ବିପିୟୁଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର (ଏସ୍ ନ୍ୟୁଜ) : ବିପିୟୁଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ। ଫାଇନାଲ୍ ସେମିଷ୍ଟର୍ ପରୀକ୍ଷା ଦାବିରେ ଏହି ଘେରାଉ କରାଯଇଛି ।

ସୂଚନା ଅନୁସାରେ, ଚଳିତ ବର୍ଷ ଅଗଷ୍ଟ ମାସରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିଲେ। ସେତେବେଳେ ବିଭାଗ ତରଫରୁ କୁହାଯାଇଥିଲା ଯେ ବିକଳ୍ପ ବ୍ୟବସ୍ଥା ଭାବେ ଅଫଲାଇନ ପରୀକ୍ଷା କରାଯିବ। ମାତ୍ର ଏଯାଏ ଏହି ପରୀକ୍ଷା ହୋଇପାରିଲା ନାହିଁ। ଉଚ୍ଚଶିକ୍ଷା ଲାଗି ଓଜେଇଇରେ ଆବେଦନ କରି ଭଲ ରାଙ୍କ ପାଇଥିଲେ ସୁଦ୍ଧା ଶେଷ ସେମିଷ୍ଟର ପରୀକ୍ଷା ହୋଇ ନଥିବାରୁ ଛାତ୍ରଛାତ୍ରୀମାନେ ଆଡମିଶନରୁ ବାଦ ପଡ଼ିଛନ୍ତି। ଏବେ ତୁରନ୍ତ ଫାଇନାଲ ସେମିଷ୍ଟର ପରୀକ୍ଷା କରିବା ସହ ଓଜେଇଇ କାଉନସେଲିଂ ତାରିଖକୁ ଘୁଞ୍ଚାଯିବା ନେଇ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ଅନ୍ୟପଟେ ଆଲୋଚନା ପରେ ସପ୍ତାହକ ଭିତରେ ପରୀକ୍ଷା ଓ କାଉନସେଲିଂ ତାରିଖ ନେଇ କୌଣସି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପରୀକ୍ଷା ଅନଲାଇନ୍ କି ଅଫଲାଇନରେ ହେବ, ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ ନିଷ୍ପତ୍ତି ନେବେ। ତେବେ ଅଫଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତାବ ଦିଆଯାଇଛି, ଯାହାକି ଆଗାମୀ ସପ୍ତାହକ ଭିତରେ ସ୍ପଷ୍ଟ ହୋଇଯିବ। ଏହାଛଡ଼ା ଓଜେଇଇ କାଉନସିଲରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ଦେବା ନେଇ ମଧ୍ୟ ଆଲୋଚନା କରିବୁ।