର୍ମଚାରୀଙ୍କ ବ୍ୟବହାର କାହାକୁ ଅଛପା ନାହିଁ । ବିଜେଡି ସରକାର ସମୟରେ ଯୋଉ ଥାନା ବିରୋଧରେ ବିଜେପି ବିଷ ଉଗାଳୁଥିଲା । ଏବେ ସେହି ଥାନାକୁ ବିଜେପି ସରକାର ମୁଣ୍ଡରେ ବସାଇଛି । ୟେ କି ବିଡ଼ମ୍ବନା? ରାଜ୍ୟର ନିରୀହ ଜନତାଙ୍କ ପ୍ରତି ପୁଲିସ କର୍ମଚାରୀଙ୍କ ଆଚରଣ ଓ ଉଚ୍ଚାରଣ ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ କିଛି ଅଛପା ନାହିଁ । ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ନ ଥିଲାବେଳେ ମୋହନ ଚରଣ ମାଝି କେନ୍ଦୁଝର ଜିଲ୍ଲାର ଗୋଟିଏ ଥାନାରେ କି ପ୍ରକାର ହିନସ୍ଥା ଭୋଗିଥିଲେ । ତାହା ମୋହନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଗଣମାଧ୍ୟମ ଆଗରେ କହି ମନକୁ ହାଲୁକା କରିଥିଲେ ।

ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଚାକିରିରୁ ତଡ଼ି ଦିଆଯିବା ଦରକାର । ଅନ୍ୟ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଚାକିରିରୁ ବଳପୂର୍ବକ ତଡ଼ି ଦିଆଯିବା ଦରକାର । ସାଧାରଣ ଜନତା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସଂଘ ନିକଟରୁ ଗୋଟିଏ ଶିକ୍ଷା ଲାଭ କରିବା ଦରକାର । ଦଳ ହିଁ ବଳ । ପୀଡ଼ିତ ସେନା ଅଧିକାରୀଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସଂଘ ରାସ୍ତାକୁ ଓହ୍ଲାଇଲା ବୋଲି ପୁଲିସ ଡିଜିପିଙ୍କ କାନରେ ସେନା ଅଧିକାରୀଙ୍କ ବିକଳ ଚିକ୍ରାର ପଡ଼ିଲା; ତାହା ହୋଇ ନଥିଲେ ବିଚରା ସେନା ଅଧିକାରୀ ବାନ୍ଧବୀଙ୍କ ସହ ବିନିଦ୍ର ରଜନୀ କଟାଇବାର ଦୁଃଖଦ ଘଟଣାକୁ ମନେ ପକାଇ ଭାଗ୍ୟକୁ ନିନ୍ଦୁଥାନ୍ତେ ।